ଫୁଟିଲା ବାୟୋ ବବଲ ! ରୋଟେସନ ପଲିସି ଲାଗୁ କରିପାରେ ବିସିସିଆଇ, ଖେଳାଳିଙ୍କୁ ମିଳିବ ବିଶ୍ରାମ

Published By : Prameya-News7 Bureau | November 13, 2021 IST

ନୂଆଦିଲ୍ଲୀ ୧୩।୧୧:  ଟି-୨୦ ବିଶ୍ଵ କପ୍‌ରୁ  ବାଦ୍ ପଡିବା ପରେ ପୂର୍ବତନ କୋଚ୍ ରବି ଶାସ୍ତ୍ରୀ  ବାୟୋ ବବଲକୁ ନେଇ କଡା ଆଭିମୁଖ୍ୟ ଆପଣେଇ ଥିଲେ। ଏଥିସହ କହିଥିଲେ, ଯେଉଁ ଦିନ ଏହି ବବଲ ଫୁଟିବ ସେହି ଦିନ ବହୁ କିଛି ସହିବାକୁ ପଡିବ। ରବି ଶାସ୍ତ୍ରୀଙ୍କ ବ୍ୟତୀତ ଯଶପ୍ରୀତ ବୁମରା, ବିରାଟ କୋହଲିଙ୍କ ପରି ଖେଳାଳି ମଧ୍ୟ ବାୟୋ ବବଲକୁ ନେଇ ନିଜର ପ୍ରତିକ୍ରିୟା ରଖିଥିଲେ। ଏବେ ବିସିସିଆଇ ଏହାକୁ ନେଇ ବଳିଷ୍ଠ ପଦକ୍ଷେପ ନେବାକୁ ପ୍ରସ୍ତୁତି କରୁଛି। କାରଣ ମାସ ମାସ ଧରି ବାୟୋ ବବଲରେ ରହିବାରୁ ଖେଳାଳି କ୍ଲାନ୍ତ ହୋଇ ପଡୁଛନ୍ତି ଏବଂ ଏହାର ପ୍ରଭାବ ଖେଳ ଉପରେ ପଡୁଛି। ନିକଟରେ ଟି-୨୦ ବିଶ୍ଵ କପ୍‌ରେ ଏହାର ପରିଣାମ ଦେଖିବାକୁ ମିଳିଛି।

ରିପୋର୍ଟ ଅନୁଯାୟୀ, ବିସିସିଆଇ ଏବେ ରୋଟେସନ ପଲିସି ଉପରେ ଜୋର ଦେଉଛି, ଯାହାର ଆରମ୍ଭ ନ୍ୟୁଜିଲାଣ୍ଡ ସିରିଜ୍‌ରୁ ହୋଇପାରେ। ଏହି କାରଣରୁ ଅନେକ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି। ନୂତନ ଖେଳାଳିଙ୍କୁ ଦଳରେ ସାମିଲ୍ କରାଯାଇଛି। ଏଥିରେ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ମିଳିବ ଏବଂ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିବା ସହ ଭବିଷ୍ୟତ ପାଇଁ ପ୍ରସ୍ତୁତି ହୋଇ ପାରିବ।

ଏ ପର୍ଯ୍ୟନ୍ତ ଇଂଲଣ୍ଡ ହିଁ ବଡ ସ୍ତରରେ ରୋଟେସନ ପଲିସି ବ୍ୟବହାର କରିଛି। ଯେଉଁଠି ଟେଷ୍ଟରେ ଗୋଟିଏ କୋର ଗ୍ରୁପ ପ୍ରସ୍ତୁତ କରାଯାଇ ଦିନିକିଆ ଏବଂ ଟି-୨୦ ପାଇଁ ଅଲଗା ଦଳ କରାଯାଇଛି। ସିରିଜ୍ ପରେ ସିରିଜ୍ କିଛି ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ନୂତନ ଖେଳାଳିଙ୍କୁ ଦଳରେ ନିଆଯାଇଛି।

ଇନସାଇଡ୍ ସ୍ପୋର୍ଟ୍ସରେ ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ଖେଳାଳିଙ୍କ କଥାକୁ ଧ୍ୟାନରେ ରଖାଯାଇଛି। ଲଗାତାର ବାୟୋ ବବଲରେ ରହିବା ସହଜ ନୁହେଁ। ଏଥିପାଇଁ ରୋଟେସନ ଦଳର ଆବଶ୍ୟକତା ରହିଛି। ନ୍ୟୁଜିଲାଣ୍ଡ ସିରିଜ୍‌ରେ ଏହାର ଆରମ୍ଭ ହେବାକୁ ଯାଉଛି। ଘରୋଇ କ୍ରିକେଟ୍‌ରେ ଆମ ପାଖରେ ବହୁତ ପ୍ରତିଭାବାନ ଖେଳାଳି ଅଛନ୍ତି, ଯେଉଁମାନଙ୍କୁ ଦଳରେ ସୁଯୋଗ ମିଳିବ।

ବ୍ୟସ୍ତବହୁଳ କାର୍ଯ୍ୟସୂଚୀ

ସୂଚନାଯୋଗ୍ୟ, ଭାରତୀୟ ଦଳ ଗତ ଏକ ବର୍ଷରୁ କ୍ରମାଗତ କ୍ରିକେଟ୍ ଖେଳୁଛି। ୬ ମାସ  ହେବ ଖେଳାଳି ବାୟୋ ବବଲରେ ଅଛନ୍ତି। ପୁଣି ଆଗାମୀ ଏକ ବର୍ଷ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ରହିଛି। ଏଥିପାଇଁ ବିସିସିଆଇ ଅନେକ ବଡ ଖେଳାଳିଙ୍କୁ ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଛି। ବିରାଟ କୋହଲି, ଯଶପ୍ରୀତ ବୁମରା, ଋଷଭ ପନ୍ତ, ମହମ୍ମଦ ଶାମିଙ୍କ ପରି ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି। ରୋହିତ ଶର୍ମାଙ୍କୁ ମଧ୍ୟ ଟେଷ୍ଟ ସିରିଜ୍‌ରେ ବିଶ୍ରାମ ଦିଆଯାଇଛି।

କୁହାଯାଉଛି ରୋଟେସନ ପଲିସି ଆଧାରରେ ଶ୍ରେୟସ ଆୟରଙ୍କୁ ଟେଷ୍ଟ ଦଳରେ ସାମିଲ୍ କରାଯାଇଛି। ଯଦ୍ଵାରା ଭବିଷ୍ୟତ ଟେଷ୍ଟ ଦଳରେ ତାଙ୍କୁ ଫିଟ୍ ରଖାଯାଇ ପାରିବ। ଯଦି କୌଣସି ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ମିଳେ ତେବେ ସେ ଉକ୍ତ ସ୍ଥାନରେ ଖେଳି ପାରିବେ। ଅନ୍ୟପଟେ ଇଣ୍ଡିଆ-ଏର ଚୟନରେ ମଧ୍ୟ ଏମିତି ଖେଳାଳିଙ୍କ ଉପରେ ଧ୍ୟାନ ଦିଆଯିବ ଯିଏ ଆଗାମୀ ଗୋଟିଏ କି ଦୁଇ ବର୍ଷରେ ଭାରତୀୟ ଦଳ ସହିତ ଖେଳିବାକୁ ପ୍ରସ୍ତୁତ ହୋଇ ପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.