ଇମ୍ରାନ୍ ଖାନ୍ କରୋନାରେ ସଂକ୍ରମିତ ! ବ୍ରିଟିଶ ଟିଭି ଚ୍ୟାନେଲରେ ପ୍ରସାରିତ ଖବର ନେଇ ଆଲୋଡନ

Published By : Prameya-News7 Bureau | March 28, 2020 IST

ଇସଲାମାବାଦ ୨୮।୩: ସତରେ କଣ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କରୋନା ଭାଇରସ୍ ରେ ସଂକ୍ରମିତ ? ଏଭଳି ଏକ ଖବର ଚାଲିଥିଲା ବ୍ରିଟିଶ ଟିଭି ଚ୍ୟାନେଲରେ । ଆଙ୍କର ପଢିଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କୋଭିଡ଼-୧୯ରେ ସଂକ୍ରମିତ । ଏଭଳି ଏକ ଖବରକୁ ନେଇ ଆଲୋଚନା ବେଳେ ଇମ୍ରାନଙ୍କ ଦଳ ତେହେରିକ୍-ଏ-ଇନସାଫର ନେତା ଡକ୍ଟର ଶାହବାଜ ଗୁଲ୍ କହିଛନ୍ତି ଯେ, ବ୍ରିଟିଶ ଟିଭି ଚ୍ୟାନେଲ ଭୁଲରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କରୋନା ଭାଇରସରେ ସଂକ୍ରମିତ ହେବାର ଖବର ଦେଇଛି ।

‘ଡେଲି ପାକିସ୍ତାନ’ର ଖବର ଅନୁଯାୟୀ ଡକ୍ଟର ଶାହବାଜ ଗୁଲ୍ ଏକ ଟ୍ବିଟରରେ କହିଛନ୍ତି ଯେ, ଏକ ବ୍ରିଟିଶ ଟିଭି ଚ୍ୟାନେଲ ଦ୍ବାରା ତାଙ୍କ ଦେଶର ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ କରୋନା ସଂକ୍ରମିତ ହେବାର ଖବର ଚଲାଇବାର ଥିଲା । କିନ୍ତୁ ସେ ଭୁଲରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ନାଁ ଲେଖିଦେଇଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ଆଲ୍ଲାଙ୍କ ଆଶୀର୍ବାଦରୁ ଇମ୍ରାନ ଖାନ୍ ସାହେବ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ସେ କିଛି ସମୟ ପୂର୍ବରୁ ଅଫିସରୁ ଘରକୁ ଯାଇଛନ୍ତି ।’

ସୂଚନାଯୋଗ୍ୟ ଯେ, ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ କରୋନା ଭାଇରସ୍ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ସେବେଠାରୁ ସେ ନିଜକୁ କ୍ବାରେଣ୍ଟାଇନ୍ କରିଛନ୍ତି । ଏହାସହ ସେ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ, ସେ ଭିଡିଓ କନଫରେନ୍ସ ମାଧ୍ୟମରେ କରୋନା ବିରୋଧରେ ଜାତୀୟ ଯୁଦ୍ଧର ନେତୃତ୍ବ ନେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.