ସେୟାର ବଜାରକୁ ଗ୍ରହଣୀୟ ହେଲାନି ନିର୍ମଳାଙ୍କ ପ୍ରଥମ ବଜେଟ୍, ମୁହଁ ପୋତିଲେ ବିଏସଇ ଓ ନିଫ୍ଟି , ଜାଣନ୍ତୁ କାରଣ

Published By : Prameya-News7 Bureau | July 05, 2019 IST

ମୁମ୍ବାଇ:  କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣ ଶୁକ୍ରବାର ସଂସଦରେ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳି ସରକାରର ପ୍ରଥମ ବଜେଟ୍ ଉପସ୍ଥାପନ କରିଛନ୍ତି। ଗୃହରେ ବଜେଟ୍ ଉପସ୍ଥାପିତ ହେବା ପରେ ଏହାର ସିଧା ପ୍ରଭାବ ପଡିଛି ସେୟାର ବଜାର ଉପରେ । ସକାଳେ ୮୨.୩୪ ପଏଣ୍ଟ ସହ ଖୋଲିଥିବା ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଗୃହରେ ବଜେଟ ଆଗତ ହେବାର ମାତ୍ର କିଛି ସମୟ ପରେ ୩୯୪.୬୭ ପଏଣ୍ଟ ହ୍ରାସ ସହ ୩୯,୫୧୩.୩୯ରେ ବନ୍ଦ ହୋଇଯାଇଥିଲା।

କେବଳ ବିଏସ୍ଇ ନୁହେଁ ଗୃହରେ ବଜେଟ୍ ପ୍ରାବଧାନ ଘୋଷଣା ପରେ ନିଫ୍ଟି ୧୩୫.୬୦ ପଏଣ୍ଟ ହ୍ରାସ ସହ ୧୧,୮୧୧.  ୧୫ରେ ବନ୍ଦ ହୋଇ ଯାଇଛି। ନିଫ୍ଟିରେ ୫୦ କମ୍ପାନୀ ମଧ୍ୟରୁ ମାତ୍ର ୬ଟି କମ୍ପାନୀ କାରବାର କରୁଥିବା ବେଳେ ବାକି ୪୪ଟି କମ୍ପାନୀଙ୍କ ସେୟାରରେ ଲାଲ ସଙ୍କେତ ଲାଗିଛି। ସେହିପରି ସେକ୍ଟରାଲ ଇଣ୍ଡେକ୍ସରେ ମଧ୍ୟ ୮ଟି ସେକ୍ଟରରେ ହ୍ରାସ ଦେଖାଯାଇଛି। ଏଥିରୁ ସେୟାର ବଜାର ପାଇଁ ବଜେଟ୍ ନିଶ୍ଚିତ ଅନୁକୁଳ ନୁହେଁ ତାହା ପ୍ରଥମ ଦିନରୁ ହିଁ ସ୍ପଷ୍ଟ ହୋଇ ଯାଇଛି। ତେବେ ଆସନ୍ତୁ ଜାଣିବା ଏହାର କାରଣ।

ଏହାର କାରଣ ସମ୍ପର୍କରେ ଇନାମ ହୋଲ୍ଡିଂସର ପିରଚାଳନା ନିର୍ଦେଶକ ମନିଷ ଚୌଖାନୀ ଯାହା କୁହନ୍ତି ତାହା ହେଉଛି ହାଇ ଇନକମ ଗ୍ରୁପ ଲୋକଙ୍କ ଉପରେ ଅତ୍ୟାଧିକ ଶୁଳ୍କ ବୃଦ୍ଧି।  ବାର୍ଷିକ ୫ କୋଟିରୁ ଅଧିକ ଆୟକାରୀ ବର୍ଗର ଲୋକଙ୍କ ଉପରେ ଏବେ ଶୁଳ୍କ ବୋଝ ପ୍ରାୟ ୪୨ ପ୍ରତିଶତରେ ପହଞ୍ଚିଛି। ସେହିପରି ୨ରୁ ୫ କୋଟି ଟଙ୍କା ଆୟକାରୀ ବର୍ଗଙ୍କ ଶୁଳ୍କ ହାର ଯଥାକ୍ରମେ ୩୫ରୁ ୩୮ ପ୍ରତିଶତରେ ପହଞ୍ଚିବା ନିବେଶକୁ ନିରାଶ କରିଛି। ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁ ହାଇ ନେଟୱର୍ଥ ଇଣ୍ଡିଭିଜୁଅଲ୍ସ ଏଚଏନଆଇ ନିରାଶ ହୋଇଛନ୍ତି।  ଯାହା ମାର୍କେଟର ମୁଡକୁ  ଖରାପ କରିଦେଇଛି।

ସରକାରଙ୍କ ନିଷ୍ପତ୍ତିର ପ୍ରଭାବ ଆଗାମୀ ଦିନମାନଙ୍କରେ ମଧ୍ୟ ବଜାରରେ ଅନୁଭୂତ ହେବ। ନିବେଶକ ବିରୋଧୀ ବଜେଟ୍ ଯୋଗୁ ସେୟାର ବଜାର ଅସନ୍ତୁଳିତ ହେବା ସହ ଚମକ ହରାଇଛି। ସେହିପରି ବଜେଟ୍ ସେୟାର ବଜାର ନିବେଶକଙ୍କ ଆଗ୍ରହକୁ ପାଣି କରିଦେଇଥିବା ଅନ୍ୟ ଆର୍ଥିକ ବିଷାରଦମାନେ କହିଛନ୍ତି। ବାଇବ୍ୟାକ୍ ରେ ବି ସରକାରଙ୍କ ୨୦ ପ୍ରତିଶତ ଶୁଳ୍କ ନିବେଶକଙ୍କୁ ଅତ୍ୟନ୍ତ ନିରାଶ କରିଛି ବୋଲି ମଧ୍ୟ ଏବେ କେତେକ କହୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.