ଏଥର ବବ୍ଲୀଙ୍କ ବଣ୍ଟି ଚେଞ୍ଜ୍… ୧୧ ବର୍ଷ ପରେ ରାନୀଙ୍କ ସହ ସୈଫ୍
19/12/2019 at 11:54 AM

ମୁମ୍ବାଇ୧୯|୧୨: ୟଶରାଜ ଫିଲ୍ମ ନିଜର ବହୁ ପ୍ରତିକ୍ଷୀତ ଫିଲ୍ମ ‘ବଣ୍ଟି ଓ ବବ୍ଲି ୨’ର ଫାଇନାଲ ଷ୍ଟାରକାଷ୍ଟର ଘୋଷଣା କରିଛି। ‘ବଣ୍ଟି ଓ ବବ୍ଲି ୨’ ଚଳଚ୍ଚିତ୍ରରେ ହିଟ୍ ଯୋଡି ସୈଫ ଅଲୀ ଖାନ ଓ ରାନୀ ମୁଖର୍ଜ୍ଜୀ ଅଭିନୟ କରିବେ। ଦର୍ଶକ ଏହି ଯୋଡିକୁ ଏକା ସହ ଦେଖିବା ପାଇଁ ବେଶ ଉତ୍ସାହିତ ଅଛନ୍ତି।

ସୂଚନାଯୋଗ୍ୟ ଯେ, ଅଭିନେତ୍ରୀ ରାନୀ ଓ ଅଭିନେତା ସୈଫ ପାଖାପାଖି ୧୧ ବର୍ଷ ପରେ ଏକା ସହ ଅଭିନୟ କରିବେ। ଏହି ଫିଲ୍ମରେ ସୈଫ ଓ ରାନୀଙ୍କ ବ୍ୟତୀତ ଅଭିନେତା ସିଦ୍ଧାନ୍ତ ଚର୍ତୁବେଦୀ ଓ ଅଭିନେତ୍ରୀ ଶରଭରୀ ମୁଖ୍ୟ ଭୂମିକାରେ ଅଭିନୟ କରିବେ।

୨୦୦୮ ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘ଥୋଡା ପ୍ୟାର ଥୋଡା ମ୍ୟାଜିକ୍’ରେ ଉଭୟ ଶେଷ ଥର ପାଇଁ ଏକା ସହ ଅଭନୟ କରିଥିଲେ। ୨୦୦୫ ମସିହାରେ ରିଲିଜ ହୋଇଥିବା ଫିଲ୍ମ ବଣ୍ଟି ଓର ବବ୍ଲୀର ସିକ୍ବାଲ ଅନେକ ଦିନରୁ ଚର୍ଚ୍ଚାରେ ଥିଲା। ହେଲେ ଏବେ ଫିଲ୍ମର ଷ୍ଟାରକାଷ୍ଟକୁ ନେଇ ନିଷ୍ପତ୍ତି ନିଆଯାଇଛି।

ବରୁଣ ଶର୍ମା ଫିଲ୍ମର ନିର୍ଦ୍ଦେଶନା କରିବେ। ଏହା ପୂର୍ବରୁ ବରୁଣ ସୁଲତାନ, ଟାଇଗର ଜିନ୍ଦା ହୈ ଭଳି ବ୍ଲକବଷ୍ଟର ଫିଲ୍ମରେ ସହଯୋଗୀ ନିର୍ଦ୍ଦେଶକ ଭାବେ କାମ କରିଥିଲେ। ଫିଲ୍ମରେ ଅନେକ ଟୁଇଷ୍ଟ ରହିଛି ବୋଲି ଶୁଣିବାକୁ ମିଳୁଛି। ସୈଫ୍ ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି ଯେ, ଫିଲ୍ମର ସ୍କ୍ରିପ୍ଟ ପଢି ସେ ତୁରନ୍ତ ଅଫରକୁ ଗ୍ରହଣ କରିଥିଲେ। ଏହା ସହ ସେ କହିଛନ୍ତି ଯେ, ରାନୀଙ୍କ ସହ କାମ କରିବାକୁ ସେ ବହୁତ ଭଲ ପାଆନ୍ତି।

ଆଦିତ୍ୟ ଚୋପଡା ବ୍ୟାନରରେ ଏହି ଫିଲ୍ମଟି ରିଲିଜ ହେବ। ରାନୀଙ୍କ କହିବା ଅନୁସାରେ ଫିଲ୍ମ ବଣ୍ଟି ଓର ବବ୍ଲୀକୁ ଦର୍ଶକ ବହୁତ ପସନ୍ଦ କରିଥିଲେ। ସେଥିପାଇଁ ୟଶରାଜ ଫିଲ୍ମ ଏହାର ସିକ୍ବାଲ ତିଆରି କରିବାକୁ ନିଷ୍ପତ୍ତି ନେଇଛି। ପ୍ରଥମ ପାର୍ଟ ଭଳି ଏହି ଫିଲ୍ମକୁ ମଧ୍ୟ ଦର୍ଶକଙ୍କର ଭଲ ପାଇବା ମିଳିବ ବୋଲି ସେ ଆଶା କରୁଛନ୍ତି।

ପ୍ରଥମେ ଏହି ଫିଲ୍ମ ପାଇଁ ଅଭିଷେକଙ୍କୁ ଅଫର ଦିଆଯାଇଥିଲା ହେଲେ କିଛି କାରଣ ଯୋଗୁଁ ସେ ଏହି ଫିଲ୍ମରେ ଅଭିନୟ କରିବେ ନାହିଁ। ଅଭିଷେକଙ୍କୁ ବହୁତ ମିସ୍ କରିବେ ବୋଲି ରାନୀ କହିଛନ୍ତି କିନ୍ତୁ ସୈଫଙ୍କ ସହ ପୁଣି ଥରେ କାମ କରିବାକୁ ସେ ବେଶ ଉତ୍ସାହିତ ଅଛନ୍ତି।