ଦେଶ ବାହାରକୁ ଦାଦନ ଚାଲାଣ କରୁଛନ୍ତି ଦଲାଲ ; କାମ କରାଇବାକୁ କହି ଦେଉଛନ୍ତି ଅକଥନୀୟ ନିର୍ଯାତନା
15/09/2018 at 12:38 PM

କେନ୍ଦୁଝର ୧୫|୯: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସୋସ ଥାନା ଅଞ୍ଚଳରେ ଏବେ ମାତିଛନ୍ତି ଦାଦନ ଦଲାଲ । ଏଠାରୁ ଗରିବ ଲୋକଙ୍କୁ ବିଭିନ୍ନ ଉପାୟରେ ଫସାଇ ଦେଶ ବାହାରକୁ ବିଭିନ୍ନ ଅଞ୍ଚଳକୁ ଚାଲାଣ କରୁଛନ୍ତି ଦାଦନ ଦଲାଲ । ଆଉ ଏହି ନିର୍ଯାତନାର ଶିକାର ହୋଇ ଗାଁକୁ ଫେରି କହିଛନ୍ତି ଅକଥନୀୟ ନିର୍ଯାତନାର କାହାଣୀ ।
ସୂଚନା ଅନୁସାରେ ଆନନ୍ଦପୁର ସୋସୋ ଥାନା ଅନ୍ତର୍ଗତ ଝଣଝଣା ଗାଁର ୧୦ ଜଣ ପୁରୁଷ ଓ ମହିଳାଙ୍କୁ କୋଲକାତାରେ କାମ କରାଇବାକୁ ପ୍ରତିଶ୍ରୁତି ଦେଇ ଦଲାଲ ନେଇଯାଇଥିଲେ ନାଗାଲାଣ୍ଡ । ନାଗାଲାଣ୍ଡର ଏକ ପ୍ଲାଇଉଡ୍ କମ୍ପାନୀରେ ନିର୍ଦ୍ଧୁମ୍ କାମ କରାଇବା ସହିତ ଦେଇଥିଲେ ଅକଥନୀୟ ନିର୍ଯାତନା। ଏପରିକି ତାଙ୍କୁ ରେଡ୍ ଲାଇଟ୍ ଏରିଆରେ ବିକ୍ରି କରିଦେବାକୁ ଦିଆଯାଇଥିଲା ଧମକ। ସେମାନଙ୍କୁ ଖାଇବା ପିଇବାକୁ ନଦେଇ ମାଡ଼ଗାଳି ଦିଆଯାଉଥିଲା। କାମର ମଜୁରୀ ମଧ୍ୟ ଠିକ୍ ଭାବେ ଦିଆଯାଉନଥିଲା। ରଞ୍ଜନ ନାମକ ଜଣେ ଦଲାଲ ସେଠାରେ ଏମାନଙ୍କୁ କାମରେ ଲଗାଉଥିଲା। କାମରେ ଟିକିଏ ଏପଟ ସେପଟ ହେଲେ ଦିଆଯାଉଥିଲା ପ୍ରବଳ ମାଡ଼। ଏପରି ସ୍ଥିତିରେ ସେମାନଙ୍କ ମଧ୍ୟରୁ ୯ ଜଣ ଶ୍ରମିକ ଖସି ଆସିଥିବା ବେଳେ କେବଳ ପ୍ରେମ ଦେହୁରୀ ଖସି ପାରିନଥିଲେ ।
ନିର୍ଯାତନା ପରେ ସ୍ଥାନୀୟ ଲୋକେ ସୋସୋ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଏହାକୁ ଗୁରୁତ୍ବ ଦେଇନଥିଲା । ଏ ନେଇ ଗଣମାଧ୍ୟମ ପାଖରେ ଖବର ପ୍ରସାରିତ ହେବା ପରେ ପୋଲିସ ଝଣଝଣା ଗାଁରେ ପହଞ୍ଚି ଦାଦନ ଚାଲାଣ ଓ ନିର୍ଯାତନା ସଂପର୍କରେ ତଦନ୍ତ କରିଛି । ସ୍ଥାନୀୟ ଲୋକେ ଏହି ଦାଦନ ଦଲାଲ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।