ବିଏସ ୪ ଗାଡି କିଣିଥିବା ହଜାର ହଜାର ଲୋକଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ ଆଶ୍ଵସ୍ତି, ଏବେ କରି ପାରିବେ ପଞ୍ଜିକରଣ

Published By : Prameya-News7 Bureau | August 13, 2020 IST

ନୂଆଦିଲ୍ଲୀ ୧୩।୦୮: ବିଏସ୪(BSIV) ଗାଡିର ପଞ୍ଜିକରଣକୁ ନେଇ ସୁପ୍ରିମକୋର୍ଟ ଗୁରୁବାର ବଡ ନିଷ୍ପତ୍ତି ଶୁଣାଇଛନ୍ତି। ମାର୍ଚ୍ଚ ୩୧ ସମୟ ସୀମା ପୂର୍ବରୁ ଯେଉଁ ଲୋକ ନିଜ ଗାଡିର ପଞ୍ଜିକରଣ କରି ନାହାନ୍ତି ସୁପ୍ରିମକୋର୍ଟ ସେହି ଲୋକଙ୍କୁ ନିଜର ଗାଡି ପଞ୍ଜିକରଣ କରିବାକୁ ଅନୁମତି ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି ଯେଉଁ ଗାଡି ଲକ୍‌ଡାଉନ୍‌ ପୂର୍ବରୁ ବିକ୍ରି ହୋଇଛି ଓ ଇ-ବାହନ ପୋର୍ଟାଲରେ ପଞ୍ଜୀକୃତ ହୋଇଛି କେବଳ ସେହି ଗାଡିର ପଞ୍ଜିକରଣ ହୋଇ ପାରିବ। ଉଚ୍ଚତମ ନ୍ୟାୟାଳୟ କହିଛନ୍ତି ମାର୍ଚ୍ଚ ୨୫ପରେ ବିକ୍ରି ହୋଇଥିବା ଗାଡିର ପଞ୍ଜିକରଣ ହେବ ନାହିଁ। ସରଳ ଭାଷାରେ କହିବାକୁ ଗଲେ ଏବେ ଲକ୍‌ଡାଉନ୍ ପୂର୍ବରୁ ବିକ୍ରି ହୋଇଥିବା ଗାଡିର ପଞ୍ଜିକରଣ ହେବ। ଲକ୍‌ଡାଉନ୍‌ ପରେ ବିକ୍ରି ହୋଇଥିବା ଗାଡିର ପଞ୍ଜିକରଣ ହେବ ନାହିଁ।

ବିଚାରପତି ଅରୁଣ ମିଶ୍ର କହିଛନ୍ତି ଯେଉଁ ଗାଡି ଲକ୍‌ଡାଉନ୍ ପୂର୍ବରୁ ବିକ୍ରି ହୋଇଛି ଏବଂ ଇ-ବାହନ ପୋର୍ଟାଲରେ ପଞ୍ଜୀକୃତ ହୋଇଛି ସେହି ଗାଡିର ହିଁ ପଞ୍ଜିକରଣ ହୋଇ ପାରିବ। କିନ୍ତୁ ଏହା ଦିଲ୍ଲୀ-ଏନସିଆରରେ ଲାଗୁ ହେବ ନାହିଁ।

ଉଲ୍ଲେଖନୀୟ ସୁପ୍ରିମକୋର୍ଟ ବିଏସ-୪ ଗାଡିର ବିକ୍ରି ଓ ପଞ୍ଜିକରଣ ପାଇଁ ୨୦୨୦ ମାର୍ଚ୍ଚ ୩୧ ସମୟ ସୀମା ନିର୍ଦ୍ଧାରଣ କରିଥିଲେ। ଏହି ସମୟରେ ମାର୍ଚ୍ଚ ୨୨ରେ ଜନତା କର୍ଫ୍ୟୁ ଥିବା ବେଳେ ମାର୍ଚ୍ଚ ୨୫ରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଲାଗୁ ହୋଇ ଯାଇଥିଲା। ଅପରପକ୍ଷେ ଡିଲରଙ୍କ ପାଖରେ ବଡ ସଂଖ୍ୟାରେ ବିଏସ-୪ ଦୁଇ ଚକିଆ ଓ ଚାରି ଚକିଆ ଯାନ ବିକ୍ରି ହୋଇନପାରି ମହଜୁଦ ହୋଇ ରହିଥିଲା। ଏଥିପାଇଁ ଡିଲରମାନେ ବିଏସ-୪ ଗାଡିର ବିକ୍ରି ଓ ପଞ୍ଜିକରଣର ସମୟ ସୀମା ବୃଦ୍ଧି କରିବା ଦାବି କରି ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଥିଲେ। ଏହା ଉପରେ ସୁପ୍ରିମକୋର୍ଟ ଡିଲରଙ୍କୁ ୧୦ ପ୍ରତିଶତ ବିଏସ-୪ ଗାଡି ବିକ୍ରି କରିବାକୁ ଅନୁମତି ପ୍ରଦାନ କରିଥିଲେ।

କୋର୍ଟ ଦ୍ଵାରା ଆଦେଶ ମିଳିବା ପରେ ଦେଶରେ ବିଏସ-୪ ଗାଡିର ବିକ୍ରି ହୋଇଥିଲା। ଏବେ ସୁପ୍ରିମକୋର୍ଟ ଡିଲର ସଂଘକୁ ମାର୍ଚ୍ଚର ଶେଷ ସପ୍ତାହରେ ଅନଲାଇନ୍‌ କିମ୍ବା ପ୍ରତ୍ୟେକ୍ଷ ଭାବେ ବିକ୍ରି କରିଥିବା ଗାଡିର ତଥ୍ୟ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୀଠ କହିଛି କୋର୍ଟ ଲକ୍‌ଡାଉନ୍ ସମୟରେ ବିକ୍ରି ହୋଇଥିବା ବିଏସ-୪ ଗାଡିର ପଞ୍ଜିକରଣର ଯାଞ୍ଚ କରିବାକୁ ଚାହାନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.