Thursday, June 27, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜାଲିଆନୱାଲାବାଗ ନୃଶଂସ ଗଣହତ୍ୟା ଘଟଣାକୁ ଆଜି ପୂରିଛି ଶହେ ବର୍ଷ: କେମିତି ଥିଲା ସେ ଲୋମ ହର୍ଷଣକାରୀ ଘଟଣା ଜାଣନ୍ତୁ

ନୂଆଦିଲ୍ଲୀ୧୩|୪; ଜାଲିଆନୱାଲା ବାଗ ନୃଶଂସ ଗଣହତ୍ୟା ଘଟଣାକୁ ଆଜି ପୂରିଛି ଶହେ ବର୍ଷ। ଆଉ ଏହି  ଘଟଣାର ଶହେବର୍ଷ ଅବସରରେ ଆଜି ବ୍ରିଟ୍ରିଶ ହାଇକମିଶନର ପଂଜାବର ଜାଲିଆନାୱାଲବାଗକୁ ଯାଇ ସହିଦ ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।  ଏହି କଳଙ୍କିତ ଘଟଣା ପାଇଁ ବ୍ରିଟେନ ଦୁଃଖ ପ୍ରକାଶ କରୁଥିବା ଉଲ୍ଲେଖ କରିଛନ୍ତି ବ୍ରିଟିଶ ହାଇକମିଶନର । ଏହାସହ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ଘଟଣା ସ୍ଥଳକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।…

୧୩ ଏପ୍ରିଲ ୧୯୧୯, ରବିବାର। ପଂଜାବରେ ବୈଶାଖୀର ଆସର ଜମି ଆସିଥିଲା।  ଅମୃତସରର ଜାଲିଆନାୱାଲା ବାଗରେ ଏକାଠି ହୋଇଥିଲେ ହଜାର ହଜାର ଶିଖ୍ ଦେଶଭକ୍ତ। ୬-୭ ଏକରର  ଏକ ପଡ଼ିଆ, ଚାରିପଟେ ଥିଲା ପଥରର ଉଚ୍ଚ ପାଚେରୀ।  ପ୍ରବେଶ ପାଇଁ ଗୋଟିଏ ମାତ୍ର ଅଣ ଓସାରିଆ ସଂକୀର୍ଣ୍ଣ ରାସ୍ତା । ଏକାଠି ହୋଇ ଶାନ୍ତିପୂର୍ଣ୍ଣ ଭାବେ ବ୍ରିଟିଶ ସରକାରର କୁଶାସନ ସଂପର୍କରେ ଲୋକଙ୍କୁ ଅବଗତ କରୁଥିଲେ କିଛି ସ୍ବାଧୀନତା ସଂଗ୍ରାମୀ । ସ୍ବର୍ଣ୍ଣମନ୍ଦିରରେ ପ୍ରାର୍ଥନା ସାରି ଘରକୁ ଫେରୁଥିବା ଶହ ଶହ ଭକ୍ତ ମଧ୍ୟ ସେଠାରେ ପହଞ୍ଚିଥିଲେ।  ସ୍ବାଧୀନତା ସଂଗ୍ରାମୀ ସତ୍ୟ ପାଲ ଏବଂ ସୈଫୁଦ୍ଦିନ କିସଲ୍ୟୁଙ୍କ ଗିରଫଦାରିର ମଧ୍ୟ ପ୍ରତିବାଦ କରାଯାଉଥିଲା।  ସେ ସମୟରେ ପଂଜାବର ଗଭର୍ଣ୍ଣର ଥିଲେ ଜେନେରାଲ ରେଜିନାଲଡ ଡାୟାର।  ବ୍ରିଟିଶ ସରକାର ବିରୋଧରେ କୌଣସି ବି  ଆନ୍ଦୋଳନ ଧାରଣାକୁ ସେ ନିଷିଦ୍ଧ କରିଥିଲେ।  ଆଉ ଯେତେବେଳେ ଜାଲିଆନାୱାଲାବାଗରେ ହଜାର ହଜାର ସଂଗ୍ରାମୀ ଏକାଠି ହୋଇଥିବା ଖବର ଶୁଣିଲେ, ରକ୍ତମୁଖା ଡାୟାର ସେନାବାହିନୀ ଧରି ଘଟଣା ସ୍ଥଳରେ ପହଞ୍ଚିଯାଇଥିଲା ।…

