ଦୂରେଇ ଗଲା ହେଲେ ଦାଉ ସାଧିଲା ବୁଲବୁଲ୍ - ରାଜ୍ୟର ଏହି ଜିଲ୍ଲାମାନଙ୍କରେ ପଡିଲା ପ୍ରଭାବ

Published By : Prameya-News7 Bureau | November 09, 2019 IST

ଭୁବନେଶ୍ୱର ୦୯।୧୧ - ଓଡ଼ିଶା ଉପକୂଳରୁ ଦୂରେଇ ପଶ୍ଚିମବଙ୍ଗ ଓ ବାଂଲାଦେଶ ମଝିରେ ଥିବା ସୁନ୍ଦରବନ ମୁହାଁ ହୋଇଛି ବାତ୍ୟା ବୁଲବୁଲ୍ । ଆଉ ୨/୪ଘଣ୍ଟା ଭିତରେ ରାଜ୍ୟର ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ପବନ ବର୍ଷା ଧୀରେ ଧୀରେ କମିଯିବ । ବୁଲବୁଲ୍‌ ପ୍ରଭାବରେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଭଳି ୪ଟି ଜିଲ୍ଲାର ୬ଟି ବ୍ଲକରେ ବର୍ଷା ଓ ପବନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି । …..

{"id":181555}

ଭାଙ୍ଗିଲା, ଉପାଡ଼ିଲା, ଫୋପାଡ଼ିଲା । ଦୂରରେ ଥାଇ ବି ପ୍ରଭାବ ଦେଖାଇଲା ବାତ୍ୟା ବୁଲବୁଲ । ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଭଳି ୪ଟି ଜିଲ୍ଲାର ୬ଟି ବ୍ଲକରେ ବର୍ଷା ଓ ପବନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏ ହେଉଛି କେନ୍ଦ୍ରାପଡ଼ାରରେ  ବାତ୍ୟା ପ୍ରଭାବ ଭିତରେ ଫସିଯାଇଥିବା ଜଣେ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଓଡ୍ରାଫ ଟିମ୍‌।  ବାଲେଶ୍ବର ଭଦ୍ରକ, ପାରାଦୀପ, କେନ୍ଦ୍ରାପଡ଼ାର ବିଭିନ୍ନ ସ୍ଥାରେ ବାତ୍ୟାର ପ୍ରଭାବ ପଡ଼ିଥିବା ବେଳେ ଏନଡିଆରଏଏଫ ଓ ଓଡ୍ରାଫ ଟିମ୍ ତୁରନ୍ତ କାର୍ଯ୍ୟରେ ଲାଗିଛନ୍ତି।

{"id":181556}

 ବାଲେଶ୍ବର ଜିଲ୍ଲାରେ ବାତ୍ୟାର ପ୍ରଭାବ ବିଶେଷ ଭାବେ ପଡ଼ିଛି।  ବାତ୍ୟା ବୁଲବୁଲ ବାଂଲାଦେଶ ଆଡକୁ ମୁହାଁଥିବା ବେଳେ ବାଲେଶ୍ବରର ଉପକୂଳବର୍ତ୍ତୀ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିବା ବେଳେ ଘରଦ୍ବାର ମଧ୍ୟ ଭାଙ୍ଗିଯାଇଛି। ବିଶେଷ କରି ବୁଲବୁଲର ମାଡ଼ ବେଶୀ ପଡ଼ିଛି ଚାଷୀଙ୍କ ଉପରେ। ଅମଳ ଧାନକୁ ଆଣ୍ଠୁଏ ପାଣିରେ ଶୁଆଇ ଦେଇଛି ବାତ୍ୟା।

