ମାଛ ପେଟରେ ଧଳା ଜହର : ବାଲେଶ୍ବରରୁ ବାଂଲାଦେଶ ଲମ୍ବିଥିଲା ଚେର, ପର୍ଦ୍ଦାଫାଶ୍ କଲା ପୋଲିସ
22/06/2019 at 11:40 AM

ବାଲେଶ୍ବର ୨୨|୬: ମାଛ ପେଟରେ ଧଳା ଜହର । ବାଲେଶ୍ବରରୁ ବାଂଲାଦେଶ ଲମ୍ବିଛି ଚେର । ସମୁଦ୍ର ଭିତରେ ଚାଲିଛି ବ୍ରାଉନସୁଗାର କାରବାର । ଉପକୂଳ ସୁରକ୍ଷା ଢିଲା, ସାମୁଦ୍ରିକ ଥାନା ନିଷ୍କ୍ରିୟ । ବାଲେଶ୍ବର ପାଲଟିଛି ବ୍ରାଉନସୁଗାର କାରବାରର ପେଣ୍ଠସ୍ଥଳ।

କିଛି ବର୍ଷ ହେବ ବାଲେଶ୍ବରରୁ ଗୋଟିଏ ପରେ ଗୋଟିଏ ବ୍ରାଉନସୁଗାର କାରବାର ଘଟଣା ସାମ୍ନାକୁ ଆସୁଛି। ତେବେ ନିକଟରେ ଯେଉଁ ପରିମାଣରେ ଏହି ଧଳା ଜହର ଜବତ ହେଲା, ତାହା ସମସ୍ତଙ୍କ ହୋସ୍ ଉଡ଼ାଇଦେଇଛି। କେବଳ ସେତିକି ନୁହେଁ, ଯେଉଁ ଅଭିନବ ଉପାୟରେ କାରବାର ଚାଲିଛି ତାହା ତାଜୁବ କଲା ଭଳି । ବ୍ରାଉନସୁଗାର ଚାଲାଣ ଘଟଣାରେ ଧରାପଡ଼ିଥିବା ବ୍ୟକ୍ତିମାନେ ମାଛ ବ୍ୟବସାୟରେ ସଂପୃକ୍ତ ଥିବା ବେଳେ ମାଛ ପେଟରେ ଧଳାଜହର ଚାଲାଣ ନେଇ ଚାଲିଥିବା ଅଭିନବ କୌଶଳର ରହସ୍ୟ ଧୀରେ ଧୀରେ ଫିଟୁଛି।

ବାଲେଶ୍ବର ଉପକୂଳରେ ଥିବା ବିଭିନ୍ନ ଜେଟିରୁ ମାଛ ମାରିବା ପାଇଁ ଶହ ଶହ ବୋଟ୍ ସମୁଦ୍ର ମଧ୍ୟକୁ ଯାଉଛନ୍ତି। ମତ୍ସ୍ୟଜୀବୀମାନଙ୍କ ସହ ବାଂଲାଦେଶ ଓ ପଶ୍ଚିମବଙ୍ଗ ବ୍ରାଉନସୁଗାର ବ୍ୟବସାୟୀମାନେ କୌଣସି ଉପାୟରେ ସଂପର୍କ ରଖୁଛନ୍ତି । ଏପରି ସମୟରେ ଧଳାଜହରର ନେଣଦେଣ ସମୁଦ୍ରରେ ହିଁ ହେଉଛି। ସବୁଠାରୁ ଆଶ୍ଚର୍ଯ୍ୟ କଲା ଭଳି କଥା ହେଲା, ସଂପୃକ୍ତ ବୋଟ୍ ରେ ମତ୍ସ୍ୟଜୀବୀଙ୍କ ସହ ଏମିତି କିଛି ଲୋକ ମଧ୍ୟ ରହୁଛନ୍ତି, ଯେଉଁମାନେ ଏହି ପ୍ରକ୍ରିୟାକୁ ନିୟନ୍ତ୍ରଣ କରୁଛନ୍ତି। ବୋଟ୍ କୂଳକୁ ଆସିବା ଆଗରୁ ବ୍ରାଉନସୁଗାର ମାଛ ପେଟରେ ସିଲ୍ ହୋଇଯାଉଛି। ପରେ ଏହା ବ୍ୟବସାୟୀ ମାଧ୍ୟମରେ ବଜାରରେ ପହଂଚୁଛି। ଉପକୂଳ ସୁରକ୍ଷାରେ ଢିଲା ଓ ସାମୁଦ୍ରିକ ଥାନାର ନିଷ୍କ୍ରିୟତା ଏଭଳି ବେଆଇନ କାମକୁ ସୁହାଉଛି ।