Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବୁର୍ଲା ଭିସୁଟ୍‌ରେ ରାଗିଂ ଘଟଣା : ୫୨ ହଷ୍ଟେଲ ଅନ୍ତେବାସୀଙ୍କୁ ଜରିମାନା, ବର୍ଷେ ପରୀକ୍ଷାରୁ ବାଦ୍ ପଡିଲେ ୧୦ ଛାତ୍ର

23/08/2019 at 10:18 AM

ସମ୍ବଲପୁର ୨୩|୮: ବୁର୍ଲା ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜିର ଜୁନିୟର ଛାତ୍ରଙ୍କୁ ରାଗିଂ କରିବା ଭିଡିଓ ଭାଇରାଲ ହେବା ପରେ ଅନେକ ପ୍ରଶ୍ନ ଠିଆ କରିଛି । ଶିକ୍ଷାନୁଷ୍ଠାନରେ କାହିଁକି ଏପରି ମାନସିକତା । ରାଗିଂ ବିରୋଧରେ କଡା ନିୟମ କାନୁନ ଥିଲେ ମଧ୍ୟ ଏସବୁ କରିବା ଲାଗି କେମିତି ସାହସ ପାଉଛନ୍ତି ଛାତ୍ରଛାତ୍ରୀ । ନିଜ ଜୁନିଅର ଛାତ୍ରଙ୍କୁ ମାର୍ଗଦର୍ଶନ କରିବା ବଦଳରେ ସିନିଅର ଛାତ୍ରମାନେ ନିର୍ଯାତନା ଦେବାର କାହିଁକି ଏ ମାନସିକତା ।

ଶତାଧିକ ଜୁନିଅର ଛାତ୍ରଙ୍କୁ ରାଗିଂ କରି ମାନସିକ ଏବଂ ଶାରିରୀକ ନିର୍ଯାତନା ଦେଇଛନ୍ତି ସିନିଅର ଛାତ୍ର । ପ୍ରାୟ ୫୦ଜଣ ଛାତ୍ରଙ୍କ ସାର୍ଟ ଫାଡି ଅର୍ଦ୍ଧନଗ୍ନ କରି ନାଚିବାକୁ ବାଧ୍ୟ କରିବା ସହ ଶାରିରୀକ ନିର୍ଯାତନା ଦେବାକୁ ପଛାଇ ନାହାନ୍ତି ସିନିଅର ଛାତ୍ର । କେବଳ ସେତିକି ନୁହେଁ ଉପର ମହଲାରୁ ତଳମହଲାକୁ ଦୌଡାଇ ପିଟିଛନ୍ତି ।

ଗତ ୧୯ତାରିଖରେ ବଶିଷ୍ଟ ହଷ୍ଟେଲରେ ବାର୍ଷିକ ଉତ୍ସବ ପାଳନ ବେଳେ ଏହି ଘଟଣା ଘଟିଛି । ଶିକ୍ଷାନୁଷ୍ଠାନରେ ରାଗିଂ ନାମରେ ଜୁନିୟର ଛାତ୍ରଙ୍କୁ ନିର୍ଯାତନା ସବୁ ସୀମା ଟପି ଯାଇଛି । ଭିଡିଓ ସାମ୍ନାକୁ ଆସିବା ପରେ, ଘଟଣାର ତଦନ୍ତ କରିଛନ୍ତି ଭିସୁଟ୍ କୁଳପତି। ୧୦ଜଣ ତୃତୀୟବର୍ଷ ଛାତ୍ରଙ୍କୁ ଗୋଟିଏ ବର୍ଷ ପରୀକ୍ଷା ଦେବା ନିଷେଧ କରାଯାଇଛି । ୫୨ଜଣ ଛାତ୍ରଙ୍କୁ ୨ହଜାର ଟଙ୍କା ଲେଖାଏଁ ଜୋରିମାନା କରାଯାଇଛି ।

ଏପଟେ କିନ୍ତୁ ରାଗିଂ ଶିକାର ହୋଇଥିବା ପୀଡିତ ଛାତ୍ର ମୁହଁ ଖୋଲିବାକୁ ଡରୁଛନ୍ତି । ଏହାପରେ କୁଳପତି ଗତକାଲି ଭିସୁଟ୍ ର ସମସ୍ତ ହଷ୍ଟେଲ୍ ବୁଲି ରାଗିଂର ଶିକାର ହୋଇଥିବା ଛାତ୍ର ଓ ରାଗିଂ କରିଥିବା ତୃତୀୟ ବର୍ଷର ଛାତ୍ରମାନଙ୍କ ବୟାନ ରେକର୍ଡ କରିଛନ୍ତି । ତଦନ୍ତ ସରିବା ପରେ, ରାଜ୍ୟ ସରକାରଙ୍କୁ ରିପୋର୍ଟ ଦିଆଯିବା ସହ ଦୋଷୀ ଛାତ୍ରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଛନ୍ତି କୁଳପତି।

   Related Posts