ବସ୍ତିରେ ଚାଲିଛି ଜାଗା ଓ ବେପାର, ଘର ବିକୁଛନ୍ତି ଦଲାଲ୍: ରାଜଧାନୀର ବିଭିନ୍ନ ବସ୍ତିରେ କୁଜି ନେତାଙ୍କ ପତିଆରା

Published By : Prameya-News7 Bureau | January 19, 2021 IST

ଭୁବନେଶ୍ୱର ୧୯/୦୧ : ବସ୍ତିରେ ଯେଉଁମାନେ ରହୁଛନ୍ତି ସେମାନେ ଯେ ସମସ୍ତେ ଗରିବ ସେକଥା ଭାବିବା ଭୁଲ୍‌ । ଏମିତି ବି ଲୋକ ଅଛନ୍ତି ଯେଉଁମାନେ ବସ୍ତିରେ ଏକାଧିକ ଘର ଭଡ଼ା ଲଗାଇଛନ୍ତି । ଆଉ ବସ୍ତିରେ ଘର କିଣାବିକା ବି ଚାଲିଛି । ସରକାରୀ ଯୋଜନାରେ ଘର ହାତେଇବାକୁ କିଛି ଲୋକ ବସ୍ତିରେ ଘର କିଣୁଛନ୍ତି । ଏମିତିରେ ରାଜଧାନୀର ବିଭିନ୍ନ ବସ୍ତିରେ ଜାଗା ଓ ଘର ବେପାର ଏବେ ଖୁବ୍‌ ଜମିଛି । ବିଭିନ୍ନ ରାଜନୈତିକ ଦଳର କୁଜିନେତାଙ୍କ ଦ୍ବାରା ଏସବୁ କାରବାର ଚାଲିଥିବା ଚର୍ଚ୍ଚା ହେଉଛି ।

{"id":394971,"sizeSlug":"large","linkDestination":"none"}

ବସ୍ତିରେ ଚାଲିଛି ବେପାର । ଘର ବିକୁଛନ୍ତି ଦଲାଲ୍‌ । ବସ୍ତିରେ ରହୁନଥିବା କିଛି ଲୋକଙ୍କ ଭଡ଼ା ଲାଗିଛି ଏକାଧିକ ଘର । ବର୍ଷ ବର୍ଷ ଧରି ରାଜଧାନୀର ବିଭିନ୍ନ ବସ୍ତିରେ କୁଜି ନେତାଙ୍କ ପତିଆରା ଦେଖିବାକୁ ମିଳୁଛି । ଏବେ ବିଡିଏ ଏନଫୋର୍ସମେଣ୍ଟ ଟିମ୍‌ର ବସ୍ତି ଉଚ୍ଛେଦ ବେଳେ ଏମିତି କିଛି ଘଟଣା ସାମ୍ନାକୁ ଆସିଛି । ଓ୍ବାର୍ଡ଼ ନମ୍ବର ୯ ଅରବିନ୍ଦ ନଗର ବସ୍ତିର । ଏହି ଡକ୍ୟୁମେଣ୍ଟସ୍‌ ଉପରେ ଟିକେ ନଜର ପକାନ୍ତୁ । କାଗଜରେ ଲେଖା ଅନୁସାରେ ଏଠି ଭଞ୍ଜକୃଷ୍ଣ ସାହୁ ନାମକ ଜଣେ ବ୍ୟକ୍ତି ନୀଳକଣ୍ଠ ସାହୁଙ୍କୁ ଘର ବିକିଛନ୍ତି । ୧୧ବର୍ଷ ତଳେ ୧୫ହଜାର ଟଙ୍କାରେ ନୀଳକଣ୍ଠ ଏହି ଘରକୁ କିଣିଛନ୍ତି । ଏବେ ତ ଏହି ରେଟ୍‌ ୫୦ହଜାରରୁ ଲକ୍ଷେ ପର୍ଯ୍ୟନ୍ତ ଗଲାଣି । ନୀଳକଣ୍ଠଙ୍କୁ ଘର ବିକିଥିବା ଭଞ୍ଜକୃଷ୍ଣ ସାହୁଙ୍କର ଏହି ବସ୍ତିରେ ଗୋଟିଏ କି ଦୁଇଟି ନୁହେଁ ୪ ଚାରିଟା ଘର ରହିଥିବା ଅଭିଯୋଗ ହୋଇଛି । ବାବୁ ବାହାରେ ରହୁଛନ୍ତି, କିନ୍ତୁ ବସ୍ତିରେ ଚଳାଇଛନ୍ତି ବେପାର । ଘର ଭଡ଼ା ଲଗାଇ ମାଲ୍‌ କମାଉଛନ୍ତି । ସବୁଠୁ ବଡ଼ କଥା ହେଲା ଭଞ୍ଜକୃଷ୍ଣଙ୍କୁ ବିଏମସି ତରଫରୁ ଗାଡ଼କଣରେ ବସ୍ତି ଲୋକଙ୍କ ପାଇଁ କରାଯାଇଥିବା ଫ୍ଲାଟ୍‌ରେ ଘର ଖଣ୍ଡେ ବି ମଳିଥିବା କୁହାଯାଉଛି ।

{"id":394972,"sizeSlug":"large","linkDestination":"none"}

କେବଳ ଜଣେ ଭଞ୍ଜକୃଷ୍ଣ ନୁହନ୍ତି । ଭଞ୍ଜକୃଷ୍ଣଙ୍କ ଭଳି ଆହୁରି ଅନେକ ପ୍ରଭାବଶାଳୀ, ବିଭିନ୍ନ ରାଜନୈତିକ ଦଳର କୁଜି ନେତା ବିଭିନ୍ନ ବସ୍ତିରେ ଏମିତି ଘର, ଜାଗା ବେପାର ଚଳାଇଛନ୍ତି । ବସ୍ତିରେ ଜାଗା କି ଘର ଖଣ୍ଡେ ଥିଲେ ସରକାରୀ ଆବାସ ଯୋଜନାରେ ଘର ମିଳିବା ଆଶାରେ କିଛି ଲୋକ ବସ୍ତିରେ ଜାଗା ଘର କିଣୁଛନ୍ତି । ଯାହାର ଫାଇଦା ଉଠାଉଛନ୍ତି କିଛି ଦଲାଲ୍‌ । ଫଳରେ ଏଠି ମଳିମୁଣ୍ଡିଆ ଅଭାବୀ ଲୋକଙ୍କୁ ଘର ମିଳୁନି ହେଲେ ଘର ବେପାର କରି ମାଲେମାଲ ହେଉଥିବା ଲୋକଙ୍କୁ ମିଳୁଛି ଏକାଧିକ ଘର । ବିଡିଏ ଏନ୍‌ଫୋର୍ସମେଣ୍ଟ ଅଧିକାରୀ ମଧ୍ୟ ଏଭଳି ଘଟଣାକୁ ସ୍ବିକାର କରିଛନ୍ତି ।

ଯେଉଁଠି ବସ୍ତିଗୁଡ଼ିକ ଉପରେ ସିଧାସଳଖ ନେତାଙ୍କ ନିୟନ୍ତ୍ରଣ ରହିଛି ସେଠି ଏଭଳି ଦଲାଲ୍‌, କୁଜିନେତାଙ୍କୁ ସାବାଡ଼ ପାଇଁ ପ୍ରଶାସନ କ’ଣ  କରିପାରିବ ତାକୁ ନେଇ ଉଠିଛି ପ୍ରଶ୍ନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.