ଇସ୍ତଫା ଦେଇପାରନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପା, ପୁଅଙ୍କ ପାଇଁ ଛାଡିବେ ଗାଦି !

Published By : Prameya-News7 Bureau | July 17, 2021 IST

ବେଙ୍ଗାଲୁରୁ,୧୭/୦୭ :  ଇସ୍ତଫା ଦେଇପାରନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପା । ମୁଖ୍ୟମନ୍ତ୍ରୀ ପଦରୁ ସେ ଇସ୍ତଫା ଦେବେ ବୋଲି ଚର୍ଚ୍ଚା ଜୋର୍ ଧରିଛି । ଶୁକ୍ରବାର ୟେଦିୟୁରପ୍ପା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଥିଲେ । ଏହାପରେ ସେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସାକ୍ଷାତ କରିଥିଲେ । ରବିବାର ସେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ସାକ୍ଷାତ କରିବେ ବୋଲି ସୂଚନା ମିଳୁଛି ।

କର୍ଣ୍ଣାଟକରେ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି । ଜେପି ନଡ୍ଡାଙ୍କୁ ଭେଟିବା ପରେ ଇସ୍ତାଫା ଚର୍ଚ୍ଚା ଜୋର୍ ଧରିଛି । ତେବେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ୟେଦିୟୁରପ୍ପା କହିଥିଲେ ଯେ, ବିକାଶ ପ୍ରସଙ୍ଗରେ ସେ ଆଲୋଚନା କରିଛନ୍ତି । କିନ୍ତୁ ସୂତ୍ରାନୁସାରେ, ୟେଦିୟୁରପ୍ପା ମୋଦୀଙ୍କ ସବୁ ନିର୍ଦ୍ଦେଶ ପାଳନ କରିବାକୁ ରାଜି ଥିବା ଏପରିକି ଇସ୍ତଫା ଦେବାକୁ ମଧ୍ୟ ପ୍ରସ୍ତୁତ ଥିବା କହିଛନ୍ତି ।

ସୂତ୍ରାନୁସାରେ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ଆଲୋଚନା ଜାରି ରହିଛି । ସେ ନିଜେ ମଧ୍ୟ ଏନେଇ ସଙ୍କେତ ଦେଇଥିଲେ । ସେ କହିଥିଲେ ଯେ, ମୋଦୀଙ୍କ ସବୁ ନିର୍ଦ୍ଦେଶ ସେ ପାଳନ କରିବେ । ତାଙ୍କୁ ଯଦି ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦିଆଯାଏ ତେବେ ସେ ପ୍ରସ୍ତୁତ ବୋଲି ମଧ୍ୟ କହିଥିଲେ । ଆହୁରି ମଧ୍ୟ ଦଳର ବିଚାରଧାରା ପ୍ରତି ସେ ପ୍ରତିବଦ୍ଧ ବୋଲି କହିଛନ୍ତି ।

ଆଉ ଏକ ସୂତ୍ରାନୁସାରେ, ୟେଦିୟୁରପ୍ପା ତାଙ୍କ ପୁତ୍ରଙ୍କୁ ଜାତୀୟ ରାଜନୀତିରେ ବିଜେପି ଭଲ ପଦବୀ ଦେଉ ବୋଲି ସେ ଦାବି ରଖିଛନ୍ତି । ଏପଟେ ବିଜେପି ମଧ୍ୟ ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ନେଇ କସରତ ଆରମ୍ଭ କରିଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.