ବାଲେଶ୍ବରରେ ଗହଣା ବ୍ୟବସାୟୀଙ୍କୁ ପିଟି ପିଟି ହତ୍ୟା କଲେ ୩ ଯୁବକ ; ଜଣେ ଅଟକ

Published By : Prameya-News7 Bureau | October 04, 2018 IST

ବାଲେଶ୍ବର ୪|୧୦:  ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍ ଜଗନ୍ନାଥପୁର-ରଣକୋଠା ରାସ୍ତାରେ  ଗହଣା ବ୍ୟବସାୟୀଙ୍କୁ ପିଟି ପିଟି ହତ୍ୟା କରାଯାଇଛି । ମୃତକ ହେଲେ ବ୍ଲକସିଂଘା ଥାନା ପଥରେଶ୍ବର ଅଞ୍ଚଳର ହରିଶଚନ୍ଦ୍ର କାମିଳା । ସାମାନ୍ୟ ବଚସାକୁ କେନ୍ଦ୍ର କରି ତାଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି । ବାଇକରେ ଯାଉଥିବା ୩  ଜଣ ନିଶାସକ୍ତ ଯୁବକ ହରିଶଚନ୍ଦ୍ରଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ଭୋଗରାଇ ବ୍ଲକ୍ ରଣକୋଠା ଛକରେ ଗହଣା ଦୋକାନ କରିଥିଲେ ହରିଶଚନ୍ଦ୍ର କାମିଳା । ଗତକାଲି ରାତିରେ ଚନ୍ଦନେଶ୍ବରରୁ ନିଜ ଓମିନି ଗାଡିରେ ଫେରୁଥିଲେ । ପଥରେଶ୍ବରଠାରେ ତାଙ୍କ ଗାଡି ଗୋଟିଏ ବାଇକ୍ ସହ ସାମାନ୍ୟ ଘସି ହୋଇଯାଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ବାଇକରେ ଯାଉଥିବା ୩ ଜଣ ଯୁବକ ହରିଶଚନ୍ଦ୍ରଙ୍କ ଗାଡିକୁ ଅଟକାଇ ତାଙ୍କୁ ନିସ୍ତୁକ ପିଟିଥିଲେ । ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚିବାରୁ ସଂପୃକ୍ତ ଯୁବକମାନେ ସେଠାରୁ ପଳାଇଯାଇଥିଲେ । ଗୁରୁତର ଅବସ୍ଥାରେ ହରିଶଚନ୍ଦ୍ରଙ୍କୁ ଜଳେଶ୍ବରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ସ୍ଥାନୀୟଲୋକ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାରେ ଜଣଙ୍କୁ ଅଟକ ରଖିବା ସହ ବାଇକ୍ ଜବତ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.