ଭାଇ ବାହାଘରରେ ଧୁମ୍ ନାଚିଥିଲେ ତହସିଲଦାର ବୁଲ୍‌ବୁଲ୍, ଏବେ ନିଲମ୍ବିତ ହେଲେ

Published By : Prameya-News7 Bureau | June 19, 2021 IST

ସୁକିନ୍ଦା,୧୯/୦୬: ନିଜ ଭାଇ ବିବାହ ଉତ୍ସବରେ ନାଗିନ୍‌ ଡ୍ୟାନ୍ସ କରିବା ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରାଙ୍କ ପାଇଁ ମହଙ୍ଗା ପଡ଼ିଛି । ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ କୋଭିଡ୍‌ କଟକଣାକୁ ଫୁ କରି ଏପରି ବିଶୃଙ୍ଖଳିତ କାର୍ଯ୍ୟକଳାପ ପାଇଁ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିବା ଜଣା ପଡିଛି ।

ଗତ ମେ ୨୧ତାରିଖ ଦିନ ଭାଇ ବାହାଘରରେ ନାଗିନ୍‌ ଡ୍ୟାନ୍ସ କରି ତହସିଲଦାର ଶ୍ରୀମତୀ ବେହେରା ସମଗ୍ର ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲିଟିଥିଲେ । କୋଭିଡ୍‌ କଟକଣାକୁ ଫୁ କରି ୭୦ରୁ ୮୦ ବରଯାତ୍ରୀଙ୍କୁ ନେଇ ଜଗତସିଂହପୁର ଜିଲ୍ଲା ଜଗନ୍ନାଥପୁର ଗ୍ରାମରେ ରାତ୍ର ବେଳା ଶୋଭାଯାତ୍ରା କରି ରାଜରାସ୍ତାରେ ବାଦ୍ୟର ତାଳେ ତାଳେ ନାଗିନ୍‌ ଡ୍ୟାନ୍‌ସ ପରିବେଷଣ କରିଥିଲେ । ଯାହାକୁ ନେଇ ଗତ ମେ ୨୩ ତାରିଖ ଦିନ ସ୍ଥାନୀୟ ସରପଞ୍ଚ ସିଲାରାଣୀ ଖଣ୍ଡୁଆଳଙ୍କ ଏତଲା କ୍ରମେ ତିର୍ତ୍ତୋଲ ପୁଲିସ ମହାମାରି ଆଇନର ଧାରା ୩ ଓ ୫୧ ବିପର୍ଯ୍ୟୟ ପରିଚାଳନା ଧାରା ଭଳି ସଂଗୀନ ମାମଲା ରୁଜୁ କରିଥିଲା ।

ପରେ ଘଟଣାକୁ ନେଇ ମାନବାଧିକାର କମିସନ ପକ୍ଷରୁ ଚଳିତ ମାସ ୭ ତାରିଖ ଜଗତସିଂପୁର ଜିଲ୍ଲାପାଳଙ୍କୁ ସୁକିନ୍ଦା ତହସିଲଦାର ଶ୍ରୀମତୀ ବେହେରା କରିଥିବା କୋଭିଡ୍‌ କଟକଣା ଉଲ୍ଲଂଘନ ଓ ସର୍ବସାଧାରଣରେ ଉତ୍ସବ ପାଳନ କରି ନୃତ୍ୟ କରିବା ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଯାହା ଉପରେ ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.