ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଅତି ଭୀଷଣ ଘୂର୍ଣ୍ଣିଝଡରେ ପରିଣତ ହେବା ପରେ ଦୁର୍ବଳ ହେବ
6/11/2019 at 6:33 PM

ଭୁବନେଶ୍ୱର, ୬/୧୧ : ବୁଧବାର ଅପରାହ୍ନରେ ବଙ୍ଗୋପ ସାଗରରେ ଘନୀଭୂତ ହୋଇଥିବା ଅବପାତ ପୁରୀର ଦକ୍ଷିଣ-ଦକ୍ଷିଣପୂର୍ବ ୮୧୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି ।ଆସନ୍ତା ୨୪ ଘଂଟା ମଧ୍ୟରେ ଘୂର୍ଣ୍ଣିଝଡରେ ପରିଣତ ହୋଇପାରେ। ଏହା ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇ ନଭେମ୍ବର ୧୨ ତାରିଖ ସୁଦ୍ଧା ଦୁର୍ବଳ ହେବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ତେବେ ୪୮ ଘଂଟା ମଧ୍ୟରେ ଏହା ପ୍ରଚଣ୍ଡ ଘୂର୍ଣ୍ଣିଝଡରେ ପରିଣତ ହେବା ସହ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରୁ ଉତ୍ତର ଉତ୍ତରପଶ୍ଚିମ ଦିଗ ଆଡକୁ ମୁହାଁଇବାର ସମ୍ଭାବନା ପ୍ରାଥମିକ ଆକଳନରୁ ଜଣାପଡ଼ୁଛି ବୋଲି ସିଇସିର ନିର୍ଦ୍ଦେଶକ ଡଃ ଶରତ
ଚନ୍ଦ୍ର ସାହୁ କହିଛନ୍ତି।
ଏହା ନଭେମ୍ବର ୧୦ ତାରିଖ ସୁଦ୍ଧା ପୁରୀର ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗରୁ ୧୭୫ କିମି ଦୂରରେ ଘନୀଭୂତ ହେବ। ତେବେ
ସନ୍ଧ୍ୟା ସୁଦ୍ଧା ଏହା ଦୁର୍ବଳ ହେବ ଏବଂ ପୁରୀ ଓ ଜଗତସିଂହପୁର ଉପକୂଳରେ ନଭେମ୍ବର ୧୨ ସୁଦ୍ଧା ଦୁର୍ବଳ ହୋଇ ଅପସରି
ଯିବ ବୋଲି ସେ ସୂଚନା ଦେଇଛନ୍ତି ।
ଯଦି ଏହାର ଗତି ଏଭଳି ରୁହେ ତେବେ ନଭେମ୍ବର ୯ ରୁ ୧୧ ତାରିଖ ମଧ୍ୟରେ ଓଡ଼ିଶାର ଉପକୂଳ ଜିଲ୍ଲା ପୁରୀ,
ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଏବଂ କଟକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏପରିକି ଗୋଟିଏ ଦୁଇଟି
ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନାକୁ ଏଡ଼ାଇ ହେବ ନାହିଁ ବୋଲି ଡଃ ସାହୁ କହିଛନ୍ତି।
ଏହି ସମୟରେ ଭଦ୍ରକ, ବାଲେଶ୍ୱର, ଯାଜପୁର, ଢ଼େଙ୍କାନାଳ, ଅନୁଗୁଳ, ମୟୂରଭଞ୍ଜ, କେନ୍ଦୁଝର, ନୟାଗଡ ଏବଂ ଗଞ୍ଜାମରେ
ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ନଭେମ୍ବର ୭ ତାରିଖରୁ ସାମାନ୍ୟ ବର୍ଷା ଆରମ୍ଭ ହେବାର ସମ୍ଭାବନା ରହିଥିବା ବେଳେ ଉପକୂଳ ଜିଲ୍ଲା ଗୁଡ଼ିକରେ ନଭେମ୍ବର
୮ ତାରିଖରୁ ମଧ୍ୟମ ଧରଣର ବର୍ଷା ହେବାର ଆକଳନ କରାଯାଉଛି।
ସେହିପରି ନଭେମ୍ବର ୧୨ ଓ ୧୩ ତାରିଖରେ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ଥିବା ବେଳେ
ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟ ଜିଲ୍ଲା ଗୁଡ଼ିକରେ ନଭେମ୍ବର ୮ ରୁ ୧୩ ତାରିଖ
ମଧ୍ୟରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।
ନଭେମ୍ବର ୧୦ ତାରିଖରେ ଉପକୂଳ ପୁରୀ, ଜଗତିସିଂହପୁର, କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲ୍ଲାରେ ପବନର ବେଗ ଘଂଟା ପ୍ରତି
୭୫ରୁ ୧୦୦କିମି ରହିବାର ସମ୍ଭାବନା ଥିବା ବେଳେ ନଭେମ୍ବର ୧୧ ତାରିଖରେ ୫୦ରୁ ୭୫ କିମି ରହିପାରେ ବୋଲି ଡଃ
ସାହୁ କହିଛନ୍ତି।