ହାଇ-ପ୍ରୋଫାଇଲ ହତ୍ୟାକାଣ୍ଡ: ଭାବୀ ସ୍ବାମୀ ଓ ମାଙ୍କ ସହ ମିଶି ପ୍ରେମିକକୁ ହତ୍ୟା କଲା ପ୍ରେମିକା

Published By : Prameya-News7 Bureau | November 19, 2020 IST

ଦିଲ୍ଲୀ ୧୯/୧୧ : ଉତ୍ତର-ପଶ୍ଚିମ ଦିଲ୍ଲୀର ଆଦର୍ଶ ନଗର ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଭାବି ସ୍ବାମୀ ଏବଂ ନିଜ ମା ସହିତ ମିଶି ପ୍ରେମିକକୁ ହତ୍ୟା କରିଛି ପ୍ରେମିକା । ମୃତକ ଜଣକ ହେଉଛନ୍ତି ନୀରଜ ଗୁପ୍ତା ଏବଂ ସେ ଜଣେ ବ୍ୟବସାୟୀ । ତେବେ ନୀରଜଙ୍କୁ ହତ୍ୟା କରିବା ପରେ ମୃତଦେହକୁ କୌଶଳକ୍ରମେ ଗୋଆ ରାଜଧାନୀ ଏକ୍ସପ୍ରେସରେ ଗୁଜୁରାଟର ଭାରୁଚକୁ ନେଇ ସେଠାରେ ଏକ ପରିତ୍ୟକ୍ତ ସ୍ଥାନରେ ଫିଙ୍ଗି ଦେଇଥିଲେ ।

ସୂଚନା ଅନୁସାରେ ବ୍ୟବସାୟୀ ନୀରଜ ଗୁପ୍ତାଙ୍କ କମ୍ପାନୀରେ ଫୈଜଲ ନାମକ ଜଣେ ଯୁବତୀ କାମ କରୁଥିଲେ । ସେହି ଯୁବତୀଙ୍କ ସହିତ ନୀରଜଙ୍କର ଅବୈଧ ସମ୍ପର୍କ ଥିଲା । କିନ୍ତୁ ଫୈଜଲଙ୍କ ବିବାହ ଜୁବେର ନାମକ ଜଣେ ବ୍ୟକ୍ତିଙ୍କ ସହିତ ଠିକ ହୋଇଯାଇଥିଲା । ତେବେ ଫୈଜଲଙ୍କର ବିବାହ ଅନ୍ୟ ସ୍ଥାନରେ ଠିକ ହେବାକୁ ନେଇ ବିରୋଧ କରୁଥିଲେ ନୀରଜ ଗୁପ୍ତା । ଏଥିରେ ପ୍ରତିଶୋଧ ପରାୟଣ ହୋଇ ଯୁବତୀଜଣକ ଭାବି ସ୍ବାମୀ ଜୁବେର ଏବଂ ନିଜ ମାଙ୍କ ସହିତ ମିଶି ନୀରଜଙ୍କୁ ରାସ୍ତାରୁ ହଟାଇବାକୁ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରିଥିଲେ ଏବଂ ସମୟ ସୁବିଧା ଦେଖି ନୀରଜଙ୍କୁ ହତ୍ୟା ମଧ୍ୟ କରିଥିଲେ ।

କିପରି ହୋଇଥିଲା ହତ୍ୟାକାଣ୍ଡ ?

ଫୈଜଲଙ୍କ ସହିତ ଜୁବେରର ବିବାହ ଠିକ ହୋଇଯିବା ପରେ ତାକୁ ଗ୍ରହଣ କରିପାରୁନଥିଲେ ନୀରଜ ଗୁପ୍ତା । ସେ ଏହି ବିବାହକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ । ତେବେ ନଭେମ୍ବର ୧୨ ତାରିଖରେ ଜୁବେର ଫୈଜଲଙ୍କ ଘରକୁ ଆସିଥିଲା । ସେହି ସମୟରେ ନୀରଜ ମଧ୍ୟ ଫୈଜଲଙ୍କ ଘରେ ପହଞ୍ଚିଥିଲେ । କୌଣସି କାରଣରୁ ନୀରଜ ଏବଂ ଜୁବେର ମଧ୍ୟରେ ଝଗଡା ହେବାରୁ ଜୁବେର,ଫୈଜଲ ଏବଂ ତାଙ୍କ ମା ଶହୀନଙ୍କ ସହିତ ମିଶି ଇଟା ଓ ଛୁରୀ ଭୁସି ନୀରଜଙ୍କୁ ହତ୍ୟା କରିଥିଲେ ।  

ପୋଲିସ କହିବା ମୁତାବକ ହତ୍ୟା କରିବା ପ​‌ରେ ଯୁବତୀଙ୍କ ଭାବି ସ୍ବାମୀ ଜୁବେର ମୃତ ଦେହକୁ ଏକ ବ୍ୟାଗରେ ଭର୍ତ୍ତି କରି ରାଜଧାନୀ ଏକ୍ସପ୍ରେସରେ ଗୁଜରାଟର ଭରୁଚ ନେଇଯାଇଥିଲା । ତେବେ ଭରୁଚରେ ପହଞ୍ଚିବା ପରେ ଷ୍ଟେସନରେ ହିଁ  ବ୍ୟାଗକୁ ରଖି ସେହି ଟ୍ରେନରେ ଆଗକୁ ଚାଲିଯାଇଥିଲା । ଗୁଜୁରାଟ ପୋଲିସ ଶବକୁ ଜବତ କରି ଖୋଳତାଡ ଆରମ୍ଭ କରିଥିଲା । ସେପଟେ ନୀରଜ ନିଖୋଜ ଥିବା ନେଇ ଥାନାରେ ମାମଲା ରୁଜୁ କରିଥିଲେ ପରିବାର ଲୋକେ । ନୀରଜ ପୂର୍ବରୁ ମଧ୍ୟ ବିବାହିତ । ତେବେ ତାଙ୍କ ପତ୍ନୀ ଆଞ୍ଚଲ, ନୀରଜ ନିଖୋଜ ହେବା ନେଇ ଫୈଜଲଙ୍କୁ ସନ୍ଦେହ କରିଥିଲେ । ନୀରଜଙ୍କ କମ୍ପାନୀରେ ଫୈଜଲ ଗତ ୧୦ ବର୍ଷ ହେଲା କାମ କରୁଥିଲେ । ନୀରଜଙ୍କ ପତ୍ନୀଙ୍କ ବୟାନ ଆଧାରରେ ଫୈଜଲଙ୍କ ଘର ପାଖରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା ପୋଲିସ । ତେବେ ଫୈଜଲଙ୍କୁ ଏବାବଦରେ ପଚରାଉଚରା ବେଳେ ତାଙ୍କୁ ସନ୍ଦେହ କରିଥିଲା ପୋଲିସ କାହିଁକି ନା ତାଙ୍କ ବୟାନରେ କିଛି ତାଳମେଳ ରହିନଥିଲା । ପରେ ସେ ପୋଲିସ ନିକଟରେ ଘଟଣା ବାବଦରେ ସବୁ ସତ ମାନିଥିଲେ । ପୋଲିସ ଛାନଭିନ୍ କରିବା ପ​‌ରେ ମଙ୍ଗେତର ଜୁବେର ଏବଂ ତାର ମା ଶାହୀନଙ୍କୁ ଗିରଫ କରିଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.