ପୁଣି ଚର୍ଚ୍ଚାରେ ବୁର୍ଲା ଭୀମସାର୍, ଲମ୍ବୁଛି ବିବାଦର ଫର୍ଦ୍ଦ

Published By : Prameya-News7 Bureau | January 27, 2022 IST

ସମ୍ବଲପୁର ୨୭।୧: ଚର୍ଚ୍ଚାରେ ଭୀମସାର । ବୁର୍ଲା ଭୀମସାର ବେଶ କିଛି ଦିନ ହେଲା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ବିବାଦ ପିଛା ନଛାଡିବାରୁ ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛି ଭୀମସାର । କେତେବେଳେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଡାକ୍ତର ମାଡ ମାରିବା ଘଟଣା ତ ଆଉ କେତେବେଳେ ନିର୍ଦ୍ଦେଶକଙ୍କ ଥେରାପି ଚିକିତ୍ସା ପାଇଁ ଚର୍ଚ୍ଚାରେ ରହୁଥିଲା ଭୀମସାର । ଏଥର କିନ୍ତୁ ଅଧ୍ୟକ୍ଷାଙ୍କ ଅଫିସ ସିଲ୍, କାର୍ଯ୍ୟକାଳ ଥାଇ ନିର୍ଦ୍ଦେଶକଙ୍କ ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ, ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ଚର୍ଚ୍ଚାକୁ ଆସିଛି । ଏସବୁ ବିବାଦୀୟ ଘଟଣା ପାଇଁ ଭୀମସାର ବଦନାମ ମୁଣ୍ଡାଇଲାଣି ।

ନିଯୁକ୍ତିରେ ଅନିୟମିତତା ମାମଲାରେ ଛନ୍ଦି ହେବା ପରେ କୋର୍ଟ ଭୀମସାର ଅଧ୍ୟକ୍ଷାଙ୍କ ଅଫିସ୍ ସିଲ୍ କରିଛନ୍ତି । ଭୀମସାରର ବର୍ତ୍ତମାନର ଅଧ୍ୟକ୍ଷା ଡକ୍ଟର ଜୟଶ୍ରୀ ଦୋରାଙ୍କର ଏହି ଘଟଣାରେ ସମ୍ପୃକ୍ତି ଥାଉ କି ନଥାଉ ସେ କିନ୍ତୁ ଏବେ ବିବାଦରେ । ଯାହା ସବୁଠୁ ଲଜ୍ଜାଜନକ ବୋଲି ଚର୍ଚ୍ଚା ହେଉଛି ।

ସେପଟେ ଏହି ଘଟଣାର ଦିନେ ନପୁରୁଣୁ ଭୀମସାର ନିର୍ଦ୍ଦେଶକ ପ୍ରଫେସର ଲଲିତ ମେହେର ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଇ ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କରିଛନ୍ତି । ପୂର୍ବରୁ ବିବାଦୀୟ ହୋଇ ନିର୍ଦ୍ଦେଶକ ପଦ ଛାଡିଥିଲେ ଡାକ୍ତର ଅଶ୍ବିନୀ ପୂଜାରୀ  । ତେବେ ବିବାଦୀୟ ହେବା ପୂର୍ବରୁ ପଦ ଛାଡୁଛନ୍ତି କି ନିର୍ଦ୍ଦେଶକ ?  କୁହାଯାଉଛି କୌଣସି ଚାପରେ ଭାରାକ୍ରାନ୍ତ ଅଛନ୍ତି ନିର୍ଦ୍ଦେଶକ । ଉଭୟ ଘଟଣାକୁ ସପ୍ତାହେ ନପୁରୁଣୁ ଜଣେ ଏମବିବିଏସ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଏସବୁ ଘଟଣା ସପ୍ତାହେ ଭିତରେ ଘଟିଛି । ଯାହାକୁ ନେଇ ଭୀମସାର ଏବେ ଚର୍ଚ୍ଚାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.