ଆସନ୍ତାକାଲିଠୁ ବଜେଟ ଅଧିବେଶନ, ସର୍ବଦଳୀୟ ବୈଠକ ଡାକିଲେ ରାଜ୍ୟସଭା ଅଧ୍ୟକ୍ଷ
28/01/2021 at 7:35 AM

ନୂଆଦିଲ୍ଲୀ ୨୮।୦୧: ଆସନ୍ତାକାଲିଠୁ ଆରମ୍ଭ ହେବେ ସଂସଦର ବଜେଟ୍ ଅଧିବେଶନ। ଏଥିପାଇଁ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ରାଜ୍ୟସଭାର ସମସ୍ତ ରାଜନୈତିକ ଦଳର ନେତାଙ୍କ ବୈଠକ ଡାକିଛନ୍ତି। ରାଜ୍ୟସଭା ଅଧ୍ୟକ୍ଷଙ୍କ ସରକାରୀ ବାସଭବନରେ ବୈଠକ ଅନୁଷ୍ଠିତ ହେବ। ସଂସଦର କାର୍ଯ୍ୟ କିପରି ସୁରୁଖୁର ହେବ, ସେଥିପାଇଁ ମଧ୍ୟ ସଂସଦର ବିଜେନେସ୍ ଆଡଭାଇଜାରୀ କମିଟିର ବୈଠକ ଆସନ୍ତାକାଲି କରିବା ଲାଗି କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି।
ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଅଧିବେଶନ ଜାନୁଆରୀ ୨୯ ତାରିଖରୁ ଫେବ୍ରୁଆରୀ ୧୫ ଓ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୮ରୁ ଆରମ୍ଭ ହୋଇ ଅପ୍ରେଲ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଫେବ୍ରୁଆରୀ ୧ ତାରିଖରେ ବଜେଟ ଉପସ୍ଥାପନ ହେବ । କୋଭିଡ-୧୯କୁ ଦୃଷ୍ଟିରେ ରଖି ରାଜ୍ୟସଭା ସକାଳ ୯ଟାରୁ ଆରମ୍ଭ ହୋଇ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିବ।
ସେହିପରି ଲୋକସଭା ଅପରାହ୍ନ ୪ଟାରୁ ଆରମ୍ଭ ହୋଇ ରାତି ୯ଟା ପର୍ଯ୍ୟନ୍ତ ବୋଲି ସ୍ଥିର ହୋଇଛି। ତେବେ କୋଭିଡ-୧୯ ନିୟମ ମଧ୍ୟ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ରହିଛି। ପ୍ରତି ସାଂସଦଙ୍କ ଆରଟିପିସିଆର୍ ଟେଷ୍ଟିଂ ମଧ୍ୟ ବାଧ୍ୟତାମୂଳକ କରାଯାଇଛି। ତେବେ ଚଳିତ ବଜେଟ ଅଧିବେଶନରେ ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ଖୁବ୍ ଜୋରଦାରରେ ଉଠାଇବା ପାଇଁ ବିରୋଧୀ ପ୍ରସ୍ତୁତ ହେଉଛନ୍ତି ।