ୟୁପି ଜିଲ୍ଲା ପଞ୍ଚାୟତ ସଭାପତି ନିର୍ବାଚନ: ବିଜେପିର ବିପୁଳ ବିଜୟ, ୭୫ରୁ ପୋଛିନେଲା ୬୫ଟି ସିଟ୍, ବିରୋଧୀ ଚିତପଟାଙ୍ଗ

Published By : Prameya-News7 Bureau | July 03, 2021 IST

ଲକ୍ଷ୍ନୌ ୦୩।୦୭: ଉତ୍ତର ପ୍ରଦେଶ ଜିଲ୍ଲା ପଞ୍ଚାୟତ ସଭାପତି ପଦ ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ବିଜେପି) ବିପୁଳ ବିଜୟ ହାସଲ କରିଛି।  ବିଜେପି ୭୫ ଆସନରୁ ୬୫ ସିଟ୍ ପୋଛି ନେଇଛି। ଅନ୍ୟପଟେ ସମାଜବାଦ ପାର୍ଟିକୁ ମାତ୍ର ୬ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଛି। ଅନ୍ୟ ଖାତାକୁ ୪ଟି ଆସନ ଯାଇଛି। ୨୨ଜିଲ୍ଲାରେ ନିର୍ଦ୍ଵନ୍ଦରେ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଏଥିରୁ ୨୧ ସିଟ୍ ବିଜେପି ଖାତାକୁ ଏବଂ ଗୋଟିଏ ସମାଜବାଦ ପାର୍ଟି ଖାତାକୁ ଯାଇଛି। ୫୩ଟି ଆସନରେ ନିର୍ବାଚନ ହୋଇଥିଲା, ଯାହାର ପରିଣାମ ଶନିବାର ଘୋଷଣା କରାଯାଇଛି। ୨୦୨୨ ମାର୍ଚ୍ଚରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଜିଲ୍ଲା ପଞ୍ଚାୟତ ସଭାପତି ନିର୍ବାଚନରେ ମିଳିଥିବା ସଫଳତା ବିଜେପି ପାଇଁ ସଞ୍ଜୀବନିର କାମ କରିପାରେ। ଏଥିସହ ବିରୋଧୀ ସମାଜବାଦ ପାର୍ଟିକୁ ଆହୁରି ପରିଶ୍ରମ କରିବାର ଆବଶ୍ୟକତା ରହିଛି।

ଉତ୍ତର ପ୍ରଦେଶରେ ଏହି ୫୩ଟି ଆସନ ପାଇଁ ଶନିବାର ମତଦାନ ହୋଇଥିଲା। ଏଥିରୁ ଅଧିକାଂଶ ଆସନରେ ବିଜେପି ଓ ଏସପି ମୁହାଁମୁହିଁ ହୋଇଥିଲେ। ହେଲେ ବିଜେପି ଏସପିକୁ ଜୋରଦାର ଝଟକା ଦେଇ ଏକତରଫା ବିଜୟ ହାସଲ କରିଛି। ଏଥିରୁ ୩୭ ଜିଲ୍ଲା ପଞ୍ଚାୟତ ସିଟ୍ ଏମିତି ଥିଲା, ଯେଉଁଠି କେବଳ ଦୁଇ ଦୁଇ ଜଣ ପ୍ରାର୍ଥୀ ମଇଦାନରେ ଥିଲେ। ଦୁଇ ଦଳର ପ୍ରାର୍ଥୀ ବିଜୟ ପାଇଁ ଯଥା ସମ୍ଭବ ଉଦ୍ୟମ କରିଥିଲେ ହେଁ, ଶେଷରେ ବିଜେପି ବାଜି ମାରି ନେଇଛି ଏବଂ ଏସପିକୁ ଛଅଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଛି।  ନିର୍ଦ୍ଵନ୍ଦ ନିର୍ବାଚନ ପରେ ମଧ୍ୟ ନିର୍ବାଚନ ହୋଇଥିବା ୫୩ ଆସନରୁ ବିଜେପି ୪୪ଟିରେ ବିଜୟୀ ହୋଇଥିବା ବେଳେ ଏସପି ୫ଟିରେ ବିଜୟୀ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.