କରୋନା ଭାଇରସ୍ ଯୋଗୁ ଚୀନକୁ ବନ୍ଦ ହେଲା British Airwaysର ବିମାନ ଉଡାଣ
29/01/2020 at 8:17 PM

ଲଣ୍ଡନ ୨୯।୧: ଚୀନରେ ନୂଆ କରୋନା ଭାଇରସ ସଂକ୍ରମଣ ଯୋଗୁ ବ୍ରିଟିଶ ଏୟାର ୱେଜର ବିମାନ ଚଳାଚଳ ବନ୍ଦ ହୋଇଛି। ଫଳରେ ବ୍ରିଟେନର କୌଣସି ବିମାନ ବନ୍ଦରରୁ ଏବେ ଚୀନର ବେଜିଂ ଓ ସାଂଘାଇକୁ ଆଉ ବିମାନ ଚଳାଚଳ କରିବନି। ବିମାନ କମ୍ପାନୀ ଆସନ୍ତା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଏହି କଟକଣା ଲାଗୁ କରିଥିବା ଏକ ବୟାନରେ କହିଛନ୍ତି।

ବୈଦେଶିକ ମନ୍ତ୍ରାଳୟଙ୍କ ନିର୍ଦ୍ଦେଶାନୁସାରେ ଏହି ମାର୍ଗରେ ବିମାନ ଚଳାଚଳ ବନ୍ଦ କରାଯାଇଥିବା ଏୟାରୱେଜ୍ କହିଛି। ତେବେ ଏଥିଯୋଗୁ ଉପୁଜିବାକୁ ଥିବା ସମସ୍ୟା ଲାଗି ଏୟାରୱେଜ କର୍ତ୍ତୃପକ୍ଷ ତାଙ୍କର ସମସ୍ତ ଯାତ୍ରୀଙ୍କୁ କ୍ଷମାଯାଚନା କରିଛନ୍ତି। ସୁରକ୍ଷାଗତ କାରଣରୁ ଏପରି ନିଷ୍ପତ୍ତି ନିଆଯାଇଥିବା ଓ ଯାତ୍ରୀ ତଥା ଚାଳକଦଳ ସଦସ୍ୟଙ୍କ ସୁରକ୍ଷା ଲାଗି କମ୍ପାନୀ ଏହି ପଦକ୍ଷେପ ଗ୍ରହଣ କରିଥିବା କହିଛି।

ସୂଚନା ଯୋଗ୍ୟଯେ ଚୀନରେ କରୋନା ଭାଇରସର ପ୍ରକୋପ ଯୋଗୁ ବ୍ରିଟେନ ବୈଦେଶିକ ମନ୍ତ୍ରାଳୟ ଚୀନ ପର୍ଯ୍ୟଟକଙ୍କୁ ଭିସା ଦେବା ଏବେ ବନ୍ଦ କରିଦେଇଛନ୍ତି। ଦେଶରେ ମଙ୍ଗଳବାରଠାରୁ ଏହି କଟକଣା ଜାରି ହୋଇଛି। ଏଥି ସହ ବୈଦେଶିକମନ୍ତ୍ରାଳୟ ଚୀନ ସହ ପରିବହନ ସମ୍ପର୍କ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ବ୍ରିଟିଶ ଏୟାରୱେଜ୍ ପ୍ରଥମ କରି କଟକଣା ଜାରି କରିଛନ୍ତି।

ପ୍ରତିଦିନ ଚୀନର ବେଜିଂ ଓ ସାଂଘାଇ ଉଦ୍ଦେଶ୍ୟରୁ ହେଥ୍ରୋରୁ ଶହଶହ ବିମାନ ଉଡାଣ କରୁଥିଲା। ତେବେ ଚୀନରେ କରୋନା ଭାଇରସ ବେଳକୁ ବେଳ ଉଗ୍ର ହେଉଥିବାରୁ ଏବେ ବାଧ୍ୟ ହୋଇ ଏଭଳି କଟକଣା ଜାରି କରିଛନ୍ତି।