ଚିତ୍ରକୋଣ୍ଡା ବିଚ୍ଚିନ୍ନାଞ୍ଚଳରେ ନିର୍ମାଣ ହୋଇଛି ବିଏସଏଫ କ୍ୟାମ୍ପ; ସ୍ଵାଭିମାନ ଅଞ୍ଚଳ ତିଆରି କରିବାକୁ ଅଣ୍ଟା ଭିଡିଛି ମାଲକାନଗିରି ପୋଲିସ
2/12/2018 at 11:01 AM

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଜଳଭଣ୍ଡାର ଉପରେ ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପରେ ପୋଲିସ ଦୁଇ ପାଦ ଆଗକୁ ଯାଇଛି । ଦିର୍ଘ ୬ ଦଶନ୍ଦି ପରେ ଚିତ୍ରକୋଣ୍ଡା ବିଚ୍ଚିନ୍ନାଞ୍ଚଳକୁ ବିଏସଏଫ ଯବାନଙ୍କ ସହାୟତାରେ ସ୍ଵାଭିମାନ ଅଞ୍ଚଳ ଭାବେ ତିଆରି କରିବାକୁ ଅଣ୍ଟା ଭିଡିଛି ମାଲକାନଗିରି ପୋଲିସ । ବିଚ୍ଛିନ୍ନାଞ୍ଚଳରେ ନିଜର ସ୍ଥିତି ଜାହିର କରୁଥିବା ନକ୍ସଲ ପନ୍ଥୀଙ୍କୁ ଦମନ କରିବା ସହ ଉନ୍ନୟନ ମୂଳକ କାର୍ଯ୍ୟ ସକାଶେ ଏହି କେମ୍ପ ନିର୍ମାଣ ହୋଇଛି । ସୂଚନା ମୁତାବକ ୧୯୬୨ ମସିହାରେ ମାଲକାନଗିରି ଜିଲ୍ଲାରେ ନିର୍ମାଣ ହେଲା ଦେଶର ସର୍ବ ବୃହତ ମାଟି ବନ୍ଧ ଯୋଜନା ଯାହାର ନାମ ରଖା ଗଲା ‘ବାଲିମେଳା ଜଳ ଭଣ୍ଡାର’ । ବିଶାଳ ଜଳ ଭଣ୍ଡାର ଯୋଗୁଁ ବିସ୍ତାପିତ ହେଲେ ୧୫୧ଟି ଗ୍ରାମର ହଜାର ହଜାର ଆଦିବାସି । ଦୀର୍ଘ ୬ ଦଶନ୍ଦି ଧରି ଜଳ ବନ୍ଦି ହୋଇ ଜୀବନ କଟାଉଥିବା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ଆଦିବାସି ଲୋକଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାର ଆଶା ନେଇ ୨୦୧୪ ମସିହାରୁ ଆରମ୍ଭ ହୋଇଥିବା ଗୁରୁପ୍ରିୟା ସେତୁର ନିର୍ମାଣ କାର୍ଯ୍ୟର ଅବଧି ଶେଷ ହେବା ପରେ ଏହାର ସୁରକ୍ଷା ସହିତ ବିଚ୍ଛିନ୍ନାଞ୍ଚଳର ବିକାଶ ଲାଗି ଲାଲଗଢର ଶିଖର କୁହାଯାଉଥିବା ଜନ୍ତାପାଇ ଏବୋଂ ଏବେ ପିପିଲିପଦର ଗ୍ରାମରେ ମାଲକାନଗିରି ପୋଲିସ ଏବୋଂ ବି.ଏସ.ଏଫ ବାହିନୀଙ୍କ ମିଳିତ ଉଦ୍ୟମରେ ଏକ ନୂତନ ବି.ଏସ.ଏଫ କେମ୍ପ ପ୍ରତିଷ୍ଟା କରାଯାଇଛି ।
ଅନେକ ଦିନର ବିଚ୍ଛିନ୍ନାଞ୍ଚଳବାସୀଙ୍କ ସ୍ଵପ୍ନକୁ ପୂରଣ କରିବା ଲାଗି ମାଲକାନଗିରି ଏସପି ଜଗମୋହନ ମିନାଙ୍କ ନେତୃତରେ ଶତାଧିକ ଜବାନଙ୍କୁ ନେଇ ଗୁରୁପ୍ରିୟା ସେତୁ ଅତିକ୍ରମ କରି ସୁରକ୍ଷାକର୍ମୀଙ୍କ ଗାଡି ପହଞ୍ଚିଥିଲା ମାଓ ପ୍ରଭାବିତ ପିପିଲି ପଦର ଗ୍ରାମରେ । ହାତରେ ବନ୍ଧୁକ ଧରି ମାତୃଭୂମିର ସେବା କରୁଥିବା ବୀର ଯବାନ ପିପିଲି ପଦର ଗ୍ରାମରେ ପହଞ୍ଚି ଲାଲଗଢରେ ଗାଢି ଥିଲେ ବିଜୟ ଖୁଣ୍ଟ । ଅନ୍ୟ ପକ୍ଷରେ ବୀର ଯବାନଙ୍କୁ ନିଜ ପାଖରେ ଦେଖି ଆଦିବାସି ଲୋକଙ୍କ ମୁଖରେ ଫୁଟିଥିଲା ହସ ।
ଦୀର୍ଘ ବର୍ଷ ଧରି ବିକାଶ ଧାରରୁ ଦୂରରେ ରହି ଯାଇଥିବା ଲୋକଙ୍କୁ ସମାଜର ମୁଖ୍ୟ ଶ୍ରୋତରେ ସାମିଲ କରିବା ପାଇଁ ଏହି ବି.ଏସ.ଏଫ କେମ୍ପ ସହାୟକ ହେବ ବୋଲି ମାଲକାନଗିରି ଏସପି ଜଗମୋହନ ମିନା କହିଛନ୍ତି ।