ସୋମବାର ଠାରୁ ତୃତୀୟ ପର୍ଯ୍ୟାୟ ଲକଡାଉନ : ବିନା ପାସ୍‌ରେ ବସ୍‌କୁ ନୋ ଏଣ୍ଟ୍ରି, ଓଭରଲୋଡିଂ ମନା

Published By : Prameya-News7 Bureau | May 03, 2020 IST

ଭୁବନେଶ୍ୱର ୦୩/୦୫ : ଲକଡାଉନ ମଧ୍ୟରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଆସୁଥିବା ବସ୍‌ଗୁଡ଼ିକ ମଧ୍ୟ ନିୟମ ଉଲ୍ଲଂଘନ କରୁଥିବା ଦେଖାଯାଉଛି। ସେଥିପାଇଁ କଟକଣା ଜାରି କରାଯାଇଛି। ଯେଉଁମାନେ ନିୟମ ଉଲ୍ଲଂଘନ କରିଥିବେ ସେମାନଙ୍କୁ ରାଜ୍ୟ ସୀମାକୁ ପୂରାଇ ଦିଆଯିବ ନାହିଁ। ସେହିପରି କଳିଙ୍ଗା ଘାଟିରେ ଦୁଇଟି ବସ୍‌ ଦୁର୍ଘଟଣା ପରେ ସୁରଟରୁ ଆସୁଥିବା ବସ୍‌ର ରୁଟ୍‌ ପରିବର୍ତ୍ତନ କରାଯାଇଛି। ସେପଟେ ଗ୍ରୀନ ଜୋନରେ ବସ୍‌ ଚଳାଇବା ଲାଗି ମନା କରୁଛି ବସ୍‌ ମାଲିକ ସଂଘ। ….

ବାହାର ରାଜ୍ୟରୁ ଯେଉଁସବୁ ବସ୍‌ରେ ପ୍ରବାସୀ ଓଡ଼ିଆ ଆସୁଛନ୍ତି ସେମାନଙ୍କ ପାଇଁ କଡ଼ା ଚେତାବନୀ ୧- ପାସ୍‌ ନେଇ ହିଁ ରାଜ୍ୟ ଭିତରକୁ ଆସନ୍ତୁ। ପୂର୍ବରୁ ବିନା ପାସ୍‌ରେ କିଛି ବସ୍‌ ଆସିଯାଇଛନ୍ତି କିନ୍ତୁ ଏବେ ସେମିତି ହେବନାହିଁ। ବିନା ପାସ୍‌ରେ ଆସୁଥିବା ବସ୍‌କୁ ଓଡ଼ିଶା ସୀମାରେ ପୂରାଇ ଦିଆଯିବ ନାହିଁ ୨- ନିର୍ଦ୍ଧାରିତ ପାସେଞ୍ଜରଙ୍କ ଠାରୁ ଅଧିକଙ୍କୁ ନେଇ କୌଣସି ବସ୍‌ ଆସିପାରିବେ ନାହିଁ। ଏମାନଙ୍କୁ ମଧ୍ୟ ଅଟକାଇଦିଆଯିବ । ଏମିତି କିଛି ସ୍ପଷ୍ଟ କରିଦେଇଛନ୍ତି ମୁଖ୍ୟ ଶାସନ ସଚିବ।

{"id":264163,"sizeSlug":"large"}

ସେହିପରି ସୁରଟରୁ ଆସୁଥିବା ବସ୍‌ର ରୁଟ୍‌ ମଧ୍ୟ ପରିବର୍ତ୍ତନ କରାଯାଇଛି। କାରଣ ସୁରଟରୁ ଗଞ୍ଜାମ ଆସୁଥିବା ତିନିଟି ବସ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଗତକାଲି ଏବଂ ଆଜି ଦୁଇଟି ବସ୍‌ ଗଞ୍ଜାମ-କନ୍ଧମାଳ ସୀମା କଳିଙ୍ଗାଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୯ ଜଣ ଆହତ ହୋଇଛନ୍ତି। ଗତକାଲି ରାତିରେ ପଟେଲ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁଥିରେ ୨ ଜଣ ପ୍ରାଣ ହରାଇଥିଲେ ଓ ୪ ଜଣ ଆହତ ହୋଇଥିଲେ। ସେହିପରି ଆଜି ଅମ୍ବିକା ନାମକ ଆଉ ଏକ ବସ କଳିଙ୍ଗା ଘାଟିରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ବେଳେ ଏଥିରେ ୫ ଜଣ ଆହତ ହୋଇଛନ୍ତି। ଏଭଳି ସ୍ଥିତି ଦେଖି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି କଳିଙ୍ଗାଘାଟି ଦେଇ ସୁରଟରୁ ଆସୁଥିବା ବସ୍‌ ଯିବ ନାହିଁ। ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ସୂଚନା ଦେଇଛନ୍ତି। ସେହିପରି ନାଗପୁର ଅମରାବତୀ ଜାତୀୟ ରାଜପଥରେ ପ୍ରବାସୀ ଓଡିଆଙ୍କୁ ନେଇ ଗଞ୍ଜାମ ଆସୁଥିବା ଆଉ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଏଥିରେ ୫ଜଣ ଆହତ ହୋଇଥିବା ସୂଚନା ମିଳିଛି ।

{"id":264164,"sizeSlug":"large"}

ସେହିପରି ଗ୍ରୀନଜୋନରେ ବସ୍ ନଗଡାଇବାକୁ ନିଷ୍ପତ୍ତି ନେଇଛି ରାଜ୍ୟ ଘରୋଇ ବସ ମାଲିକ ସଂଘ । ଆସନ୍ତାକାଲିଠାରୁ ଲକଡାଉନର ତୃତୀୟ ପର୍ଯ୍ୟାୟ ଆରମ୍ଭ ହେଉଛି। ଗ୍ରୀନଜୋନରେ ୫୦ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ ଚଳାଇବାକୁ କେନ୍ଦ୍ର ସରକାର ଗାଇଡଲାଇନ ଜାରି କରିଛନ୍ତି । ତେବେ ଏହି ସର୍ତ୍ତ ନେଇ ବସ ମାଲିକ ଏକମତ ନୁହନ୍ତି ବସ ମାଲିକଙ୍କ ଦାବିକୁ ରାଜ୍ୟ ସରକାର ବିଚାର କରୁଛନ୍ତି ଏନେଇ କେନ୍ଦ୍ରକୁ ମଧ୍ୟ ଜଣାଇ ଦିଆଯାଇଛି। ଆସନ୍ତାକାଲି ମାଲିକ ସଂଘ ସହିତ ରାଜ୍ୟ ସରକାର ବୈଠକ ଡାକିଛନ୍ତି।

ଆସନ୍ତାକାଲିଠାରୁ ତୃତୀୟ ପର୍ଯ୍ୟାୟ ଲକ୍‌ ଡାଉନ ନିୟମ ଲାଗୁ ହେବ। ବସ୍‌ ଚଳାଚଳ ଉପରେ ରାଜ୍ୟ ସରକାର ତୀକ୍ଷ୍ନ ନଜର ରଖିଛନ୍ତି ଯେପରିକି ସମସ୍ତ ନିୟମ ପାଳନ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.