ବସ୍‌ ଭଡା କମିଲା ; ହେଲେ ଯାତ୍ରୀଙ୍କଠୁ ଆଦାୟ ହେଉଛି ପୁରୁଣା ବର୍ଦ୍ଧିତ ଦରରେ ଭଡା, ପଚାରିଲେ ନାଲି ଆଖି ଦେଖାଉଛନ୍ତି କଣ୍ଡକ୍ଟର

Published By : Prameya-News7 Bureau | December 06, 2018 IST

ଭୁବନେଶ୍ବର ୬|୧୨:  ସାଧାରଣ ବସ୍ ଭଡ଼ା କିଲୋମିଟର ପିଛା ୨ ପଇସା ଓ ଏସି ଡିଲକ୍ସ ୪ ପଇସା କମିଲା ।   ବସ୍‌ଭଡା କମିବା ପରେ ଆଶ୍ବସ୍ତ ହେଲେ ଗ୍ରାହକ । କିନ୍ତୁ ବାସ୍ତବ ଚିତ୍ର ପୂରା ଓଲଟା । ଯାତ୍ରୀ ସେଇ ପୂର୍ବ ଭଡା ଦେଇ ବସରେ ଯା ଆସ କରୁଥିବା ଅଭିଯୋଗ ଆସିଲା । ଅଭିଯୋଗ ଶୁଣିବା ପରେ ଆମେ ନିଜେ ବସ୍ ଯାତ୍ରୀ ହୋଇ ବାସ୍ତବ ଚିତ୍ର ପରଖିଥିଲୁ । ଆଉ ସେତେବେଳେ ସାମ୍ନାକୁ ଆସିଥିଲା କଣ୍ଡକ୍ଟରଙ୍କ ମନମାନି । ବସ୍ ଭଡ଼ା କିଲୋମିଟର ପିଛା ୨ରୁ ୪ ପଇସା କମିଲା । କିନ୍ତୁ ଏହା କାର୍ଯ୍ୟରେ ପରିଣତ ହେଲା ନା ଖାଲି କାଗଜ କଲମରେ ଅଟକିଗଲା ।ଏହା ଜାଣିବାକୁ ଆମ ପ୍ରତିନିଧି ବିଭିନ୍ନ ବସରେ ଯାତ୍ରୀ ହୋଇ ବାସ୍ତବ ଚିତ୍ର ପରଖିଥିଲେ । ଭୁବନେଶ୍ବରରୁ କଟକ ଯିବାକୁ ସାଇ ସଂପୂର୍ଣ୍ଣା ବସରେ ଉଠିଥିଲେ ଆମ ପ୍ରତିନିଧି ।  ପୂର୍ବରୁ ସାଧାରଣ ବସରେ କଟକୁ ଭୁବନେଶ୍ବର ଭଡା ୨୦ ଟଙ୍କା ଥିଲା । ପରେ ଏହା ବଢି ପହଞ୍ଚିଥିଲା ୨୫ଟଙ୍କାରେ । ତେବେ ଭଡ଼ା କମିବା ପରେ ବି ବସ୍ ଭଡା ସେହି ୨୫ରେ ଅଟକି ଗଲା । ଏକଥା କଣ୍ଡକ୍ଟରଙ୍କୁ କହିବାରୁ ସେ ଓଲଟା ନାଲି ଆଖି ଦେଖାଇଥିଲେ । ଖାଲି ନାଲି ଆଖି ଦେଖାଇନଥିଲେ ବସ୍ ଆସୋସିଏସନ ଭଡ଼ା ନ କମାଇବାକୁ ନିର୍ଦ୍ଦେଶ  ଦେଇଥିବା କହିଥିଲେ । ଏ ସଂପର୍କରେ ବସ୍ ମାଲିକ ସଂଘର ସାଧାରଣ ସଂପାଦକଙ୍କୁ ପଚାରିବାରୁ ସେ ସଂପୃକ୍ତି କଣ୍ଡକ୍ଟରଙ୍କୁ ତାଗିଦ କରିଥିଲେ । ଏହି ଘଟଣା ପରେ ଆମେ ଅନ୍ୟବସକୁ ବି ଯାଇଥିଲୁ । ଯାତ୍ରୀଙ୍କ ପ୍ରତିକ୍ରିୟା ବି ନେଇଥିଲୁ । ଯାତ୍ରୀ ଅଭିଯୋଗ କରୁଛନ୍ତି, ଭଡ଼ା ଥରେ ବଢିଲେ, ଆଉ କମୁନି । ମନ ଇଚ୍ଛା ଭଡ଼ା ଆଦାୟ ହେଉଛି । କିଛି ବସ୍ ପରିଚାଳକଙ୍କ ମନମାନି ଏଭଳି ସ୍ଥିତି ସୃଷ୍ଟି କରିଛି । ତେବେ ଏଭଳି କାର୍ଯ୍ୟକୁ ଅଟକାଇବା ଦିଗରେ ପଦକ୍ଷେପ ନିଆଯିବ ବୋଲି ସଂଘ କହିଛି । କେବଳ ଭଡ଼ା ନୁହେଁ, ଯାତ୍ରୀ ପରିବହନ କ୍ଷେତ୍ରରେ ବି ଥିବା ନିୟମକୁ ଅନେକ ବସ୍ ଅଣଦେଖା କରୁଛନ୍ତି । ଏ କ୍ଷେତ୍ରରେ ଅନେକ ଥର ଅଭିଯୋଗ ହେଉଥିଲେ ବି ସଂଘ ଚାପ ଆଗରେ ସରକାର ଚୁପ୍ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.