ଏଟିଏସ ଅପରେସନକୁ ନେଇ ପ୍ରଶ୍ନ ଉଠାଇଲେ ମାୟାବତୀ: ନିର୍ବାଚନ ପୂର୍ବରୁ ହିଁ କାହିଁକି ହୁଏ ଏହିଭଳି ଅପରେସନ ?

Published By : Prameya-News7 Bureau | July 12, 2021 IST

ନୂଆଦିଲ୍ଲୀ ୧୨/୦୭ : ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ପରେ ବର୍ତ୍ତମାନ ବିଏସପି ସୁପ୍ରିମୋ ମାୟାବତୀ ଏଟିଏସ ଅପରେସନ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ନିର୍ବାଚନ ପୂର୍ବରୁ ହିଁ ଏହି ଅପରେସନ କାହିଁକି ହୋଇଥାଏ। ଉତ୍ତର ପ୍ରଦେଶ ନିର୍ବାଚନ ପାଖେଇ ଆସିଲାବେଳେ ହିଁ ଏହିଭଳି କାର୍ଯ୍ୟାନୁଷ୍ଠାନ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଥାଏ।

ଏନେଇ ମାୟାବତୀ ଏକ ଟ୍ୱିଟ କରିଛନ୍ତି। ଟ୍ୱିଟରେ ସେ ଲେଖିଛନ୍ତି, 'ଉତ୍ତର ପ୍ରଦେଶ ପୋଲିସ ଲକ୍ଷ୍ନୌରେ ଆତଙ୍କୀ ଷଡଯନ୍ତ୍ରର ପର୍ଦାଫାଶ କରିବା ଓ ଏହି ମାମଲାରେ ଦୁଇଜଣଙ୍କୁ ଗିରଫ କରିଛି। ଅଲକାଇଦା ସହ ଏହି ଦୁଇଜଣଙ୍କ ସମ୍ପର୍କ ଥିବା ପୋଲିସ ଦାବି କରିଛି। ପୋଲିସର ଏହି ଦାବି ଯଦି ସତ ତାହେଲେ ଏହା ଏକ ଗମ୍ଭୀର ମାମଲା ଏବଂ ଏଥିପାଇଁ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଉଚିତ। ନଚେତ ଏହା ଅଳରେ କୌଣସି ରାଜନୀତି ନ ହେବା ଉଚିତ ଯାହାକୁ ନେଇ ଆଶଙ୍କା ବ୍ୟକ୍ତ କରାଯାଉଛି।'

ମାୟାବତୀ କହିଛନ୍ତି, ଉତ୍ତର ପ୍ରଦେଶ ନିର୍ବାଚନ ପାଖେଇ ଅସିଲାବେଳକୁ ଏହିଭଳି କାର୍ଯ୍ୟାନୁଷ୍ଠାନ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଥାଏ। ଯଦି ଏହି କାର୍ଯ୍ୟାନୁଷ୍ଠାନ ସତ ତାହେଲେ ପୋଲିସ ଏତେ ଦିନ ଯାଏଁ କେମିତି ଜାଣିନଥିଲା। ଏହି ପ୍ରଶ୍ନ ଜନତା ପଚାରୁଛନ୍ତି। ତେବେ ସରକାର ଏମିତି କୌଣସି କାର୍ଯ୍ୟାନୁଷ୍ଠାନ ନ କରନ୍ତୁ ଯାହାଦ୍ୱାରା ଜନତା ଚିନ୍ତିତ ଓ ବ୍ୟତିବ୍ୟସ୍ତ ହେବେ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ରବିବାର ଦିନ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେସ ଯାଦବ ୨ ଆତଙ୍କବାଦୀଙ୍କ ଗିରଫକୁ ନେଇ ବିବାଦୀୟ ବୟାନ ଦେଇଥିଲେ। ସେ କହିଥିଲେ ଯେ ଉତ୍ତର ପ୍ରଦେଶ ପୋଲିସ ଉପରେ ତାଙ୍କର ଭରସା ନାହିଁ।

ଲକ୍ଷ୍ନୌରେ ଗିରଫ ହୋଇଥିବା ଆତଙ୍କବାଦୀ ମାନବ ବୋମା ଜରିଆରେ ବିସ୍ଫୋରଣ କରିବାକୁ ଷଡଯନ୍ତ୍ର ରଚିଥିଲେ। ଆତଙ୍କୀ ଅଗଷ୍ଟ ୧୫, ସ୍ୱାଧୀନତା ଦିବସ ପାଖାପାଖି ଦିନରେ ବିସ୍ଫୋରଣ କରିବାକୁ ଯୋଜନା କରିଥିଲେ। ଦୁଇ ଆତଙ୍କୀ ସିରିଏଲ ବ୍ଲାଷ୍ଟ କରିବାକୁ ଚାହୁଁଥିଲେ। ଦୁଇ ଆତଙ୍କବାଦୀ ହେଲେ ମୀନହାଜ ଓ ମସିରୁଦ୍ଦିନ। ଦୁହେଁ ଆତଙ୍କୀ ଅଂସାର ଗଜବାତୁଲ ହିନ୍ଦ ଗ୍ରୁପ ସହ ଜଡିତ ଥିଲେ। ଅଲକାଇଦାର ଏହା ମାନବ ବୋମା ମୋଡ୍ୟୁଲ ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.