ମୁମ୍ବାଇ ସିଏସଟି ଅଞ୍ଚଳରେ ଭୂଷୁଡିଲା ଭବନ, ଉଦ୍ଧାର କାର୍ଯ୍ୟ ଜାରି
16/07/2020 at 6:03 PM

ମୁମ୍ବାଇ ୧୬।୭: ମହାରାଷ୍ଟ୍ର ରାଜଧାନୀ ମୁମ୍ବାରର ସିଏସଟି ଅଞ୍ଚଳରେ ଗୁରୁବାର ଏକ ଭବନ ଭୂଷୁଡି ପଡିଛି। ଏହି ଭବନଟି ଭାନୁଶାଲୀ ବିଲ୍ଡିଂ ବୋଲି ଜଣାପଡିଥିବା ବେଳେ ଏହାର ଗୋଟିଏ ପାର୍ଶ୍ୱ ଟଳିପଡିଥିବା ସୂଚନା ମିଳିଛି। ବିଲ୍ଡିଂ ଭୂଷୁଡିବା ବେଳେ ସେଥିରେ କିଛି ଲୋକେ ରହିଯାଇଛନ୍ତି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଧ୍ୱଂସାବଶେଷ ହଟାଇବା କାର୍ଯ୍ୟ ଆରମ୍ଭ ହୋଇଛି। ଭଙ୍ଗା ଭବନର ଅନ୍ୟ ଭାଗରେ ରହୁଥିବା ଲୋକଙ୍କୁ ଖାଲି କରିଦିଆଯାଇଛି।

ସେପଟେ ମୁମ୍ବାଇ ମାଲୱାନୀରେ ଏକ ଚାଲ ଭୂଷୁଡିପଡିବାରୁ ଏଥିରେ ରହୁଥିବା ୪ ଜଣ ଲୋକେ ଆହତ ହୋଇଛନ୍ତି। ଅପରାହ୍ଣ ପ୍ରାୟ ସାଢେ ୨ଟା ବେଳେ ଚାଲ ଭୂଷୁଡିବା ନେଇ ଦମକଳ ବିଭାଗକୁ ସୂଚନା ମିଳିଥିଲା। ମଲୱାନୀ ଗେଟ୍ ନମ୍ବର ୫ରେ ଏହି ଚାଲ ଥିବା ବେଳେ ଘର ତଳେ କିଛି ଲୋକେ ଦବି ରହିଥିବାର କୁହାଯାଉଛି। ଘଟଣା ସ୍ଥଳକୁ ୪ଟି ଦମକଳ ଗୋଟିଏ ଉଦ୍ଧାରକାରୀ ବାହନ ସମେତ ଆମ୍ବୁଲାନ୍ସ ପଠାଯାଇଛି।

ଗତ ଦୁଇ ଦିନ ହେଲା ମୁମ୍ବାଇରେ ଅବିଶ୍ରାନ୍ତ ବର୍ଷା ଲାଗି ରହିଛି। ଭୀଷଣ ବର୍ଯା ଯୋଗୁ ବିଭିନ୍ନ ଅଞ୍ଚଳରେ ପାଣି ଜମି ରହିଥିବା ବେଳେ ଗୁରୁବାର ଗୋଟିଏ ଦିନରେ ୨ଟି ଘର ଭୂଷୁଡି ଥିବାର ଅଭିଯୋଗ ଦମକଳ ବିଭାଗକୁ ମିଳିଥିବା ଅଧିକାରୀ କହିଛନ୍ତି। ଚାଲଭୂଷୁଡିବା ଯୋଗୁ ପ୍ରାୟ ୬ ଜଣ ଲୋକେ ଘର ତଳେ ଦବି ରହିଥିବାର କୁହାଯାଉଛି। ତେବେ ଦମକଳ ବିଭା କର୍ମଚାରୀମାନେ ପହଞ୍ଚି ୪ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ପଠା ଯାଇଛି। ବାକି ଲୋକଙ୍କ ଉଦ୍ଧାର କାର୍ଯ୍ୟ ଜାରି ଥିବା ବେଳେ ଭାନୁଶାଲୀ ବିଲ୍ଡିଂର ଗୋଟିଏ ଅଂଶ ଧସିପଡିଥିବାର ଖବର ମିଳିଛି। ସେଠାକୁ ମଧ୍ୟ ଉଦ୍ଧାରକାରୀ ଦଳଙ୍କୁ ପଠାଯାଇଥିବା ଅଧିକାରୀ କହିଛନ୍ତି।