{"id":181557}

ଭଦ୍ରକ ଜିଲ୍ଲାର  ବାସୁଦେବପୁର- ଧାମରା ରାସ୍ତାରେ ମାଟିରେ ଲୋଟିଛି ଶହ ଶହ ଗଛ । ଭଦ୍ରକ ଜିଲ୍ଲାରେ ସାରା ରାତି ଜାରି ରହିଥିଲା ପବନ ବର୍ଷା । ଧାମରା ବନ୍ଦର ନିକଟ କାଳିନାଳିରେ ଫସି ଯାଇଥିବା ୨ଟି ମାଛଧରା ବୋଟକୁ ଉଦ୍ଧାର କରିଥିଲା ପ୍ରଶାସନ ।  ଏଥିରେ ଯାଇଥିବା ୮ ମତ୍ସ୍ୟଜୀବୀଙ୍କୁ ମଧ୍ୟ ନିକଟରେ ଥିବା ଜଙ୍ଗଲରୁ ଉଦ୍ଧାର କରାଯାଇଛି ।  ରାତି ୨ଟାରୁ ବର୍ଷା ପବନ ଦେଖି  ନିକଟ ଜଙ୍ଗଲ ଭିତରକୁ ଦଉଡ଼ି ଯାଇ ଗଛ ଉପରେ ଆଶ୍ରୟ ନେଇଥିଲେ ଏହି ମତ୍ସ୍ୟଜୀବୀମାନେ । ବାର ଘଣ୍ଟା ପରେ ଅର୍ଥାତ୍‌ ଆଜି ଦିନ ୨ଟା ବେଳକୁ ସେମାନଙ୍କୁ ଉଦ୍ଧାର କରିଥିଲା ପ୍ରଶାସନ ।  ଆଉ ଇଏ ହେଉଛି ବାସୁଦେବପୁର, ଭଣ୍ଡାରିପୋଖରୀ ଭଳି ଭିଭିନ୍ନ ଅଂଚଳରେ ଚିତ୍ର ।  ଉପୁଡ଼ି ପଡ଼ିଛି ଗଛ । ଭାଙ୍ଗିପଡ଼ିଛି ବିଦ୍ୟୁତ୍‌ ଖୁଣ୍ଟ ଓ ଟ୍ରାନସଫରମର । ପବନ କମିବା ପରେ ଓଡ୍ରାଫ୍‌ ଟିମ୍‌ ସହ ସ୍ଥାନୀୟ ଲୋକେ ଗଛକାଟି ରାସ୍ତା ସଫା କରିବାକୁ ଚେଷ୍ଟା କରିଥିଲେ ।  ଅନେକ ଯାଗାରେ ପବନ ଯୋଗୁଁ ଗଛ ପଡ଼ି କଚ୍ଚାଘରଗୁଡ଼ିକ ମଧ୍ୟ ଭାଙ୍ଗିଛି ।   

{"id":181558}

କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ  ମଧ୍ୟ ପ୍ରଭାବ ଦେଖାଇଛି ବାତ୍ୟା ବୁଲବୁଲ୍‌ । ଘର ଭାଙ୍ଗିଛି, ଗଛ ଉପାଡ଼ିଛି, ବିଦ୍ୟୁତ୍‌ ଖୁଣ୍ଟଗୁଡ଼ିକୁ ତଳେ ଶୁଆଇଦେଇଛି । ପବନ କମିବା ପରେ ରାଜନଗରରେ ସ୍ଥିତି ପରଖିବା ପାଇଁ ବୁଲିଥିଲେ ନିଜେ ଜିଲ୍ଲାପାଳ ସମର୍ଥ ବର୍ମା । ଗଛ କାଟି ରାସ୍ତା ସଫା କରାଯାଇଛି । ବିଜୁଳି ରେଷ୍ଟେରେସନ୍‌ କାମ ଆରମ୍ଭ ହୋଇଛି । ରାଜନଗର, ରାଜକନିକା ଓ ପଟ୍ଟାମୁଣ୍ଡାଇ ଅଂଚଳରେ ବହୁ ଗଛ ଭାଙ୍ଗିଥିବା ବେଳେ କିଛି ସ୍ଥାନରେ ଘର ଉପରେ ଗଛ ପଡ଼ିଥିବା ଜଣାପଡ଼ିଛି । ପରିସ୍ଥିତିକୁ ନଜରରେ ରଖି ୨ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଥିଲା ।

{"id":181559}

ଫୋନି ପୁରୀ ଜିଲ୍ଲାରେ ଲୋକଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିଲା। ଆଉ ଏବେ ବାଲେଶ୍ବର ଭଦ୍ରକରେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି ବୁଲବୁଲ।

{"id":181560}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.