Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବଡଦାଣ୍ଡ ଲଙ୍ଗୁଳି ମଠରେ ବୁଲିଲା ବୁଲଡୋଜର : ବିନା ଥଇଥାନରେ ପଦକ୍ଷେପକୁ ବିରୋଧ

27/08/2019 at 9:40 AM

ପୁରୀ ୨୭|୮: ବଡଦାଣ୍ଡରେ ଥିବା ଲଙ୍ଗୁଳି ମଠ ଭଙ୍ଗା ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିସହ ଆଜିଠାରୁ ଶ୍ରୀମନ୍ଦିରଠାରୁ ୭୫ ମିଟର ପର୍ଯ୍ୟନ୍ତ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେଉଛି । ଶ୍ରୀମନ୍ଦିର ଚାରିପଟ ସୌନ୍ଦର୍ଯ୍ୟକରଣ ଓ ଶ୍ରୀକ୍ଷେତ୍ରର ନବକଳେବର ପାଇଁ ପୁରା ଦମରେ ଲାଗିପଡିଛି ପୁରୀ ଜିଲ୍ଲା ପ୍ରଶାସନ ।୪ ଜଣ ମାଜିଷ୍ଟ୍ରେଟ ଓ ପୋଲିସ ଫୋର୍ସ ସହିତ ଉଭୟ ଜିଲ୍ଲାପାଳ ଏବଂ ଏସପି ଆଇନ ଶୃଂଖଳା ଉପରେ ନଜର ରଖିଛନ୍ତି  ।

କ୍ୟାବିନେଟ ନିଷ୍ପତ୍ତି ଅନୁସାରେ ମେଘନାଦ ପାଚେରିର ଚାରିପାଖରେ ୭୫ମିଟର ପରିଧି ମଧ୍ୟରେ ଥିବା ସମସ୍ତ ନିର୍ମାଣ ଭାଙ୍ଗିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । ୭୫ ମିଟର ପରିଧି ମଧ୍ୟରେ ଲଙ୍ଗୁଳି ମଠ ଓ ୨୨ଟି ଦୋକାନ ଘର ରହିଛି । ତେବେ ବିନା ଥଇଥାନରେ ପ୍ରଶାସନର ଏଭଳି ପଦକ୍ଷେପକୁ ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା ଓ ବ୍ୟବସାୟୀ । ଉଚ୍ଛେଦ କରାଯାଉଥିବା ମଠ ଓ ଦୋକାନୀମାନଙ୍କୁ ଥଇଥାନ କରାଯିବ ବୋଲି କହିଛନ୍ତି ଜିଲ୍ଳାପାଳ ।

ସେହିଭଳି ମଠର ମନ୍ଦିରକୁ ଭଙ୍ଗାନଯାଇ ମହନ୍ତଙ୍କ ରହିବା ପାଇଁ ବ୍ୟବସ୍ଥା କରାଯିବ । ବର୍ତ୍ତମାନ ଉଚ୍ଛେଦ ପ୍ରକ୍ରିୟା ଭିତରୁ ଆସିଥିବା ଲଙ୍ଗୁଳି ମଠ ଓ ଏମାର ମଠର କିଛି ଅଂଶକୁ ପୂର୍ବରୁ ବିପଦସଂକୂଳ ଘୋଷଣା କରାଯାଇଥିଲା । ଏମାର ମଠର ପ୍ରଥମ ମହଲାରେ ଥିବା ରଘୁନନ୍ଦନ ପାଠାଗାରକୁ ମଧ୍ୟ ସ୍ଥାନାନ୍ତର କରାଯିବ ।

ସେହିଭଳି ବର୍ଷ ବର୍ଷ ଧରି ବଡ଼ ଆଖଡ଼ା ମଠଘରେ ଚାଲିଥିବା ସିଂହଦ୍ବାର ଥାନାକୁ ଅସ୍ଥାୟୀ ଭାବେ ଟାଉନଥାନାକୁ ସ୍ଥାନାନ୍ତର ଯୋଜନା କରାଯାଇଛି । ଗତ ସପ୍ତାହରେ ମେଘନାଦ ପାଚେରିକୁ ଲାଗି ଅବରୋଧ  ମୁକ୍ତ ଓ ସିପସରୁବାଲି ଅଞ୍ଚଳରେ ଜବରଦଖଲ ଉଚ୍ଛେଦହୋଇଥିଲା । ପୁରୀ ସହରର ଚିତ୍ର ସଂପୂର୍ଣ୍ଣ ବଦଳାଇବା ଲାଗି ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି ।

   Related Posts