ବଜେଟ୍ ର ପ୍ରଭାବ: ଅଢେଇ ଟଙ୍କା ବଢିଲା ପେଟ୍ରୋଲ ଦର, ଡିଜେଲ ପ୍ରତିଲିଟର ୨ଟଙ୍କା ୩୦ ପଇସା ମହଙ୍ଗା
5/07/2019 at 5:33 PM

ନୂଆଦିଲ୍ଲୀ ୫।୭: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ସଂସଦରେ ୨୦୧୯-୨୦ ଆର୍ଥିକ ବର୍ଷ ନିମନ୍ତେ ବଜେଟ୍ ଉପସ୍ଥାପନ କରିଛନ୍ତି। ଏଥିରେ ପେଟ୍ରୋଲ ଓ ଡିଜେଲ ଉପରେ ଅତିରିକ୍ତ ଉତ୍ପାଦ ଶୁଳ୍କ ତଥା ସଡକ ଓ ଭିତ୍ତି ଭୂମି ବିକାଶ ନିମନ୍ତେ ୧ ଟହଙ୍କା ଲେଖାଏଁ ଉପକର ଲାଗୁ ପାଇଁ ପ୍ରସ୍ତାବ ଦେଇଛନ୍ତି। ଫଳରେ ଦେଶରେ ପ୍ରତି ଲିଟର ପେଟ୍ରୋଲ ୨ଟଙ୍କା ୫୦ ପଇସା ଓ ଡିଜେଲ ୨ଟଙ୍କା ୩୦ ପଇସା ମହଙ୍ଗା ହୋଇଛି।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ କମ୍ ଥିବାରୁ ଉତ୍ପାଦ ଶୁଳ୍କ ଓ ଉପକରକୁ ପରବର୍ତ୍ତି ସମୟରେ ସମୀକ୍ଷା କରାଯାଇ ପାରିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ତେବେ ବଜେଟରେ ଉପକର ଲାଗୁ ଘୋଷଣା ସହ ସାରା ଦେଶେର ପେଟ୍ରୋଲ ଓ ଡିଜେଲ ମହଙ୍ଗା ହୋଇଛି। ତେବେ ଅଶୋଧିତ ତୈଳର କୌଣସି ମୂଳ ଉତ୍ପାଦନ ଶୁଳ୍କ ନଥିବାରୁ ଏହା ଉପରେ ସ୍ୱଳ୍ପ ଉତ୍ପାଦନ ଶୁଳ୍କ ଲାଗୁ ହୋଇଛି।

ସଂସଦରେ ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍ ଉପସ୍ଥାପନକରି ଅର୍ଥମନ୍ତ୍ରୀ ଏହାକୁ ଚାଷୀ ଓ ଗ୍ରାମୀଣଙ୍କ ବଜେଟ୍ ବୋଲି କହିଥଲେ। ତେବେ ପେଟ୍ରୋଲ ଓ ଡିଜେଲରେ ଉପକର ଘୋଷଣା ଏହି ଦୁଇ ସାମଗ୍ରୀର ମୂଲ୍ୟ ବୃଦ୍ଧିର ସଂକେତ ଦେଇଛି। ଏଣୁ ପରିବହନ ଓ ଅନ୍ୟ ମୂଲ୍ୟ ବୃଦ୍ଧିର ସଂକେତ ମିଳିଛି। ଫଳରେ ଦେଶରେ ଅତ୍ୟାବସକୀୟ ସାମଗ୍ରୀ ମୂଲ୍ୟ ମଧ୍ୟ ବଢିବା ଏକପ୍ରକାର ନିଶ୍ଟିତ ହୋଇଯାଇଛି।

ଗୋଟିଏ ପଟେ ସରକାର ପେଟ୍ରୋଲ ଓ ଡିଜେଲ ସେସ୍ ବୃଦ୍ଧି କରିଥିବା ବେଳେ ଇଲେକ୍ଟ୍ରି କାର ବିକ୍ରିକୁ ପ୍ରୋତ୍ସାହିତ କରିବା ପାଇଁ ଜିଏସଟି ହ୍ରାସ କରିଛନ୍ତି । ଏଭଳି ବାହନ ନିମନ୍ତେ ପୂର୍ବରୁ ଲାଗୁ ଥିବା ୧୨ ପ୍ରତିଶତ ଜିଏସଟିକୁ ୫ ପ୍ରତିଶତକୁ ହ୍ରାସ କରିଛନ୍ତି। କେବଳ ଇନ୍ଧନ ନୁହେଁ ବଜେଟ୍ ରେ ସୁନା ଆମଦାନୀ ଶୁଳ୍କ ମଧ୍ୟ ବୃଦ୍ଧି କରିଛନ୍ତି । ଏପର୍ଯ୍ୟନ୍ତ ଏଥିଲାଗି ବ୍ୟବସାୟୀଙ୍କୁ ୧୦ ପ୍ରତିଶତ ଇମ୍ପୋର୍ଟ ଡ୍ୟୁଟି ଦେବାକୁ ପଡୁଥିଲା। ତେବେ ନୂଆ ଶୁଳ୍କ ହାରରେ ଏଥିନିମନ୍ତେ ୧୨.୫ ପ୍ରତିଶତ ଶୁଳ୍କ ଦେବାକୁ ପଡିବ।