ମହାନଦୀ ପୋଲରୁ ବସ ଖସିବା ଘଟଣା : ୧୦ ମୃତ, ୪ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ, ୨୧ ଆହତ

Published By : Prameya-News7 Bureau | November 20, 2018 IST

କଟକ ୨୦/୧୧ :କଟକ ମହାନଦୀ ପୋଲ ଉପରୁ ୩୦ ଫୁଟ ତଳକୁ ବସ ଖସିପଡ଼ିବା ଘଟଣାରେ ବର୍ତ୍ତମାନ ସୁଧା ୫୫ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କର ମୃତ୍ୟୁ ହୋଇଛି ଓ ୨୧ ଜଣ ଆହତ ହୋଇଛନ୍ତି । ମୃତକ ମାନଙ୍କ ମଧ୍ୟରେ ୭ଜଣ ପୁରୁଷ ଏବଂ ୩ଜଣ ମହିଳା ଅଛନ୍ତି । ମୃତକମାନେ ହେଲେ ଅନିତା ଆଚାର୍ଯ୍ୟ(୯୪୩୮୬୫୮୫୭୭), କଟକ ହୋଲିପୁରର ବସନ୍ତ କୁମାର ପ୍ରଧାନ, କଟକ ନରସିଂହପୁରର ଅଶ୍ୱିନୀ କୁମାର ବେହେରା, ବାଲେଶ୍ୱର ଗୋପାଳପୁରର ମାନସ ତ୍ରିପାଠୀ, ରାଉରକେଲାର ସନ୍ତୋଷ କୁମାର ଦାସ, ଢେଙ୍କାନାଳ ମୋଟୋଗାଁର ମିନତୀ ବେହେରା, ନୟାଗଡ଼ର କୁମାର ସୌମ୍ୟରଞ୍ଜନ ଓ ଭୁବନେଶ୍ୱର ଚନ୍ଦ୍ରଶେଖରପୁରର ବର୍ଷା ବରଣୀ ପାଣି । ଏଥିସହ ଦୁଇ ମୃତକଙ୍କ ପାଖରୁ ମନିପର୍ସରରୁ ମିଳିଥିବା ସୂଚନା ଅନୁଯାୟୀ ପୂର୍ଣ୍ଣଚନ୍ଦ୍ର ମହାରଣା ଓ ପି.କେ ମହାପାତ୍ର ନାମ ବୋଲି ଜଣାପଡ଼ିଛି । ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ ସେମାନଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଛି । ସମସ୍ତ ଆହତ କଟକ ଏସିବିରେ ଚିକିତ୍ସିତ ହେଉଛନ୍ତି । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ମହାନଦୀ ପଠାରେ ଉଦ୍ଧାରକାର୍ଯ୍ୟ ଆପାତତହ ସମାପ୍ତ ହୋଇଛି । ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ, ଆଜି ଦିନ ୨ଟା ବେଳେ ଅନୁଗୁଳ ଜିଲା ବଅଁରପାଳରୁ ‘ଜଗନ୍ନାଥ’ ନାମକ ଏକ ଏସି କୋଚ୍ ବସ କଟକ ଅଭିମୁଖେ ବାହାରିଥିଲା । ତାଲଚେର ଠାରେ ପହଞ୍ଚିବା ପରେ ବସଟି କିଛି ସମୟ ରହିଥିଲା । ଦିନ ୨ଟା ୫୫ ମିନିଟ୍‌ରେ ୪୦ରୁ ଉର୍ଦ୍ଧ ଯାତ୍ରୀଙ୍କୁ ନେଇ ବସଟି କଟକ ଅଭିମୁଖେ ଆସିଥିଲା । ମଙ୍ଗୁଳି ଠାରେ କିଛି ଯାତ୍ରୀ ଓହ୍ଲାଇଥିଲେ ଓ କିଛି ଯାତ୍ରୀ ବସରେ ଚଢ଼ିଥିଲେ । ସେହିଭଳି ସଂଧ୍ୟା ପାଖାପାଖି ୬ଟା ୧୫ ମିନିଟ ବେଳକୁ ଜଗତପୁରରେ ବସ ପହଞ୍ଚିଥିଲା । ଏଠାରେ ମଧ୍ୟ କିଛି ଯାତ୍ରୀ ବସରୁ ଓହ୍ଲାଇଥିଲେ ଓ କିଛି ଯାତ୍ରୀ ଚଢ଼ିଥିଲେ । ଜଗତପୁର ପରେ ବସଟି ମହାନଦୀ ପୋଲ ଛୁଇଁବାକ୍ଷଣି ଏକ ମଈଁଷି ଗାଡ଼ି ଆଗକୁ ଆସି ଯାଇଥିଲା । ଦୃତ ଗତିରେ ଥିବା ବସଟି ମଈଁଷିକୁ ଧକ୍କା ଦେବାପରେ ଭାରସାମ୍ୟ ହରାଇ ମହାନଦୀ ପୋଲର ସାଇଡ଼ ଓ୍ୱାଲକୁ ଭାଙ୍ଗି ୩୦ ଫୁଟ ତଳକୁ ବାଲି ପଠା ଉପରେ ଖସି ପଡ଼ିଥିଲା । ବସ ଦୁର୍ଘଟଣାଗ୍ରସ୍ତ ହେବାପରେ ସ୍ଥାନିୟ ଲୋକେ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ପୋଲିସ, ଅଗ୍ନିଶମ ବାହିନୀ, ଓଡ୍ରାଫ, ଏନଡିଆରଏଫ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ । ବସ ପଡ଼ିଥିବା ସ୍ଥାନ ଦୁଇ ପାଖରେ ପାଣି ଥିଲା ବୋଲି ଘଟଣାସ୍ଥଳରେ ଉଦ୍ଧାରିକାରୀ ଦଳ ପହଞ୍ଚିବାରେ ଅସୁବିଧା ହୋଇଥିଲା । ସେହିଭଳି ଅନ୍ଧାର ରାତି ହୋଇଥିବାରୁ ଉଦ୍ଧାରକାର୍ଯ୍ୟ ପ୍ରଥମେ ବାଧାପ୍ରାପ୍ତ ହୋଇଥିଲା । ତେବେ ତୁରନ୍ତ ଆଲୋକ ବ୍ୟବସ୍ଥା କରାଯାଇ ଉଦ୍ଧାରକାର୍ଯ୍ୟକୁ ତ୍ୱୋରାନିତ କରାଯାଇଥିଲା । ଆହତମାନଙ୍କୁ ଅମ୍ୱୁଲାନ୍ସ ଯୋଗେ କଟକ ଏସିବିକୁ ପଠାଯାଇଥିଲା । ୩ ଘଣ୍ଟା ଧରି ଉଦ୍ଧାରକାର୍ଯ୍ୟ ଚାଲିବା ପରେ ବସରେ ଥିବା ସମସ୍ତ ୫୫ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା । ତେବେ ଏସିବିରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଅଦ୍ୟାବଧି ୧୦ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ପୋଲିସ ପକ୍ଷରୁ ମୃତାହତଙ୍କ ସ୍ଥିତି ସମ୍ପର୍କିତ ଖବର ମୃତ୍ୟୁ ବିତରଣ ପାଇଁ ଏକ ହେଲ୍ପ ଲାଇନ ନମ୍ୱର ଜାରି କରାଯାଇଛି । ନମ୍ୱରଟି ହେଲା ୦୬୭୧-୨୩୦୪୦୦୧ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.