Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭୂତଳ ସୁଡଙ୍ଗ ନେଲା ୩ ଭାଇଙ୍କ ଜୀବନ

23/05/2020 at 8:17 PM

ଗଜପତି, ୨୩|୦୫:  ଗଜପତି ଜିଲ୍ଲା ଅଡ଼ବା ବିରିକୋଟ ଗାଁରେ ଅଘଟଣ । ଘର ଭିତରେ ଥିବା ଭୂତଳ ସୁଡ଼ଙ୍ଗ ନେଇଛି ୩ ଭାଇଙ୍କ ଜୀବନ । ସୁଡ଼ଙ୍ଗ ଭିତରକୁ ପଶିଥିବା ଜଣକ ପରେ ଜଣେ ୩ ଭାଇଙ୍କର ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ।

ଘର ଭିତରେ ସୁଡଙ୍ଗ । ଆଉ ଏହି ସୁଡଙ୍ଗ ନେଇଛି ୩ ଭାଇଙ୍କ ଜୀବନ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଅଡବା ବିରିକୋଟା ଗାଁରେ ।ମୃତକ ହଲେ ୩୫ ବର୍ଷୀୟ ବିକ୍ରମ ମାଝୀ, ୨୭ ବର୍ଷୀୟ ସଞ୍ଜିବ ମାଝୀ ଓ ୨୫ ବର୍ଷୀୟ ଜିତୁ ମାଝୀ । ମୃତକଙ୍କ ବାପା ଜୁଆନ ମାଝୀଙ୍କ କହିବା ଅନୁଯାୟୀ କାଲି ରାତି ପ୍ରାୟ ୯ ଟାରେ ଘର ଭିତରେ ଥିବା ଭୂତଳ ସୁଡଙ୍ଗ ଘରକୁ କିଛି ଜିନିଷ ଅଣିବାକୁ ପ୍ରଥମେ ସଞୀବ ଯାଇଥିଲେ । ତେବେ ସେ ସେଠାରେ ଅଚେତ ହୋଇପଡ଼ିଥିଲେ । ଏହାପରେ ଅନ୍ୟ ଜଣେ ପୁଅ ବିକ୍ରମ ଭିତରକୁ ଯାଇ ସେ ମଧ୍ୟ ଅଚେତ ହୋଇଯାଇଥିଲେ । ଦୁଇ ଭାଇ ଅଚେତ ହେବା ଦେଖି ସାନ ଭାଇ ଜିତୁ ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ସେ ମଧ୍ୟ ସମାନ ଢଙ୍ଗରେ ବେହୋସ ହୋଇଯାଇଥିଲେ । ଏହା ଦେଖି ଭଉଣୀ ତାରକା ମାଝୀ ମା ଓ ବାପାକୁ ଡାକପକାଇଥିଲେ । ବାପା ଜୁଆନ ମାଝୀ ଓ ପରିବାରର ଅନ୍ୟ ସଦସ୍ୟ ରଶି ସାହାଯ୍ୟରେ ସୁଡ଼ଙ୍ଗ ଘର ଭିତରୁ ୩ ଜଣଙ୍କୁ ବାହାର କରି ପ୍ରଥମେ ବିରିକୋଟ ମେଡ଼ିକାଲକୁ ନେଇଥିଲେ । ଏହା ପରେ ସମସ୍ତଙ୍କୁ ମୋହନା ମେଡ଼ିକାଲକୁ ଅଣାଯାଇଥିଲା । ସେଠାରେ ୩ ଭାଇଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । 

ଘଟଣା ଘଟିବାର ପ୍ରାୟ ୨ ଘଣ୍ଟା ପରେ ୩ ଭାଇଙ୍କୁ ମୋହନା ମେଡ଼ିକାଲକୁ ଅଣାଯାଇଥିଲା । ମେଡିକାଲକୁ ଆଣିବା ପୂର୍ବରୁ ୩ ଭାଇଙ୍କର ମୃତ୍ୟୁ ଘଟିଥିବା କହିଛନ୍ତି ଡାକ୍ତର । ଅଡ଼ବା ପୋଲିସ ମୃତଦେହ ଜବତ କରି ଘଟଣାର ଅଧିକ ତଦନ୍ତ କରୁଛି । ଘରେଥିବା ସୁଡ଼ଙ୍ଗ ଯାଞ୍ଚ କରିବା ସହ ତାହା କାହଁକି ଓ କେଉଁ ଉଦ୍ଦେଶ୍ୟରେ କରାଯାଇଥିଲା ସେ ସମ୍ପର୍କରେ ପଚରା ଉଚରା କରୁଛି । ଛୋଟିଆ ସୁଡ଼ଙ୍ଗ ହୋଇଥିବାରୁ ତିନି ଜଣଙ୍କର ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି । ମୃତଦେହ ବ୍ୟବଛେଦ ପାଇଁ ବ୍ରହ୍ମପୁର ଏମ୍‌କେସିଜିକୁ ପଠାଯାଇଛି ।

ଜୁଆନ ମାଝୀଙ୍କ ପରିବାରରେ ୬ ପୁଅ ଓ ୨ ଝିଅଙ୍କ ମଧ୍ୟରୁ ଚତୁର୍ଥ ପୁଅ ୧୦ ବର୍ଷ ତଳେ ବାହାର ରାଜ୍ୟକୁ କାମ କରିବାକୁ ଯାଇ ନିଖୋଜ ଅଛନ୍ତି । ଦ୍ବିତୀୟ ପୁଅ ପ୍ରତାପ ମାଝୀ ବାହାର ରାଜ୍ୟରୁ ଆସି ଏବେ କ୍ବାରାଣ୍ଟାଇନ କେନ୍ଦ୍ରରେ ଅଛନ୍ତି ।୩ ଭାଇଙ୍କ ଶୁଦ୍ଧ କ୍ରିୟା ପାଇଁ କ୍ବାରାଣ୍ଟାଇନ୍‌ରେ ଥିବା ଭାଇକୁ ଛାଡିବାକୁ ପ୍ରଶାସନକୁ ଅନୁରୋଧ କରିଥିବା କହିଛନ୍ତି ବଡଭାଇ କିଶୋର । ୩ ଭାଇଙ୍କ ଅକାଳ ମୃତ୍ୟୁକୁ ନେଇ ପରିବାର ଲୋକ ଦୁଃଖରେ ଭାଙ୍ଗିପଡିଛନ୍ତି । ଗାଁରେ ଏବେ ଶୋକାକୂଳ ପରିବେଶ । ୩ ପୁଅ ଚାଲିଗଲା ପରେ ସେମାନଙ୍କ ପିଲାଙ୍କ ଭବିଷ୍ୟତ ନେଇ ଚିନ୍ତାରେ ମା । 

   Related Posts