ସୋର ୨୫|୫: ନାବାଳିକା ଶାଳୀକୁ ଭିଣୋଇ ଅସଦାଚାରଣ କରିବା ସହ ମାଡ ମାରି ହାତ ଭାଙ୍ଗିଦେଇଥିବା ଅଭିଯୋଗ ହୋଇଛି । ଗାଁ ଲୋକଙ୍କ ଦ୍ବାରା ଜୋରିମାନା ଅର୍ଥ ଦେଇ ନପାରି ଆତ୍ମହତ୍ୟା କରିଛି ଭିଣୋଇ ।
ବାଲେଶ୍ବର ଜିଲ୍ଲା ସୋର ଥାନା ବେଲପୁର ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସିମୁଳିଆ ଥାନା ଜାମୁଝାଡି ଅଞ୍ଚଳର ଜୈନକ ବିଧବା ମହିଳା ସୋର ଥାନାରେ ଅଭିଯୋଗ କରିଛନ୍ତି ଯେ, ତାଙ୍କର ନାବାଳିକା ଝିଅକୁ ତାଙ୍କ ଜ୍ବାଇଁ ସୋର ଥାନା ବେଲପୁର ଗ୍ରାମର ସୁରେଶ ରଣାଙ୍କ ସାନ ଭାଇ ଉମେଶ ରଣା ଅସଦାଚାରଣ କରିବା ସହ ମାଡ ମାରି ହାତ ଭାଙ୍ଗି ଦେଇଛି । ସୁରେଶର ଶାଶୁ ଅଭାବୀ ପରିବାର ହୋଇଥିବା ଯୋଗୁଁ ଗତ କିଛିଦିନ ତଳେ ବାଙ୍ଗଲୋରକୁ ଯିବାବେଳେ ଜ୍ବାଇଁଙ୍କ ଘରେ ନାବାଳିକା ଝିଅକୁ ଛାଡି ଯାଇଥିଲେ। ଏହି ସୁଯୋଗରେ ଜ୍ବାଇଁ ସୁରେଶଙ୍କ ସାନ ଭାଇ ଉମେଶ ତାଙ୍କ ନାବାଳିକା ଝିଅ ପ୍ରତି ଅସଦାଚାରଣ କରିଥିବା ଓ ମାଡ ମାରି ହାତ ଭାଙ୍ଗିଦେଇଥିବା ଅଭିଯୋଗ ସେ ସୋର ଥାନାରେ କରିଥିଲେ । ଘଟଣାକୁ ଉଭୟ ପକ୍ଷରୁ ଭଦ୍ର ଲୋକ ବସି ସମାଧାନ କରିଥିଲେ । ସମାଧାନରେ ଉମେଶକୁ ପଚାଶ ହଜାର ଟଙ୍କା ଜୋରିମାନା କରାଯାଇଥିଲା ।
ସାମାଧାନ ପରେ ସଙ୍ଗେସଙ୍ଗେ ୨୦ ହଜାର ଟଙ୍କା ଦେବାକୁ କୁହାଯିବାରୁ ଟଙ୍କା ଆଣିବାକୁ କହି ସମାଧାନ ସ୍ଥଳରୁ ଉମେଶ ଚାଲିଯାଇଥିଲା। ମାତ୍ର କିଛି ସମୟ ପରେ ଉମେଶଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା ।