ସମ୍ବଲପୁରୀ ଆଲବମ୍ ଅଭିନେତ୍ରୀ ସିମରନଙ୍କ ମୃତ୍ୟୁ ଘଟଣା : ହତ୍ୟା ମାମଲା ରୁଜୁ କଲା ପୋଲିସ, ଡିଏସ୍‌ପି କରୁଛନ୍ତି ଘଟଣାର ଅନୁଧ୍ୟାନ

Published By : Prameya-News7 Bureau | January 10, 2019 IST

ସମ୍ବଲପୁର ୧୦|୧: ସମ୍ବଲପୁରୀ ଆଲବମ୍ ଅଭିନେତ୍ରୀ ସିମରନଙ୍କ ମୃତ୍ୟୁ ଘଟଣା ଏବେ ଭିନ୍ନ ମୋଡ ନେଇଛି । ସିମରନଙ୍କ ବାପାଙ୍କ ଅଭିଯୋଗ ଆଧାରରେ ହତ୍ୟା ମାମଲା ରୁଜୁ କରିଛି ବୁର୍ଲା ପୋଲିସ । ୩୦୨ ଦଫାରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ଏସଡିପିଓ ନିଜେ ଘଟଣାର ତଦନ୍ତ ଅନୁଧ୍ୟାନ କରୁଛନ୍ତି । ଗିରଫ ହୋଇଥିବା ସିମରନଙ୍କ ପୁରୁଷ ବନ୍ଧୁ ଧ୍ରୁବରାଜ ସୁନାଙ୍କୁ ରିମାଣ୍ଡରେ ଆଣି ଅଧିକ ଜେରା କରିବାକୁ ପୋଲିସ ପ୍ରକ୍ରିୟା ଆରମ୍ଭ କରିଛି । ଏହାସହ ଏତଲାରେ ସିମରନଙ୍କ ବାପା ଯେଉଁମାନଙ୍କ ନାଁରେ ଅଭିଯୋଗ କରିଛନ୍ତି ସେମାନଙ୍କୁ ମଧ୍ୟ ଜେରା କରିବ ପୋଲିସ ।

{"id":72442}

ସିମରନଙ୍କୁ ଅପହରଣ କରି ନେଇଥିବା ଅଭିଯୋଗରେ ଝାରସୁଗୁଡା ପୋଲିସ ପୁରୁଷ ବନ୍ଧୁ ଧ୍ରୁବରାଜ ସୁନାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପୋଲିସ ଅଭିଯୁକ୍ତ ଧ୍ରୁବରାଜ ବିରୋଧରେ ଆଇପିସିର ୩୬୬, ୩୭୬ ଧାରା ଏବଂ ସିମରନ ନାବାଳିକା ଥିବାରୁ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ଗିରଫ କରିଥିଲା । ଧ୍ରୁବ ସିମରନଙ୍କୁ ବିବାହ କରିଥିବା ବେଲପଡା ପୋଲିସ ଆଗରେ ସ୍ବୀକାର ମଧ୍ୟ କରିଥିଲେ । ମୁଣ୍ଡରେ ପଥର ମାଡ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ପୋଷ୍ଟ ମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି । ସିମରନଙ୍କ ମୁଣ୍ଡ ଏବଂ ଛାତିରେ ଆଘାତ ଥିବା ପୋଷ୍ଟ ମର୍ଟମ ରିପୋର୍ଟରେ ଜଣାପଡିଛି ।

{"id":72222}

ଗତ ୩ ତାରିଖ ଦିନ ସମ୍ବଲପୁର ସ୍ଥିତ ବୁର୍ଲା ପାୱାର ଚାନେଲ ବ୍ରିଜ ତଳୁ ସିମରନଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ହୀରାକୁଦ ପୋଲିସ ଉଦ୍ଧାର କରିଥିଲା । ସିମରନଙ୍କ ଫୋନ ଜବତ ହେବାପରେ ବିଭିନ୍ନ ଗୁମର ଖୋଲିବାରେ ଲାଗିଥିଲା । ତାଙ୍କ ଫୋନ୍ ରୁ ଭଏସ ରେକର୍ଡିଂ ମଧ୍ୟ ପୋଲିସ ଜବତ କରିଥିଲା । ଯାହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ସିମରନଙ୍କ ନିଜ ଘର ଝାରସୁଗୁଡା ନିକଟସ୍ଥ ଭୂଲିୟାଟିକ୍ରାରେ । ତାଙ୍କୁ ବୟସ ମାତ୍ର ୧୭ ବର୍ଷ ହୋଇଥିଲା ।

{"id":72444}

ତେବେ ସିମରନଙ୍କ ମୃତ୍ୟୁ ପରଠୁ ବୁର୍ଲା ପୋଲିସ ପକ୍ଷରୁ କୌଣସି ତଦନ୍ତ ନହେବା ଏବଂ ଡିସେମ୍ବର ୨୮ରେ ସିମରନ ଝାରସୁଗୁଡାରେ ଏତଲା ଦେବାପରେ ଜିଲ୍ଲା ଶିଶୁ ସୁରକ୍ଷା ସମିତିକୁ ପୋଲିସ ନଜଣାଇବା ଆଦି ବିଭିନ୍ନ ଅବହେଳା ପ୍ରସଙ୍ଗ ଉଠିଥିଲା । ପୋଲିସର ଅବହେଳା ସମ୍ପର୍କରେ ସୋସିଆଲ ମିଡିଆରେ ମଧ୍ୟ ବିଶେଷ ଚର୍ଚ୍ଚା ହୋଇ ଆସୁଛି । ଆଜି ସମ୍ବଲପୁର ଡିଆଇଜି ଏହି ଅବହେଳାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅପରପକ୍ଷରେ ଆଜିପର୍ଯ୍ୟନ୍ତ ବୁର୍ଲା ପୋଲିସ ପକ୍ଷରୁ ମଧ୍ୟ କୌଣସି ର୍ଯ୍ୟାନୁଷ୍ଠାନ ହୋଇନଥିଲା । ଆଜି ଡିଆଇଜିଙ୍କ ନିର୍ଦ୍ଦେଶ ପରେ ବୁର୍ଲା ପୋଲିସର ନିଦ ଭାଙ୍ଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.