ଆତଙ୍କବାଦୀଙ୍କୁ ଏବେ ନିସ୍ତାର ନାହିଁ, ବିଏସଏଫକୁ ମିଳିଲା ଅଧିକ କ୍ଷମତା

Published By : Prameya-News7 Bureau | October 13, 2021 IST

ନୂଆଦିଲ୍ଲୀ ୧୩।୧୦: ଏବେ ଆତଙ୍କବାଦୀଙ୍କୁ ଆଉ ନିସ୍ତାର ନାହିଁ। ସୀମା ସୁରକ୍ଷା ବଳ ବା ବିଏସଏଫକୁ ନେଇ ବୁଧବାର ବଡ  ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରଣାଳୟ। ବିଏସଏଫଙ୍କ ଅଧିକାର କ୍ଷେତ୍ର ବଢାଯାଇ ଅଧିକାରୀଙ୍କୁ ଗିରଫଦାରୀ, ତଲାସି ଓ ଜବତ କରିବାର ଅଧିକାର ପ୍ରଦାନ କରାଯାଇଛି। ଭାରତ-ପାକିସ୍ତାନ ଓ ଭାରତ-ବାଂଲାଦେଶ ମଧ୍ୟରେ ଅନ୍ତରାଷ୍ଟ୍ରୀୟ ସୀମାର ୫୦ କିମି ପରିଧି ଭିତରେ ବିଏସଏଫ ଯବାନଙ୍କୁ ଏହି ଅଧିକାର ଦିଆଯାଇଛି। ଅର୍ଥାତ୍‌ କଲେକ୍ଟରଙ୍କର ନିର୍ଦ୍ଦେଶ ଓ ଆରେଷ୍ଟ ୱାରେଣ୍ଟ ବିନା  ବିଏସଏଫ୍ ଏହି ଅଞ୍ଚଳ ଭିତରେ ଗିରଫଦାରୀ ଓ ତଲାସି କରିପାରିବ।

କେନ୍ଦ୍ର ଗୃହମନ୍ତ୍ରାଳୟର ଏହି ଆଦେଶ ପରେ ଏବେ ରାଜନୈତିକ ବିବାଦ ଦେଖାଦେଇପାରେ। କାରଣ ଏହା ପୂର୍ବରୁ ପଞ୍ଜାବ, ପଶ୍ଚିମବଙ୍ଗ ଓ ଆସାମ ସୀମାର ୧୫ କିମି ପରିଧି ଭିତରେ ସର୍ଚ୍ଚ ଓ ଗିରଫଦାରୀକୁ ନେଇ ବିଏସଏଫ ଅଧିକାର ଦିଆଯାଇଥିଲା। ଆଉ ଏବେ ଏହି ସୀମା ବଢାଇ ୫୦ କିମି କରାଯାଇଛି।

ତେବେ ପ୍ରଧାନମନ୍ତ୍ରୀଙ୍କ ରାଜ୍ୟ ଗୁଜରାଟରେ କିନ୍ତୁ ବିଏସଏଫଙ୍କ ଅଧିକାର କ୍ଷେତ୍ରକୁ କମ କରାଯାଇ ୮୦ କିମିରୁ ୫୦ କିମି କରାଯାଇଛି। ସେହିପରି ୫ଟି ପୂର୍ବୋତ୍ତର ରାଜ୍ୟ- ମେଘାଳୟ, ନାଗାଲାଣ୍ଡ, ମିଜୋରାମ, ତ୍ରିପୁରା ଓ ମଣିପୁରରେ ବିଏସଏଫ ଅଧିକାର ସୀମା ହ୍ରାସ କରାଯାଇ ୮୦ ରୁ ୨୦ କିମି କରାଯାଇଛି।

ସୂଚନାଯୋଗ୍ୟ,  ଭାରତ-ବାଂଲାଦେଶ ମଧ୍ୟରେ ୪୦୯୬.୭ କିମି ଓ ଭାରତ-ପାକିସ୍ତାନ ମଧ୍ୟରେ ୩୩୨୩ ସୀମା ସୁରକ୍ଷା ଦାୟିତ୍ୱ ବିଏସଏଫ ହାତରେ ରହିଛି। ତା ସହିତ ବିଏସଏଫ ପାଖରେ ଛଡ଼ିଶଗଡ଼ ଓ ଓଡ଼ିଶାରେ ଥିବା ମାଓବାଦ ଉପରେ ଅଙ୍କୁଶ ଲଗାଇବାର ଅଧିକାର ରହିଛି। ବିଏସଏଫ ଅଧିକାର ସୀମା ସୁରକ୍ଷା ବଳ ଅଧିନିୟମ ୧୯୬୮ ଧାରା ୧୩୯ ଅନୁସାରେ କେନ୍ଦ୍ର ସରକାରଙ୍କୁ ସୀମାରେ ବିଏସଏଫ ସଂଚାଳନ ଓ କ୍ଷେତ୍ର ଓ ସୀମାକୁ ଅଧିସୂଚିତ କରିବା ଅଧିକାର ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.