ବିରାଟ କୋହଲିଙ୍କୁ ପଛରେ ପକାଇଲେ ଯଶପ୍ରୀତ ବୁମରା, ତୃତୀୟରେ ରବୀନ୍ଦ୍ର ଜାଡେଜା

Published By : Prameya-News7 Bureau | December 26, 2020 IST

ନୂଆଦିଲ୍ଲୀ ୨୬।୧୨: କଣ ଆପଣ କଳ୍ପନା କରି ପାରିବେ କି କୌଣସି ଖେଳାଳି ଆୟ ମାମଲାରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ମାତ୍ ଦେଇ ପାରିବେ ? ଏମିତି ବା କିଏ ଚିନ୍ତା କରିବ। କିନ୍ତୁ ଏହା ସତ କଥା। ବିସିସିଆଇଠୁ ମିଳିବାକୁ ଥିବା ବାର୍ଷିକ ଆୟ ମାମଲାରେ ମେଲବୋର୍ଣ୍ଣ ଟେଷ୍ଟର ପ୍ରଥମ ଦିନରେ ୪ ଓ୍ଵିକେଟ୍ ନେଇଥିବା ଯଶପ୍ରୀତ ବୁମରା କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି। ନିୟମିତ ଅଧିନାୟକଙ୍କ ଅନୁପସ୍ଥିତିରେ ଭାରତ ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ବକ୍ସି ଡେ ଟେଷ୍ଟ ଖେଳୁଛି।

ଯଶପ୍ରୀତ ବୁମରା ୨୦୨୦ ଆରମ୍ଭରେ ସଂପୂର୍ଣ୍ଣ ଫିଟ୍ ହୋଇ ଶ୍ରୀଲଙ୍କା ଗସ୍ତରେ ଦଳକୁ ପ୍ରବ୍ୟାବର୍ତ୍ତନ କରିଥିଲେ। ଚଳିତ ବର୍ଷ ବୁମରା ପ୍ରାୟ ସବୁ ଫର୍ମାଟ୍‌ରେ କ୍ରିକେଟ୍ ଖେଳିଛନ୍ତି। ବୁମରା ୯ ଦିନିକିଆ, ୮ ଟି-୨୦ ଓ ୪ ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି। ଏହି ବାବଦରେ ସେ ବିସିସିଆଇଠୁ ୨୦୨୦ ବର୍ଷ ପାଇଁ ପ୍ରାୟ ୧.୩୮ କୋଟି ଟଙ୍କା ପାଇଛନ୍ତି। ଏହି ତାଲିକାରେ ଭାରତୀୟ ଅଧିନାୟକ ବିରାଟ କୋହଲି ଦ୍ଵିତୀୟରେ ରହିଛନ୍ତି।

ବିରାଟ କୋହଲିଙ୍କୁ ଚଳିତ ବର୍ଷ ୨୦୨୦ ପାଇଁ ବୋର୍ଡଠୁ ୧.୨୯ କୋଟି ଟଙ୍କା ମିଳିଛି। ବିରାଟ ଚଳିତ ବର୍ଷ ୩ ଟେଷ୍ଟ, ୯ ଦିନିକିଆ ଓ ୧୦ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଯଦି ବିରାଟ ଚଳିତ ସିରିଜ୍‌ର ଅବଶିଷ୍ଟ ମ୍ୟାଚ୍ ଖେଳିଥାନ୍ତେ ତେବେ ସହଜରେ ପ୍ରଥମ ସ୍ଥାନରେ ଥାନ୍ତେ। ମାତ୍ର ଆସନ୍ନ ପ୍ରସବା ପତ୍ନୀ ଅନୁଷ୍କା ଶର୍ମାଙ୍କ ସହିତ ରହିବା ପାଇଁ ସେ ସ୍ଵଦେଶ ଫେରିଛନ୍ତି। ତୃତୀୟ ସ୍ଥାନରେ ଅଛନ୍ତି ରବୀନ୍ଦ୍ର ଜାଡେଜା। ଜାଡେଜା ଚଳିତ ବର୍ଷ ଭାରତ ପାଇଁ ୨ଟି ଟେଷ୍ଟ, ୯ ଦିନିକିଆ ଓ ୪ ଟି-୨୦ ମ୍ୟାଚ୍ ଖେଳିଛନ୍ତି।

ବିସିସିଆଇ ନିୟମ ଅନୁଯାୟୀ ପ୍ରତି ଭାରତୀୟ ଖେଳାଳିଙ୍କୁ ଗୋଟିଏ ଟେଷ୍ଟ ମ୍ୟାଚ୍‌ ପାଇଁ ୧୫ ଲକ୍ଷ ଟଙ୍କା ମିଳିଥାଏ। ପ୍ରତି ଦିନିକିଆ ପାଇଁ ୬ ଲକ୍ଷ ଏବଂ ପ୍ରତି ଟି-୨୦  ମ୍ୟାଚ୍‌ ପାଇଁ ୩ ଲକ୍ଷ ଟଙ୍କା ମିଳିଥାଏ। ଉଲ୍ଲେଖଯୋଗ୍ୟ, ଏହି ଟଙ୍କା ବାର୍ଷିକ ଅନୁବନ୍ଧରୁ ଅଲଗା ଦିଆଯାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.