ଚନ୍ଦାହାଣ୍ଡି ଘାଟୀରେ ବସ ଦୁର୍ଘଟଣା : ସାମ୍ନାରୁ ଆସୁଥିବା ବାଇକକୁ ବଞ୍ଚାଇବାକୁ ଯାଇ ଓଲଟିପଡିଲା ସ୍କୁଲବସ, ୩ ଶିକ୍ଷକ ମୃତ, ୧୭ ଗୁରୁତର
11/11/2018 at 6:59 PM

ନବରଂଗପୁର ୧୧|୧୧: ନବରଙ୍ଗପୁର ଚନ୍ଦାହାଣ୍ଡି ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୃତଗତିରେ ମାଡି ଆସୁଥିବା ଏକ ବାଇକକୁ ବଞ୍ଚାଇବାକୁ ଯାଇ ଘାଟିରୁ ଓଲଟିଲା ସ୍କୁଲ ବସ୍ । ଘଟଣା ସ୍ଥରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ଗୁରୁତରଙ୍କୁ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।…
ଘାଟିରୁ ଖସିଲା ବସ୍ । କିଏ ବସ୍ ଭିତରେ ଚାପି ହୋଇଗଲା, ତ କିଏ ଜଙ୍ଗଲ ଭିତରକୁ ଛିଟିକି ପଡ଼ିଲା । ଘଟଣା ସ୍ଥଳରେ ପ୍ରାଣ ହରାଇଲେ ୩ ଜଣ । ଅନ୍ୟମାନଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ । ଆଜି ସକାଳ ୧୦ଟା ସମୟରେ ନବରଙ୍ଗପୁର ଚନ୍ଦାହାଟି ଘାଟିରେ ଘଟିଥିଲା ଏହି ମର୍ମନ୍ତୁଦ ଦୁର୍ଘଟଣା ।
ଉମରକୋଟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବସରେ ୩୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ବାହାରିଥିଲେ ଚନ୍ଦାହାଣ୍ଡି ଅଭିମୁଖେ । ସେଠାରେ ଥିବା ଶ୍ରୀ ଅରବିନ୍ଦ ଶିକ୍ଷା କେନ୍ଦ୍ରରେ ଆୟୋଜିତ ଜିଲ୍ଲା ସ୍ତରୀୟ ପାଠଚକ୍ର କାର୍ଯ୍ୟକ୍ରମରେ ଯୋଗଦେଇଥାନ୍ତେ । ତେବେ ଘାଟିରେ ବସ ଆଗକୁ ହଠାତ୍ ଏକ ବାଇକ ଦୃତଗତିରେ ଚାଲିଆସିଥିଲା । ବାଇକ୍କୁ ବଞ୍ଚାଇବାକୁ ଯାଇ ବସ୍ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ।..
ବସ୍ ଭିତରେ ୫ ଜଣ ପିଲାଙ୍କ ସହ ଶିକ୍ଷକ ଶିକ୍ଷୟିତ୍ରୀ ମିଶି ୩୨ ଜଣ ଥିଲେ। ଘଟଣା ସ୍ଥଳରେ ଲଳିତ ମୋହନ ପଟ୍ଟନାୟକ, ରୀନା ନାୟକ ଓ ନିରଞ୍ଜନ ନାୟକ ପ୍ରାଣ ହରାଇଥିଲେ । ୨୦ ଜଣ ଆହତଙ୍କୁ ପ୍ରଥମେ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ୧୭ ଗୁରୁତରଙ୍କୁ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।…
ସେପଟେ ଯାଜପୁର ରସୁଲପୁର ବ୍ଲକ କୁରୁକୁରା ଗାଁରେ ପୋଖରୀରେ ବୁଡି ୨ ନାବାଳିକା ପ୍ରାଣ ହରାଇଛନ୍ତି । ହୃଷୀକେଶ ସ୍ବାଇଁଙ୍କ ୫ ବର୍ଷର ଝିଅ ସଙ୍ଗୀତା ଓ ୪ ବର୍ଷର ଝିଅ ରୋଶନି ଜେଜେମାଙ୍କ ସହ ପୋଖରୀରେ ଗାଧୋଉଥିବା ବେଳେ ଗୋଡ ଖସିଯିବାରୁ ପାଣିରେ ବୁଡିଯାଇଥିଲେ ।…