ମହାନଦୀ ବ୍ରିଜ ତଳକୁ ଖସିଲା ଯାତ୍ରୀବାହୀ ବସ, ଘଟଣାସ୍ଥଳରେ ୭ ଜଣଙ୍କର ମୃତ୍ୟୁ
20/11/2018 at 6:54 PM

କଟକ ୨୦/୧୧ : ବଲଣ୍ଡାରୁ କଟକ ଆସୁଥିବା ଜଗନ୍ନାଥ (OD35A-0211) ନାମକ ଏକ ଏସି କୋଚ୍ ଯାତ୍ରୀବାହୀ ବସ ମହାନଦୀ ବ୍ରିଜ ଉପରୁ ତଳକୁ ଖସି ପଡିଛି | ମଈଷିକୁ ଧକ୍କା ଦେଇ ବସଟି ମହାନଦୀ ବ୍ରିଜର ସାଇଡ୍ ଓ୍ୱାଲ ଭାଙ୍ଗି ୩୦ ଫୁଟ ତଳକୁ ଖସି ପଡ଼ିଥିଲା । ବସରେ ବହୁ ଯାତ୍ରୀ ଥିଲେ । ତେବେ ଏହି ଦୁର୍ଘଟଣାରେ ମୃତାହତଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ହସ୍ତଗତ ହୋଇନାହିଁ | ତେବେ ବସ ଧକ୍କା ଦେଇଥିବା ମଇଁଷିଟିର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ , ଅଗ୍ନିଶମ ବାହିନୀ ଓଡ୍ରାଫ ବାହିନୀ, ଏନଡିଆରଏଫ ପହଂଚି ଉଦ୍ଧାର ଚଳାଇଛନ୍ତି । ବର୍ତ୍ତମାନ ସୁଦ୍ଧା ୮ଜଣଙ୍କୁ ଉଦ୍ଧାର କରି କଟକ ଏସସିବିକୁ ପଠାଯାଇଛି । ବରିଷ୍ଠ ପ୍ରଶାସନିକ ଓ ପୋଲିସ ଅଧିକାରୀମାନେ ପହଂଚି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି ।
ବଲଣ୍ଡାରୁ ତାଳଚେର ଦେଇ ବସଟି କଟକ ଆସୁଥିଲା | ଦିନ ୨ଟା ୪୫ରେ ବସଟି ତାଲଚେର ଛାଡ଼ିଥିଲା । ବସ ତାଲଚେର ଛାଡ଼ିବା ବେଳେ ବସରେ ୪୦ଜଣ ଯାତ୍ରୀ ଥିଲେ ବୋଲି ଜଣାପଡିଛି । ତେବେ ରାସ୍ତାରେ କେତେଯାତ୍ରୀ ଓହ୍ଲାଇପଡିଛନ୍ତି ତାହା ଜଣାପଡି ନାହିଁ । ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଖବର ପାଇ ଦୁଃଖ ପ୍ରକାଶ କରିଛନ୍ତି । ଏଥି ସହ ଘଟଣାସ୍ଥଳକୁ ଯିବାପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ଧାର ଯୋଗୁଁ ଘଟଣା ସ୍ଥଳରେ ଉଦ୍ଧାରକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ।