ବଜେଟ ୨୦୧୯-୨୦: କ'ଣ ହେଲା ମହଙ୍ଗା ଓ କ'ଣ ହେଲା ଶସ୍ତା ଜାଣନ୍ତୁ

Published By : Prameya-News7 Bureau | July 05, 2019 IST

ନୂଆଦିଲ୍ଲୀ ୫|୭: ଚଳିତ ଥର ବଜେଟରେ କିଛି ନୂଆ ସ୍କିମ୍ ସାମିଲ ହୋଇଥିବା ବେଳେ ଢେର ସାରା ଟାର୍ଗେଟ୍ ସେଟ୍ କରାଯାଇଛି । ଏସବୁ ଭିତରେ କିନ୍ତୁ ଗ୍ରାହକଙ୍କୁ ଜୋରକା ଝଟକା ଧୀରେ ଦେଇଛନ୍ତି ସୀତାରମଣ । ପେଟ୍ରୋଲ ଓ ଡିଜେଲ ଉପରେ ଅତିରିକ୍ତ ସେସ୍ ଲାଗିଥିବାରୁ ତେଲ ଦର ମାର୍କେଟରେ ୨ ଟଙ୍କା ବଢ଼ିଛି ।  ସେହିପରି ଆଉ କେଉଁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ବଢ଼ିବ ବା କମିବ ଆସନ୍ତୁ ନଜର ପକାଇବା ।

ତେଲ ଦରକୁ ସେଇଠୁ ବଢ଼େଇଦେଲେ ସୀତାରମଣ। ଆଉ ସୀତାରଣ ଅଙ୍କ କଷି ଟଙ୍କାଏ ବଢ଼ାଉ ବଢ଼ାଉ ଟାଙ୍କିରେ ବଢ଼ିଲା ୨ ଟଙ୍କା।  ଆଜିର ବଜେଟରେ ତେଲ ଉପରେ ଏକ ଟଙ୍କା ଏକ୍ସାଇଜ୍ ଡ୍ୟୁଡି ଏବଂ ରୋଡ୍ ଓ ଟ୍ରାନ୍ସପୋର୍ଟ ସେସ୍ ଏକ ଟଙ୍କା ଲେଖାଏଁ ବଢ଼ାଯାଇଛି । ତେବେ ଏହାର ତତକ୍ଷଣାତ ପ୍ରଭାବ ଭାବେ ପେଟ୍ରୋଲ ଅଢେଇ ଟଙ୍କା ଓ ଡିଜେଲରେ ଲିଟର ପିଛା  ୨ ଟଙ୍କା ୩୦ ପଇସା ବୃଦ୍ଧି ପାଇଛି । ମୋଦି ସରକାରର ଗତ କାର୍ଯ୍ୟକାଳ ସମୟରେ ପେଟ୍ରୋଲ ଓ ଡିଜେଲରୁ ବେଶ ଭଲ ଇନକମ୍ କରିଥିବାରୁ ସେକେଣ୍ଡ ଟର୍ମର ପ୍ରଥମ ବର୍ଷରେ ସମାନ ଚକ୍କରରେ ଅଛନ୍ତି । ସେପଟେ ପେଟ୍ରୋଲିୟମ ମନ୍ତ୍ରୀ ସଂସ୍କାର ପ୍ରକ୍ରିୟା ପାଇଁ ଏସବୁ ପଦକ୍ଷେପ ନିଆଯାଇଛି।

ଅନେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମଧ୍ୟ ଆଜିର ବଜେଟ ପରେ ମହଙ୍ଗା ହୋଇଛି । ଯାହା ମଧ୍ୟରେ ରହିଛି ସୁନା, ରୁପା, ପିଭିସି ପାଇପ, ବିଦେଶୀ ବହି, ଅଟୋ ପାର୍ଟସ୍, ଟାଇଲ୍ସ ପରି ଜିନିଷ । ସେହିପରି କାଜୁ, ବ୍ୟାଙ୍କିଙ୍ଗ୍ ସେବା, ଲାଉଡ ସ୍ପିକର ଓ ସିସିଟିଭି ମଧ୍ୟ ମହଙ୍ଗା ହୋଇଛି । ତେବେ ୪୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଘର କିଣୁଥିଲେ ଆପଣଙ୍କୁ କିଛି ମାତ୍ରାରେ ଆଶ୍ବସ୍ତି ମିଳିବ । ଘର କିଣିଲେ ଆଗରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ସୁଧ ଛାଡ଼ ହେଉଥିବା ବେଳେ ଏବେ ଏହାକୁ ସାଢେ ୩ ଲକ୍ଷ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ସେହିପରି ଇଲେକ୍ଟ୍ରିକ୍ କାର୍ କିଣୁଥିଲେ ଋଣ ସୁଝିବା ସମୟରେ ଦେଢ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଛାଡ଼ ମିଳିବ । ଏହାଛଡ଼ା ମୋବାଇଲ ଚାର୍ଜର, ବୀମା, ଚମଡ଼ା ସାମଗ୍ରୀ, ପ୍ରତିରକ୍ଷା ଉପକରଣ ଓ ସେଟଅପ୍ ବକ୍ସ ମଧ୍ୟ ବଜେଟରେ ଶସ୍ତା ହୋଇଛି ।

ବଜେଟରେ ଶସ୍ତା ମହଙ୍ଗାର ମଞ୍ଜି ଖୋଜୁଛନ୍ତି ମଧ୍ୟବିତ୍ତ ,  ଯଦିଓ ସେମାନେ ଭଲକି ଜାଣିଛନ୍ତି ଯେ ବଜାରରେ ଶସ୍ତା ମହଙ୍ଗାର ଅଙ୍କ କିଛି ଅଲଗା ହୁଏ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.