ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ, ମୁଣ୍ଡକୁ ହାଣିଦେଲେ ଦୁର୍ବୃତ୍ତ

Published By : Prameya-News7 Bureau | March 01, 2021 IST

ବାଲିପାଟଣା, ୦୧|୦୩ :   ଗୁଣି ଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ । ଆକ୍ରମଣରେ ବୃଦ୍ଧଙ୍କ ହାତ ଏବଂ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଏହା ସହ ବୃଦ୍ଧଙ୍କୁ ରକ୍ଷା କରିବାକୁ ଆସି ଆଉ ଜଣେ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି । ଏଭଳି ଘଟଣା ସାମ୍ନାକୁ ଆସିଛି ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣାରେ । ତେବେ ଉଭୟଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲର ଭର୍ତ୍ତି କରାଯାଇଛି । ଦୁଇ ଗୁରୁତର ହେଉଛନ୍ତି ବାଲିପାଟଣା ଥାନା ଅଭୟମୁଖି ଗ୍ରାମର ନରେନ୍ଦ୍ର ବେହେରା ଏବଂ ରବି ଭୋଇ ।

ସୂଚନାନୁସାରେ, ଅଭୟମୁଖି ଗ୍ରାମର ନରେନ୍ଦ୍ର ବେହେରା ଗ୍ରାମର କାହ୍ନୁଆ ଭୋଇଙ୍କ ପରିବାରକୁ ଗୁଣି ଗାରେଡ଼ି କରୁଥିବା ଅଭିଯୋଗ ଆଣୁଥିଲେ କାହ୍ନୁଆ । ଏ ନେଇ କାହ୍ନୁଆ ଭୋଇ ଏବଂ ତାଙ୍କ ପୁତ୍ର ବିଭୁତି ଭୋଇ ନରେନ୍ଦ୍ର ବେହେରାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିବା ସହ ମୁଣ୍ଡକୁ ହାଣି ଦେଇଥିଲେ । ନରେନ୍ଦ୍ର ବେହେରାଙ୍କୁ ରକ୍ଷା କରିବାକୁ ରବି ଭୋଇ ଯିବା ବେଳେ କାହ୍ନୁଆ ଏବଂ ବିଭୁତି ରବି ଭୋଇଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ।

ଆକ୍ରମଣରେ ନରେନ୍ଦ୍ର ବେହେରା ଏବଂ ରବି ଭୋଇ ଗୁରୁତର ହୋଇପଡିଥିଲେ । ଉଭୟଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ବାଲିପାଟଣା ଏବଂ ପରେ କ୍ୟାପିଟାଲ  ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବାଲିପାଟଣା ପୋଲିସ ଅଭୟମୁଖି ଗ୍ରାମରେ ପହଁଞ୍ଚିଥି ତଦନ୍ତ କରୁଛି । ଆକ୍ରମଣକାରୀ କାହ୍ନୁଆ ଭୋଇ, ବିଭୁତି ଭୋଇ  ଫେରାର ହୋଇଯାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.