ଭାରତ-ଚୀନ ଉତ୍ତେଜନାରେ ଦୋହଲିଲା ସେୟାର ବଜାର, ବୁଡିଗଲା ୩୪ ହଜାର କୋଟି ଟଙ୍କା

Published By : Prameya-News7 Bureau | June 16, 2020 IST

ନୂଆଦିଲ୍ଲୀ ୧୬।୦୬: ମଙ୍ଗଳବାର ଭାରତୀୟ ଘରୋଇ ପୁଞ୍ଜି ବଜାର ଭଲ କାରବାର ସହିତ ଖୋଲିଥିଲା। ମାତ୍ର ଭାରତ ଓ ଚୀନ ସେନା ମଧ୍ୟରେ ସଂଘର୍ଷ ଖବର ପରେ ବଜାରର କାରବାର ନିମ୍ନଗାମୀ ହୋଇଛି। ନିବେଶକଙ୍କୁ କୋଟି କୋଟି ଟଙ୍କା କ୍ଷତି  ସହିବାକୁ ପଡିଛି। ସେନସେକ୍ସ ୬୦୦ ଅଙ୍କ ତଳକୁ ଖସି ୩୩,୨୪୧ରେ ରହିଛି। ଅନ୍ୟପଟେ ନିଫଟି ମଧ୍ୟ ୨୦୦ ଅଙ୍କ ହ୍ରାସ ଘଟିଛି।

ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ସେନସେକ୍ସ ୬୨୪.୯୨ ଅଙ୍କ ଉପରକୁ ଉଠି ଏବଂ ନିଫଟି ୨୦୧.୧୧ ଅଙ୍କ ବଢି କାରବାର ଖୋଲିଥିଲା। ପୁଣି ଦିନ କାରବାର ସମୟରେ ସେନସେକ୍ସ ସର୍ବାଧିକ ୭୯୩.୨୧ ଅଙ୍କ ଏବଂ ନିଫଟି ୨୩୨.୪୫ ଅଙ୍କ ଉପରକୁ ଉଠିଥିଲା। ହେଲେ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା  ବଢିବା ଖବର ଆସିବା ପରେ ସେୟାର ମାର୍କେଟ୍‌ ତଳକୁ ଖସି ଆସିଛି।

ଡୁବିଗଲା କୋଟି କୋଟି ଟଙ୍କା

ଭାରତ ଓ ଚୀନ ମଧ୍ୟରେ ତିକ୍ତତା ବଢିବା କାରଣରୁ ଘରୋଇ ପୁଞ୍ଜି ବଜାରର କାରବାରରେ ହ୍ରାସ ଘଟିଛି। ସକାଳେ ନିବେଶକଙ୍କୁ  ଭଲ ଫାଇଦା ମିଳିଥିଲା। ହେଲେ ସୀମା ବିବାଦ ଖବର ପରେ କିଛି ମିନିଟ୍‌ରେ ନିବେଶକଙ୍କ ୩୪ ହଜାର କୋଟି ଟଙ୍କା ବୁଡି ଯାଇଛି। ସେୟାର ବଜାର ଦୋହଲି ଯାଇଛି।

ଉଲ୍ଲେଖଯୋଗ୍ୟ, ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ଏବେ ହିଂସାର ରୂପ ନେଇଛି। ଗତକାଲି ରାତିରେ ଦୁଇ ଦେଶର ସୈନିକଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟିଛି। ଏଥିରେ ଭାରତର ଜଣେ କର୍ଣ୍ଣେଲ ଓ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି। ଅନ୍ୟପଟେ ଚୀନର ୫ ଜଣ ସୈନିକ ନିହତ ହୋଇଥିବା କୁହାଯାଉଛି। ଏହି ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.