ଲକଡାଉନ ବୃଦ୍ଧି ଆଶଙ୍କାରେ ଖସିଲା ସେୟାର ବଜାର, ୯ ହଜାର ତଳେ ନିଫ୍ଟି

Published By : Prameya-News7 Bureau | April 13, 2020 IST

ମୁମ୍ବାଇ, ୧୩|୦୪:  ସପ୍ତାହର ପ୍ରଥମ କାରବାର ଦିନ ଅର୍ଥାତ ସୋମବାର ସେୟାର ବଜାର ଖରାପ ପ୍ରଦର୍ଶନ କରିଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ସେନସେକ୍ସ ୪୬୯.୬୦ ପଏଁଣ୍ଟ ହ୍ରାସ ପାଇ ୩୦୬୯୦.୦୨ ସ୍ତରରେ ବନ୍ଦ ହୋଇଥିବା ବେଳେ ନିଫ୍ଟି ୧୧୮ ଅଙ୍କ ଖସି ୮୯୯୩.୮୫ ସ୍ତରରେ ବନ୍ଦ ହୋଇଛି । ଲକଡାଉନ ବୃଦ୍ଧି ଆଶଙ୍କାରେ ଏପରି ହୋଇଥିବା ଅନୁମାନ କରାଯାଉଛି ।

ଆଜିର କାରବାରରେ ହିଣ୍ଡୋଲକୋ, ଭାରତୀ ଏୟାରଟେଲ୍, ଅଦାନୀ ପାର୍ଟସ, ଡାକ୍ତର ରେଡ୍ଡି, ଅଲ୍ଟ୍ରାଟେକ୍ ସିମେଣ୍ଟ, କୋଲ ଇଣ୍ଡିଆ ଆଦି ଭଲ କାରବାର କରିଥିଲେ । କିନ୍ତୁ ବଜାଜ ଫାଇନାନ୍ସ, ଜୀ ଲିମିଟେଡ, ଟାଇଟନ, ଓ୍ୱପ୍ରୋ, ହିରୋ ମୋଟୋକପ, ଆଇସିଆଇସିଆଇ ବ୍ୟାଙ୍କ, ବ୍ରିଟାନିଆ ଓ ଟେକ୍ ମହିନ୍ଦ୍ରାର ପ୍ରଦର୍ଶନ ଖରାପ ରହିଥିଲା । ବଡ କମ୍ପାନୀ ତୁଳନାରେ ଛୋଟ କମ୍ପାନୀମାନେ ଭଲ ପ୍ରଦର୍ଶନ କରିଥିଲେ । ଫଳରେ ମେଡକ୍ୟାପ୍ ୦.୯୩ ପ୍ରତିଶତ ବୃଦ୍ଧି ପାଇ ୧୧୨୬୮.୦୮ ଓ ସ୍ମଲକ୍ୟାପ୍ ୦.୪୬ ପ୍ରତିଶତ ବୃଦ୍ଧି ପାଇ ୧୦୨୪୬.୨୭ ଅଙ୍କରେ ପହଁଚିଥିଲା । ବିଏସଇରେ ଟେଲିକମ ୪.୮୨ ପ୍ରତିଶତ ଓ କ୍ୟାପିଟାଲ ଗୁଡସ୍ ମଧ୍ୟ ୩.୬୦ ପ୍ରତିଶତ ଲାଭରେ ରହିଥିଲା ।

ବିଶ୍ୱ ସ୍ତରରେ ଆମେରିକା ବଜାର କ୍ଷତିରେ ଖୋଲିଥିବା ବେଳେ ୟୁରୋପୀୟ ବଜାର ଭଲ କାରବାର କରିଥିଲା । ବ୍ରିଟେନର ଏଫଟିଏସଇ ୨.୯୦  ପ୍ରତିଶତ, ଜର୍ମାନୀ ଡେସ୍କ ୨.୨୪ ପ୍ରତିଶତ, ଜାପାନର ନିକ୍କେଇ ୨.୩୩ ପ୍ରତିଶତ, ଦକ୍ଷିଣ କୋରିଆର କୋସ୍ପି ୧.୮୮ ପ୍ରତିଶତ ଓ ଚୀନର ସାଙ୍ଘାଇ କମ୍ପୋଜେଣ୍ଟ ୦.୪୯ କ୍ଷତିରେ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.