ବୁଲନ୍ଦସହର ହିଂସାବେଳେ ପୋଲିସ ଅଧିକାରୀଙ୍କୁ ଗୁଳି କରିଥିଲେ ଜଣେ ସେନା କର୍ମଚାରୀ; ପୋଲିସ ହାତରେ ପ୍ରମାଣ

Published By : Prameya-News7 Bureau | December 07, 2018 IST

ବୁଲନ୍ଦସହର ହିଂସା ପରେ ଏସଆଇଟି ଏବଂ ଏସଟିଏଫ ଯାଞ୍ଚ ପରେ କିଛି ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି | ହିଂସାରେ ଜଣେ ପୋଲିସ ଅଧିକାରୀ ସହିଦ ହୋଇଥିଲେ | ସହିଦ ପୋଲିସ ଅଧିକାରୀ ସୁବୋଧ କୁମାରଙ୍କୁ ଜଣେ ସେନା କର୍ମଚାରୀ ଗୁଳି କରିଥିବା ଘଟଣା ସାମ୍ନାକୁ ଆସିଛି |


ସୂଚନାଯୋଗ୍ୟ ଯେ, ସେନା କର୍ମଚାରୀ ଜାମ୍ମୁରେ କାର୍ଯ୍ୟରତ ଥିଲେ | ହିଂସାବେଳେ ସେ ନିଜ ଗାଁକୁ ଛୁଟିରେ ଆସିଥିଲେ | ସେନା କର୍ମଚାରୀ ପୋଲିସ ଅଧିକାରୀଙ୍କୁ ନିଜ ଅବୈଧ ପିସ୍ତଲରୁ ଗୁଳି କରିଥିଲେ | ଘଟଣା ପରେ ସେନା କର୍ମଚାରୀ ପୁଣି ଜାମ୍ମୁ ନିଜ କାର୍ଯ୍ୟସ୍ଥଳକୁ ଫେରିଯାଇଛି |


ଯାଞ୍ଚ ବେଳେ ପୋଲିସକୁ ଘଟଣାର ଏକ ଭିଡିଓ ମିଳିଥିଲା | ସେନା କର୍ମଚାରୀ ଗୁଳି ଚଳାଉଥିବା ଏହି ଭିଡିଓରେ ଦେଖିବାକୁ ମିଳିଥିଲା | ଭିଡିଓ ଆଧାରରେ ପୋଲିସ ପ୍ରଶାସନ ଅଧିକାରୀ ଜାମ୍ମୁର ସେନାକର୍ମଚାରୀଙ୍କ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ | ଗୁଳି ଚଳାଇଥିବା ସେନା କର୍ମଚାରୀକୁ ଗିରଫ କରିବା ପାଇଁ ବୁଲନ୍ଦସହର ପୋଲିସ ଜାମ୍ମୁକୁ ଯାଇଛନ୍ତି |


ସୂଚନାଯୋଗ୍ୟ ଯେ, ବୁଲନ୍ଦସହରର ସ୍ୟାନା ଥାନା ଚିଙ୍ଗରାବଠି ଚଉକିରେ ଗୋକସିକୁ ନେଇ ସୋମବାର ଦିନ ହିଂସା ଦେଖିବାକୁ ମିଳିଥିଲା | ହିଂସାରେ ଥାନା ଅଧିକାରୀ ସୁବୋଧ କୁମାର ଏବଂ ତାଙ୍କର ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା | ହିଂସା ବେଳେ ବୁଲନ୍ଦସହରରେ ପାଖାପାଖି ୧୫ ଲକ୍ଷ ଲୋକ ଉପସ୍ଥିତ ଥିଲେ | ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦେଶକ୍ରମେ ଏସଟିଏଫ, କ୍ରାଇମବ୍ରାଞ୍ଚ, ଏସଆଇଟି, ଏଡିଜି ଏବଂ ବୁଲନ୍ଦସହର ପୋଲିସ ଘଟଣାର ତଦନ୍ତ କରୁଛନ୍ତି |
ପୋଲିସ ଏହି ଘଟଣାରେ ୨୭ ଜଣଙ୍କ ନାଁରେ ମାମଲା ରୁଜ୍ଜୁ କରିବା ସହ ୨୫୦-୩୦୦ ଜଣଙ୍କ ନାଁରେ ଅଭିଯୋଗ କରିଛି | ମାମଲାରେ ଜଣେ ସେନା ଅଧିକାରୀଙ୍କ ନାଁ ମଧ୍ୟ ସାମିଲ ରହିଛି | ତେବେ ବୁଲନ୍ଦସହର ହିଂସାର ମାଷ୍ଟରମାଇଂଡ କିଏ ଏବଂ ଘଟଣାରେ କିଏ କିଏ ଜଡିତ ସେନେଇ ବରିଷ୍ଠ ପୋଲିସ ଅଧିକାରୀ ତଦନ୍ତ କରୁଛନ୍ତି | ଘଟଣାରେ ପୋଲିସ ପ୍ରାୟ ୨୦୩ ଟି ଭିଡିଓ ଜବତ କରିଛି | ହିଂସା କେଉଁଠୁ ଆରମ୍ଭ ହୋଇଥିଲା ଏବଂ ଲୋକେ କିଭଳି ଉତ୍ତେଜିତ ହୋଇଥିଲେ ସେନେଇ ଭିଡିଓରେ ସମସ୍ତ ଘଟଣାକୁ ପୋଲିସ ଯାଞ୍ଚ କରୁଛି |


