ବରଗଡ଼ରେ ଘରୋଇ ବସ ମାଲିକ ସଂଘ ଓ ପୌରପରିଷଦ ବିବାଦ : ବସଷ୍ଟାଣ୍ଡ ନିର୍ମାଣ ପାଇଁ ଆସିଥିବା ପାଣ୍ଠିରେ ବେଆଇନ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣକୁ ନେଇ ତିକ୍ତତା
5/11/2018 at 10:40 AM

ବରଗଡ଼ ୫/୧୧: ବରଗଡ଼ରେ ବେଆଇନ ଭାବେ ନିର୍ମିତ ମାର୍କେଟ କମ୍ପ୍ଲେକ୍ସ ଓ ବସଷ୍ଟାଣ୍ଡ ନିର୍ମାଣକୁ ନେଇ ଘରୋଇ ବସ ମାଲିକ ସଂଘ ଓ ପୌରପରିଷଦ ମଧ୍ୟରେ ଦେଖା ଦେଇଛି ବିବାଦ ।ଆଉ ଏହି ବିବାଦ ଧୀରେ ଧୀରେ ଘନେଇବାରେ ଲାଗିଛି। ପ୍ରତିବାଦରେ ଆଜି ୨୪ ଘଣ୍ଟିଆ ପ୍ରତୀକାତ୍ମକ ବସ ଧର୍ମଘଟ କରାଯାଇଛି।ବରଗଡ଼ ପୌରପରିଷଦ ପକ୍ଷରୁ ନୂତନ ଘରୋଇ ବସଷ୍ଟାଣ୍ଡ ନାଁରେ ଏକ ଦ୍ବିତଳ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇଛି ।ତେବେ ଏହା ନିର୍ମାଣ ସମୟରେ ଟାଉନ ପ୍ଲାନିଂଗ ଅଥୋରୀଟି କିମ୍ବା ଅଗ୍ନିଶମ ବିଭାଗର କ୍ଲିୟରେନ୍ସ ଅନୁମତି ଓ କ୍ଲିୟରେନ୍ସ ନିଆଯାଇନାହିଁ ।ଏହି ନୂତନ ବସଷ୍ଟାଣ୍ଡ କୁ ଘରୋଇ ବସଷ୍ଟାଣ୍ଡ ସ୍ଥାନାନ୍ତରିତ କରାଗଲେ ବ୍ୟାପକ ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହ ଦୁର୍ଘଟଣା ବୃଦ୍ଧି ପାଇବ ବୋଲି ଘରୋଇ ବସ ମାଲିକ ସଂଘ ପକ୍ଷରୁ କୁହାଯାଇଛି ।ତା ସତ୍ତ୍ବେ ପୌରପରିଷଦ ବାରମ୍ବାର ବସଷ୍ଟାଣ୍ଡ ସ୍ଥାନାନ୍ତର ପାଇଁ ଧମକ ଦେଉଥିବାରୁ ଏହାର ପ୍ରତିବାଦରେ ବରଗଡ ଘରୋଇ ବସ ମାଲିକ ସଂଘ ପୂର୍ବରୁ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛି ।ବସଷ୍ଟାଣ୍ଡ ନିର୍ମାଣ ଲାଗି ଆସିଥିବା ପାଣ୍ଠି ର ଦୁରୂପଯୋଗ କରାଯାଇ ନିଜସ୍ବ ଅର୍ଥନୈତିକ ଫାଇଦା ହାସଲ ଉଦ୍ଦେଶ୍ୟରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇଥିବାରୁ ଏହାର ପ୍ରତିବାଦରେ ଆଜି ୨୪ ଘଣ୍ଟିଆ ପ୍ରତୀକାତ୍ମକ ବସ ଧର୍ମଘଟ କରାଯାଇଛି।