ସାବତ ଭାଇ ସହ ତା ପରିବାରକୁ ଜିଅନ୍ତା ଜାଳିଦେଲା, ନିଜେ ବି ଝୁଲିଗଲା

Published By : Prameya-News7 Bureau | November 26, 2020 IST

ଭୋପାଳ ୨୬/୧୧ : ମଧ୍ୟପ୍ରଦେଶର ଅନୂପପୁର ଜିଲ୍ଲା ଜେତହାରୀ ଥାନା ଅନ୍ତର୍ଗତ ଏକ ଗାଁରେ ଅଭାବନୀୟ ଘଟଣା ଘଟିଛି । ଧନସମ୍ପତ୍ତି ଭାଗ ବଣ୍ଟାକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ନିଜ ସାବତ ଭାଇ ସମେତ ତାଙ୍କ ପରିବାର ସଦସ୍ୟଙ୍କୁ ଜିଅନ୍ତା ଜାଳିଦେଇଛି । ଏହା ପରେ ଅଭିଯୁକ୍ତ ନିଜେ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।

ତେବେ ଘଟଣା ସମ୍ପର୍କରେ ପୋଲିସ ଅଧିକାରୀ କେ. କେ. ତ୍ରିପାଠୀ କହିଛନ୍ତି ଯେ, ଜିଲ୍ଲା ମୁଖ୍ୟାଳୟରୁ ମାତ୍ର ୨୦ କିଲୋମିଟର ଦୂର ଧନଗଓ୍ବାଂ ଗାଁରେ ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି । ପୋଲିସ କହିଛି ୩୫ ବର୍ଷିୟ ଦୀପକ ବିଶ୍ବକର୍ମା ଏବଂ ତାଙ୍କ ସାବତ ଭାଇ ଓମକାର ବିଶ୍ବକର୍ମାଙ୍କ ମଧ୍ୟରେ ଧନସମ୍ପତ୍ତି ପାଇଁ ସବୁବେଳେ ବିବାଦ ଲାଗି ରହିଥିଲା । ତେବେ ରାତିରେ ସମସ୍ତେ ଶୋଇଥିବା ​ବେଳେ ପେଟ୍ରୋଲ ଢାଳି ସାବତ ଭାଇ ସମେତ ପରିବାରର ୩ଜଣଙ୍କୁ   ଜିଅନ୍ତା ଜାଳି ଦେଇଥିଲା ଅଭିଯୁକ୍ତ ଦୀପକ ବିଶ୍ବକର୍ମା । ଏହା ପରେ ସେ ନିଜେ ମଧ୍ୟ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛି ।

​‌ତେବେ ଏହି ଲୋମହର୍ଷଣକାରୀ ଘଟଣାରେ ପରିବାରର ଓମକାର ବିଶ୍ବକର୍ମା (୪୨), ଓମକାରଙ୍କ ପତ୍ନୀ କସ୍ତୁରିବା ବିଶ୍ବକର୍ମା (୪୬) ଏବଂ​ ଓମକାରଙ୍କର ଝିଅ ନିଧି(୧୭)ଙ୍କ ମୃତ୍ୟୁ ଘଟିଛି । ତେବେ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଓମକାରଙ୍କ ୧୮ ବର୍ଷର ପୁଅ ଆଶିଷ । ସେ ଏବେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହୋଇଛନ୍ତି । ‌​‌

ପୋଲିସ କହିଛି ଯେ, ଏଭଳି ଅମାନବୀୟ ଘଟଣା ଘଟାଇ ସାରିବା ପରେ ଅଭିଯୁକ୍ତ ନିଜେ ମଧ୍ୟ ଫାଶୀ ଲଗାଇ ଆତ୍ମହତ୍ୟା କରିଛି ।  ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଶବ ଗୁଡିକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.