ବେଲଜ୍ଜାର ସବୁ ସୀମା ଲଙ୍ଘିଲେ ପାକ୍ ମିଡିଆ, ପ୍ରସାରଣ କଲେ ବୋରିସ୍ ଜନସନଙ୍କ ମୃତ୍ୟୁ ଖବର
7/04/2020 at 7:43 PM

ଇସଲାମାବାଦ ୦୭।୦୪: କରୋନା ଭାଇରସ୍ ସଂକ୍ରମିତ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଆଇସିୟୁରେ ଭର୍ତ୍ତି ହେବା ପରେ ପୂରା ଦୁନିଆ ଯେଉଁଠି ତାଙ୍କର ସୁସ୍ଥ ହେବା ନେଇ କାମନା କରୁଛନ୍ତି ସେଠି ପାକିସ୍ତାନ ମିଡିଆ ବେଲଜ୍ଜାର ସବୁ ସୀମା ଲାଙ୍ଘି ଦେଇଛନ୍ତି। ସେଠାକାର ବେଲଜ୍ଜା ମିଡିଆ ଜନସନଙ୍କ ମୃତ୍ୟୁ ଖବର ପ୍ରସାରଣ କରିଛନ୍ତି। ଏହି ବେପରୁଆ କାମ ପାଇଁ ପାକିସ୍ତାନକୁ ଦୁନିଆ ସମ୍ମୁଖରେ ଲଜ୍ଜିତ ହେବାକୁ ପଡିଛି ଏବଂ ଏହାକୁ ନେଇ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ଅସହଜ ସ୍ଥିତିରେ ଅଛନ୍ତି। ଗୋଟିଏ ପଟେ ପାକିସ୍ତାନ ମିଥ୍ୟା ଖବର ଚଲାଇଥିବା ବେଳେ ଅନ୍ୟପଟେ ଡାଉନିଙ୍ଗ ଷ୍ଟ୍ରିଟ୍ ଜନସନଙ୍କ ସ୍ଵାସ୍ଥ୍ୟବସ୍ଥାରେ ସୁଧାର ଆସୁଥିବା ଖବର ଦେଇଛି।
ପାକ୍ର ପ୍ରତିଷ୍ଠିତ ନ୍ୟୁଜ୍ ଚ୍ୟାନେଲ୍ ଡନ୍ ବ୍ରିଟେନର ଏକ ନ୍ୟୁଜ୍ ଚ୍ୟାନେଲର ଜାଲ୍ ଆକାଉଣ୍ଟର ଦ୍ଵାହି ଦେଇ ଏହି ଖବର ପ୍ରସାରଣ କରିଥିଲା ଯେ, ଜନସନଙ୍କ ମୃତ୍ୟୁ ଘଟିଛି। ଏହା ପରେ ପାକ୍ ମିଡିଆକୁ ଖୁବ୍ ଟ୍ରୋଲ କରାଯାଉଛି। ମାତ୍ର ସବୁଠୁ ବଡ ଆଶ୍ଚର୍ଯ୍ୟର କଥା ଏତେ ବଡ ନ୍ୟୁଜ୍ ଚ୍ୟାନେଲ୍ ଏହି ଖବର ପ୍ରସାରଣ କରିବା ପୂର୍ବରୁ ତଥ୍ୟର ଯାଞ୍ଚ କରିବାକୁ ଉଚିତ୍ ମଣି ନଥିଲା କାରଣ ଯେଉଁ ଆକାଉଣ୍ଟର ସୂଚନାରୁ ଏହି ଖବର ପ୍ରସାରଣ କରାଯାଇଥିଲା, ସେହି ଆକାଉଣ୍ଟକୁ ମାତ୍ର ୧୦୦ ଜଣ ଫଲୋ କରନ୍ତି। ଏହି କାମ ପରେ ଲୋକେ ଡନ୍ ନ୍ୟୁଜ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି।
ଉଲ୍ଲେଖନୀୟ ବୋରିସ୍ ଜନସନଙ୍କୁ ନିୟମିତ ସ୍ଵାସ୍ଥ୍ୟ ଯାଞ୍ଚ ପାଇଁ ହସ୍ପିଟାଲ ନିଆଯାଇଥିଲା ମାତ୍ର ତାଙ୍କର ସ୍ଵାସ୍ଥ୍ୟ ଅଧିକ ବିଗିଡିବାରୁ ଆଇସିୟୁରେ ଭର୍ତ୍ତି କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ବୋରିସ୍ଙ୍କ ସ୍ଥାନରେ ବୈଦେଶିକ ମନ୍ତ୍ରୀ ଡମିନିକ୍ ରବ କାର୍ଯ୍ୟଭାର ସମ୍ଭାଳିଛନ୍ତି।
ବ୍ରିଟିଶ୍ ନ୍ୟୁଜ୍ ଚ୍ୟାନେଲ୍ ପାକିସ୍ତାନର ଏହି ମିଥ୍ୟା ଖବର ମଧ୍ୟରେ କହିଛି ଯେ, ବୋରିସ୍ ଜନସନଙ୍କ ସ୍ଵାସ୍ଥ୍ୟବସ୍ଥାରେ ସୁଧାର ଆସୁଛି ଏବଂ ତାଙ୍କୁ ଭେଣ୍ଟିଲେଟରର ଆବଶ୍ୟକତା ବି ନାହିଁ। ଭେଣ୍ଟିଲେଟର କୌଣସି ରୋଗୀଙ୍କୁ ସେହି ସମୟରେ ଦିଆଯାଏ ଯେବେ ସେ ନିଜେ ନିଃଶ୍ଵାସ ନେଇ ପାରନ୍ତି ନାହିଁ। ଅନ୍ୟପଟେ ଡାଉନିଙ୍ଗ ଷ୍ଟ୍ରିଟ୍ ମଧ୍ୟ ପ୍ରେସ୍ ବିଜ୍ଞପ୍ତିରେ ସୂଚନ ଦେଇଛି ଯେ, ବୋରିସ୍ ଜନସନଙ୍କ ସ୍ଵାସ୍ଥ୍ୟବସ୍ଥାରେ ସୁଧାର ଆସୁଛି ଏବଂ ତାଙ୍କୁ ଭେଣ୍ଟିଲେଟରର ଆବଶ୍ୟକତା ମଧ୍ୟ ନାହିଁ।