ପୋଲିସ ହାତରେ ଏକ ଚାଂଚଲ୍ୟକର ଭିଡିଓ ଲାଗିଛି | ପୋଲିସ ଅଧିକାରୀ ସୁବୋଧ କୁମାରଙ୍କ ଉପରକୁ କିଏ ଗୁଳି ଚଳାଇଥିଲା ଏବଂ ସ୍ଥାନୀୟ ଯୁବକ ସୁମିତଙ୍କୁ କିଏ ଗୁଳି କରିଥିଲେ ସେସବୁ ଭିଡିଓରେ ପୋଲିସ ଦେଖିବାକୁ ପାଇଥିଲା | ଭିଡ ଭିତରେ ଜଣେ ବ୍ୟକ୍ତି ଗୁଳି ଚଳାଉଥିବା ଭିଡିଓ ଦେଖିବାକୁ ପାଇଥିଲା ପୋଲିସ | ପୋଲିସ ଯାଞ୍ଚ କରିବାରୁ ଜାଣିବାକୁ ପାଇଥିଲା ଯେ, ଉକ୍ତ ବ୍ୟକ୍ତି ଜାମ୍ମୁରେ କାର୍ଯ୍ୟରତ ଜଣେ ସେନା କର୍ମଚାରୀ ବୋଲି ଜଣାପଡିଥିଲା |
ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ସେନା କର୍ମଚାରୀ ଘରକୁ ଛାନଭିନ ପାଇଁ ଯାଇଥିଲା | ସେଠାରୁ ପୋଲିସ ଜାଣିବାକୁ ପାଇଥିଲା ଯେ, ସେନା କର୍ମଚାରୀ କିଛି ଦିନ ପାଇଁ ଛୁଟିରେ ନିଜ ଘରକୁ ଆସିଥିଲେ | କିନ୍ତୁ ହିଂସା ପରେ ସେ ନିଜ କାର୍ଯ୍ୟସ୍ଥଳକୁ ଫେରିଯାଇଥିଲେ |


ପୋଲିସସୂତ୍ର ଅନୁସାରେ, ସୋସିଆଲ ମିଡ଼ିଆରେ ହିଂସାବେଳର ପ୍ରାୟ ୧୮୦ ଟି ଭିଡିଓ ଭାଇରାଲ ହୋଇଛି | ସେଥି ମଧ୍ୟରୁ ୨୩ଟି ଭିଡିଓ ପୋଲିସ ତିଆରି କରିଥିଲେ | ଏହି ସମସ୍ତ ଭିଡିଓକୁ ଯାଞ୍ଚ ପାଇଁ ସାଇବର ସେଲକୁ ପଠାଯାଇଥିଲା | ସେନା କର୍ମୀ ଗୁଳି ଚଳାଉଥିବା ସାଇବର ସେଲ ଯାଞ୍ଚରୁ ଜଣାପଡିଥିଲା | ସେନା ଅଧିକାରୀ ପୋଲିସକୁ ଏହି ଘଟଣାରେ ପୁରା ସହାୟତା କରିବେ ବୋଲି କହିଛନ୍ତି | ଆଗ୍ରା ଏବଂ ନୋଇଡାରେ ମଧ୍ୟ ଏସଟିଏଫ ଟିମ ହିଂସାର ମୁଖ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.