ଭଉଣୀଙ୍କ ବିଦା ବେଳେ କାନ୍ଦି କାନ୍ଦି ଭାଇର ମୃତ୍ୟୁ

Published By : Prameya-News7 Bureau | December 21, 2018 IST

ପାଲି ୨୧/୧୨ : ସପ୍ତାହେ ତଳେ ରାଜସ୍ଥାନ ସମୂଚା ଡ଼େଣ୍ଡା ଗାଁର ମୋହନଦାସ ବୈଷ୍ଣବଙ୍କ ଘରେ ବିବାହ ଉତ୍ସବ ଥିଲା | ବିବାହ ଉତ୍ସବରେ ପୁରା ଗାଁ ଯୋଗ ଦେଇଥିଲା | ଏକାଥରେ ୪ ଭଉଣୀଙ୍କ ବାହାଘର ଚାଲିଥିଲା | ବାହାଘର ପରେ ଝିଅ ବିଦା ବେଳେ ବରଯାତ୍ରୀ ଏବଂ ଘରଲୋକେ ସାମାଜିକ ରୀତିନୀତିରେ ବ୍ୟସ୍ତ ଥିଲେ | ଏତିକି ବେଳେ ମୋହନଦାସଙ୍କ ଏକମାତ୍ର ଦିବ୍ୟାଙ୍ଗ ପୁଅ ରାଜୁ ଦାସ କାନ୍ଦିବା ଆରମ୍ଭ କରିଥିଲେ | ସେ ଏତେ କାନ୍ଦିଥିଲେ ଯେ, ତାଙ୍କ ସ୍ୱାସ୍ଥାବସ୍ଥା ବିଗିଡି ଯାଇଥିଲା | ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | କିନ୍ତୁ ତାଙ୍କ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ନଘଟିବାରୁ ଡାକ୍ତର ତାଙ୍କୁ ଯୋଧପୁରକୁ ସ୍ଥାନାନ୍ତର କରିଥିଲେ | ଗୁରୁବାର ଦିନ ଯୋଧପୁରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା | ୫ ଭଉଣୀର ଏକ ମାତ୍ର ଭାଇର ମୃତ୍ୟୁ ଖବରରେ ଗାଁରେ ଶୋକର ଛାୟା ଖେଳିଯାଇଥିଲା |

ଡେଣ୍ଡା ନିବାସୀ ମୋହନଦାସ ବୈଷ୍ଣବଙ୍କ ୫ ଝିଅ ଓ ଗୋଟିଏ ପୁଅ | ୫ ମାସ ପୂର୍ବରୁ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ହୋଇଯାଇଥିଲା | ଡିସେମ୍ବର ୧୩ ତାରିଖରେ ମୋହନଦାସଙ୍କ ୪ଟି ଝିଅଙ୍କ ବାହାଘର ଥିଲା | ତାଙ୍କ ସାନ ଝିଅ ନାବାଳିକା ଏବଂ ଗୋଟିଏ ଦିବ୍ୟାଙ୍ଗ ପୁଅ | ୪ ଝିଅର ବାହାଘରକୁ ନେଇ ପରିବାର ଏବଂ ପୁରା ଗାଁରେ ଖୁସିର ମାହୋଲ ଥିଲା | ବିବାହ ପରେ ରାତିରେ ଝିଅ ବିଦା ହେବାର ଥିଲା | ବିଦା ହେବାବେଳେ ଦିବ୍ୟାଙ୍ଗ ଭାଇ ସବୁ ଭଉଣୀଙ୍କୁ କୁଣ୍ଢେଇ ବିଦାୟ ଦେଉଥିଲା |

ସେତେବେଳେ ସେ ଅଧିକ ଭାବପ୍ରବଣ ହୋଇଯିବାରୁ ହଠାତ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା | ଗାଁଲୋକେ ତାଙ୍କୁ ନେଇ ବାଂଗଡ଼ ହସ୍ପିଟାଲରେ ଭର୍ତ୍ତି କରିଥିଲେ | ୩ ଦିନ ପର୍ଯ୍ୟନ୍ତ ସେ ଚିକିତ୍ସିତ ହେବା ପରେ ମଧ୍ୟ ସ୍ୱାସ୍ଥ୍ୟରେ କୌଣସି ସୁଧାର ଆସିନଥିଲା | ଫଳରେ ଡାକ୍ତର ତାଙ୍କୁ ଯୋଧପୁରକୁ ସ୍ଥାନାନ୍ତର କରିବାକୁ କହିଥିଲେ | ସେ ଯୋଧପୁର ଆଇସିୟୁରେ ଭର୍ତ୍ତି ହୋଇଥିଲେ | ଗୁରୁବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଗଲା | ତାଙ୍କ ମୄତ୍ୟୁର ଖବର ପବନ ଭଳି ଗାଁରେ ପ୍ରଚାର ହୋଇଗଲା | ତାଙ୍କ ମୃତ୍ୟୁରେ ଗାଁଲୋକେ ଅତ୍ୟନ୍ତ ମର୍ମାହତ ହୋଇଗଲେ | ଭଉଣୀମାନେ ବିଦା ହେଲାବେଳେ ରାଜୁ ଭଉଣୀମାନଙ୍କୁ କହିଥିଲା ଯେ, ତାଙ୍କୁ ନେବା ପାଇଁ ତାଙ୍କ ଶାଶୂ ଘରକୁ ସେ ମଧ୍ୟ ବାପାଙ୍କ ସହ ଯିବ | କିନ୍ତୁ ବିଧିର ବିଧାନ ଥିଲା ଅନ୍ୟ କିଛି | ଗୋଟିଏ ପଲକରେ ସବୁ ଖୁସି ଛଡେଇ ନେଇଥିଲେ | ଭଉଣୀମାନଙ୍କ ଶାଶୂଘରକୁ ରାଜୁ ଯାଇନଥିଲା | ବରଂଗ ଯାଇଥିଲା ତାର ମୃତ୍ୟୁ ଖବର |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.