ଭୋକର ଏକ ବିକଳ ଚିତ୍ର ! ବାପାଙ୍କ ଦେହ ଖରାପ, ଘରେ ନାହିଁ ଅଟା କି ଚାଉଳ, ଖାଦ୍ୟ ପାଇଁ ତରଭୁଜ ବିକିବାକୁ ବାହାରିଛନ୍ତି କୁନି ଭାଇ-ଭଉଣୀ

Published By : Prameya-News7 Bureau | May 18, 2020 IST

ଲକ୍ଷ୍ନୌ, ୧୮|୦୫:    ଭାରତରେ ମେ ୩୧ ଯାଏଁ ଲକଡାଉନକୁ ବୃଦ୍ଧି କରାଯାଇଛି । କରୋନା ସଂକ୍ରମଣ ରୋକିବା ପାଇଁ ମାର୍ଚ୍ଚ ୨୫ରୁ ଆରମ୍ଭ ହୋଇଥିବା ଲକଡାଉନ୍ ପାଇଁ ଅନେକ ଶିଳ୍ପାନୁଷ୍ଠାନ, ନିର୍ମାଣ କାର୍ଯ୍ୟ ଆଦି ବନ୍ଦ ରହିଛି । ଫଳରେ ଦିନ ମୁଜରିଆ ଭାବେ ପେଟ ପୋଷୁଥିବା ଓ ପରିବାର ଚଳାଉଥିବା ଲକ୍ଷ ଲକ୍ଷ ଶ୍ରମିକଙ୍କ ବେଉସା ବୁଡିଯାଇଛି । କହିବାକୁ ଗଲେ ଶ୍ରମିକଙ୍କ ଅବସ୍ଥା ଶୋଚନୀୟ ହୋଇଯାଇଛି । ଏହା ମଧ୍ୟରେ ଉତ୍ତର ପ୍ରଦେଶର ଶାହଜହାଁପୁରରେ ଏପରି ଏକ ଚିତ୍ର ସାମ୍ନାକୁ ଆସିଛି ଯାହା ଦେଖିଲେ ଆପଣଙ୍କ ଆଖିରେ ଲୁହ ଜକେଇ ଆସିବ । ଜଣେ ରୁଗ୍ଣ ବାପାର ସେବା ଓ ୨ ଓଳି ଦୁଇ ମୁଠା ଖାଦ୍ୟ ଯୋଗାଡ ପାଇଁ କଅଁଳ ବୟସରେ ଠେଲାଗାଡି ଧରିଛନ୍ତି ଭାଇ-ଭଉଣୀ । ଯେଉଁ ହାତରେ କଲମ ଧରିବା କଥା ସେହି ହାତରେ ଏବେ ସେମାନେ ନିକିତି ଧରିଛନ୍ତି ।

ଏହି ଭାଇ-ଉଭଣୀ ଠେଲାଗାଡିରେ ତରଭୁଜ ବିକ୍ରି କରୁଛନ୍ତି । ଏହି ଠେଲାଗାଡିଟି ଭାଇ ଭଉଣୀଙ୍କ ଉଚ୍ଚତାରୁ କମ ରହିଛି । କିନ୍ତୁ ପରିବାରର ଭୋକ ମେଣ୍ଟାଇବା  ଉଭୟ ଖାଲି ପାଦରେ ଗଳିରୁ ଗଳି ବୁଲି ପରିଶ୍ରମ କରୁଛନ୍ତି ।

ସୂଚନାନୁସାରେ, ଭାଇ-ଭଉଣୀ ଶାହଜାହାଁପୁର ସହରର ଅମଟା ଅଞ୍ଚଳରେ ରୁହନ୍ତି । ସେମାନଙ୍କ ବାପା ଦିନ ମଜୁରିଆ ଭାବେ କାମ କରନ୍ତି । ତେବେ ଗତ କିଛିଦିନ ଧରି ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ରହିଛି । ଲକଡାଉନ୍ ଏବଂ ସ୍ୱାସ୍ଥ୍ୟାବସ୍ଥା ପାଇଁ ସେ ଆଉ ପରିବାରର ଗୁଜୁରାଣ୍ଟ ମେଣ୍ଟାଇ ପାରି ନଥିଲେ । ଫଳରେ ବାଧ୍ୟ ହୋଇ ୨ ଭାଇ-ଭଉଣୀ ଘରୁ ଗୋଡ କାଢିଥିଲେ ପରିବାର ସଦସ୍ୟଙ୍କ ମୁହଁରେ ଦାନା ଦେବା ପାଇଁ । ସେମାନଙ୍କ ଅବସ୍ଥା ଦେଖି ଅନେକ ଲୋକ ସେମାନଙ୍କଠାରୁ ତରଭୁଜ କିଣୁଛନ୍ତି ।

ଏନେଇ ଭାଇଙ୍କୁ ପଚାରିବାରୁ ସେମାନେ ପାଟି ଖୋଲିପାରି ନଥିଲେ । ସେମାନଙ୍କ ଆଖିରୁ କେବଳ ଲୁହ ହିଁ ଧରା ଧାର ହୋଇ ବହିଥିଲା । ଭାଇକୁ ଦେଖିବା ପରେ ଭଉଣୀ ମଧ୍ୟ କାନ୍ଦି ପକାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.