ଆଖି ଆଗରେ ହଜାର ହଜାର ସଂଗ୍ରାମୀଙ୍କୁ ଦେଖିବା ପରେ ଫାୟାରିଂ ପାଇଁ ଅଡର ଦେଇଥିଲା ଡାୟାର।  ଚାଲିଲା ଅନ୍ଧାଧୁନ ଗୁଳିବର୍ଷା । କେହି ବାହାରକୁ ବାହାରିବା ପାଇଁ ବି ସୁଯୋଗ ନଥିଲା।  କିଏ ପାଚେରୀ ଚଢ଼ିବାକୁ ଉଦ୍ୟମ କରିବା ସମୟରେ ଗୁଳିମାଡ଼ ଖାଇ ଖସି ପଡ଼ିଥିଲା ତ ଆଉ କିଏ ଆଖି ଆଗରେ ଦେଖିଥିଲା ତାର ପ୍ରିୟଜନ ଗୁଳିରେ ଲୋଟି ପଡ଼ିବାର ଦୃଶ୍ୟ । ଏମିତିକି ମହିଳାମାନେ ମଧ୍ୟ ରକ୍ଷା ପାଇନଥିଲେ। ସେଠାରେ ଥିବା ଏକ କୂଅ ଭିତରକୁ ଡେଇଁ ପଡ଼ିଥିଲେ ଅନେକ । ବ୍ରିଟିସ ସରକାରର କହିବା ଅନୁସାରେ କୁଆଡ଼େ ଏଥିରେ ୩୭୯ ଜଣଙ୍କ ମୃତ୍ୟୁ ହୋଇଥିଲା।  ୧୨ ଜଣ ଆହତ ହୋଇଥିଲେ। ହେଲେ ବାସ୍ତବରେ ଏହି ଘଟଣାରେ ହଜାରେରୁ ଅଧିକ ପ୍ରାଣ ହରାଇଥିଲେ।…

ସେହି ଲୋମହର୍ଷଣକାରୀ ଘଟଣାକୁ ଆଜି ଶହେ ବର୍ଷ ପୂରିଛି।  ସେତେବେଳେ ଏହି ଘଟଣାକୁ ନେଇ ତିଳେମାତ୍ର ଶୋଚନା କରିନଥିବା ବ୍ରିଟିସ ସରକାର କେବଳ ଜେନେରାଲ ଡାୟାରଙ୍କୁ ବ୍ରିଟେନ୍ ଫେରାଇ ନେଇଥିଲା ।ଆଉ ୧୯୪୦ରେ ଡାୟରଙ୍କୁ ହତ୍ୟା କରିଥିଲେ ଉଦ୍ଦାମ ସିଂ।

ଜାଲିଆନୱାଲା ବାଗ୍ ନରସଂହାରର ଶହେ ବର୍ଷ ପରେ ଏବେ ବ୍ରିଟେନ ଦୁଃଖ ପ୍ରକାଶ କରଛି ।

ବୁଧବାର ବ୍ରିଟିଶ ପାର୍ଲାମେଣ୍ଟରେ ଜାଲିଆନାୱାଲା ବାଗ୍  ଘଟଣା ନେଇ ବ୍ରିଟେନ ପ୍ରଧାନମନ୍ତ୍ରୀ ଥେରେସା ମେ ଦୁଃଖ ପ୍ରକାଶ କରିଥିବା ବେଳେ ଆଜି ଭାରତରେ ଅବସ୍ଥାପିତ ବ୍ରିଟେନ ହାଇକମିଶନର ଡୋମିନିକ ଆସକ୍ବିଥ ଜାଲିଆନାୱାଲବାଗ୍ ଯାଇ ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। …

ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଏବଂ କଂଗ୍ରେସ ନେତା ନଜଜୋତ ସିଂହ ସିଦ୍ଧୁ ମଧ୍ୟ ଜାଲିଆନାୱାଲା ବାଗ୍  ସ୍ମୃତିସ୍ଥଳକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଘଟଣା ସଂପର୍କିତ ଏକ କଏନ ଏବଂ ପୋଷ୍ଟାଲ ଷ୍ଟାମ୍ପ ଉନ୍ମୋଚନ କରିଛନ୍ତି ଉପରାଷ୍ଟ୍ରପତି ।….

300 Views

   ସମ୍ବନ୍ଧିତ ଖବର