ପତ୍ନୀଙ୍କୁ ହତ୍ୟା କରିବା ପରେ ଥାନାରେ ପହଞ୍ଚିଲା ବିଜନେସମ୍ୟାନ, ଏମିତି ଥିଲା ପୂରା ଘଟଣା
7/11/2019 at 2:57 PM

ନୂଆଦିଲ୍ଲୀ୭/୧୧: ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ବାମୀ ନିଜ ସ୍ତ୍ରୀଙ୍କ ତଣ୍ଟିଚିପି ହତ୍ୟା କରିଛି। ଅଭିଯୁକ୍ତ ଜଣେ ବଡ଼ ବ୍ୟବସାୟ। ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ଥାନାରେ ଆତ୍ମସମର୍ପଣ କରିଛି। ଏହି ଘଟଣା ସଂପର୍କରେ ଥାନାରେ ଅଭିଯୁକ୍ତ ନିଜେ ସବୁ କହିଛି। ଘଟଣାସ୍ଥଳରେ ପୁଲିସ୍ ଓ ଫରେନସିକ୍ ବିଭାଗର ଏକ ଟିମ ପହଞ୍ଚି ପୋଷ୍ଟମର୍ଟମ ଲାଗି ଶବକୁ ହସ୍ପିଟାଲକୁ ପଠାଇଥିଲା। ଦିଲ୍ଲୀର ମାଲବ୍ୟ ନଗର ଅଞ୍ଚଳରେ ଏଭଳି ଘଟଣା ଘଟିଛି।
ପୁଲିସର ସୂଚନା ଅନୁସାରେ ୩୮ ବର୍ଷ ବୟସ୍କ ଅଭିଯୁକ୍ତ ସୁମିତ ମୋଙ୍ଗିଆ । ତାଙ୍କ ପତ୍ନୀଙ୍କ ନାଁ ହେଉଛି ଦୀପିକା ମୋଙ୍ଗିଆ। ପାରିବାରିକ କଳହକୁ କେନ୍ଦ୍ରକରି ଏଭଳି ଘଟଣା ଘଟିଛି। ବୁଧବାର ସକାଳ ୯ରୁ ୯.୩୦ ମିନିଟ୍ ମଧ୍ୟରେ ପତ୍ନୀ ଦୀପିକାଙ୍କ ହତ୍ୟା ହୋଇଥିବା କଥା ସୂଚନା ମିଳିଛି। ତାଙ୍କର ଦୁଇଟି ସନ୍ତାନ ଅଛି। ୨୦୦୯ ମସିହା ନଭେମ୍ବର ୨୩ ତାରିଖରେ ତାଙ୍କର ବିବାହ ହୋଇଥିଲା।
ପତ୍ନୀଙ୍କ ହତ୍ୟା କାହିଁକି କଲ ବୋଲି ସୁମିତକୁ ପୋଲିସ ପ୍ରଶ୍ନ କରିଥିଲା। ଉତ୍ତରରେ ଅଭିଯୁକ୍ତ ସୁମିତ କହିଥିଲା ଯେ ପ୍ରତିଦିନ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ତାଙ୍କ ବାପା-ମାଆଙ୍କ ସହ ନ ମିଶିବା ଲାଗି ତାଙ୍କ ସ୍ତ୍ରୀ ମନା କରୁଥିଲେ। ମାଆ-ବାପାଙ୍କୁ ଟଙ୍କା ଦେବା ଲାଗି ଦୀପିକା ସବୁବେଳେ ତାଙ୍କ ସ୍ବାମୀଙ୍କୁ ମନା କରୁଥିଲେ। ଏଭଳି ବାରମ୍ବାର ହେବାରୁ ରାଗରେ ସୁମିତ ତାଙ୍କ ପତ୍ନୀଙ୍କ ହତ୍ୟା କରିଥିବା କଥା ପୋଲିସ ସାମ୍ନାରେ କହିଛି।