ବ୍ରିଟିଶ ଫାର୍ମା କମ୍ପାନୀ ଆଷ୍ଟ୍ରାଜେନେକା ୧୦୦ କୋଟି କରୋନା ଭାକସିନ୍ ତିଆରି କରିବ, ସେପ୍ଟେମ୍ବର ସୁଦ୍ଧା ଯୋଗାଇ ଦେବ
21/05/2020 at 7:32 PM

ଲଣ୍ଡନ, ୨୧|୦୫: କରୋନା ମୁକାବିଲାରେ ବଡ ସଫଳତା । ଏହି ମହାମାରୀକୁ ମାତ୍ ଦେବ ଅକ୍ସଫୋର୍ଡ ୟୁନିଭର୍ସିଟିରେ ତିଆରି ହୋଇଥିବା ଭାକସିନ୍ । ଏହି ଭାକସିନକୁ ଏବେସୁଦ୍ଧା ବିଭିନ୍ନ ଦେଶରୁ ୪୦୦ ବିଲିୟନ ଅର୍ଡର ମିଳିସାରିଲାଣି । ତେବେ ସେପ୍ଟେମ୍ବର ସୁଦ୍ଧା ପ୍ରାୟ ୧୦୦ କୋଟି ଭାକସିନ୍ ପ୍ରସ୍ତୁତ ହୋଇପାରିବ ବୋଲି କହିଛି ଔଷଧ ନିର୍ମାତା ଆଷ୍ଟ୍ରାଜେନେକା ନାମକ ଏକ କମ୍ପାନୀ ।
ଆଷ୍ଟ୍ରାଜେନେକା କହିଛି ଯେ, ଏବେସୁଦ୍ଧା ଅନେକ ଦେଶ ଅର୍ଡର ଦେଇଛନ୍ତି । କିନ୍ତୁ ଆଉ ବେଶୀ ଅର୍ଡର ରଖିବା ସମ୍ଭବପର ନୁହେଁ । ଏହାର କ୍ଲିନିକାଲ ଟ୍ରାଏଲ ରେଜଲ୍ଟ୍ କିଛି ଦିନ ମଧ୍ୟରେ ଆସିଯିବ । ତୃତୀୟ ପର୍ଯ୍ୟାୟରେ ଏହାକୁ ୩୦ ହଜାରଜଣଙ୍କ ଠାରେ କ୍ଲିନିକାଲ ଟ୍ରାଏଲ କରାଯାଇଛି । ଏହାସଫଳ ହେଲେ ଅନ୍ୟ ଦେଶରେ ଏହାକୁ ଟ୍ରାଏଲ କରାଯିବ । ସେପ୍ଟେମ୍ବର ସୁଦ୍ଧା ଇଂଲଣ୍ଡରେ ୩୦ ମିଲିୟନ ଲୋକଙ୍କୁ ଭାକସିନ୍ ପ୍ରଦାନ କରାଯିବ ବୋଲି ଯୋଜନା କରାଯାଉଛି ।

କମ୍ପାନୀର ସିଇଓ ପାସକାଲ ସୋରିଓଟ୍ କହିଛନ୍ତି ଯେ, ବହୁତ ଜଲଦି କରୋନା ଭାଇରସର ମୁକାବିଲା କରାଯିବ । ନଚେତ୍ ଏହା ଦେଶର ଅର୍ଥନୀତିକୁ କ୍ଷତି ପହଁଚାଇବ । ସାରା ବିଶ୍ୱରେ ଏହି ସ୍ଥିତି ଉପୁଜିଛି । ଏହାସହ ସେ ଭାକସିନ୍ ବିକଶିତ କରିବାରେ ସାହାଯ୍ୟ କରିଥିବାରୁ ବ୍ରିଟେନ ଓ ଆମେରିକା ସରକାରଙ୍କୁ ଧନ୍ୟାବଦ ଜଣାଇଛନ୍ତି । ୟୁଏସ୍ ବାୟୋମେଡିକାଲ ଆଡଭାନସଡ୍ ରିସର୍ଚ୍ଚ ଓ ଡେଭଲେପମେଣ୍ଟ୍ ଅଥରିଟୀ ପ୍ରାୟ ୧୦୦ କୋଟି ଅର୍ଡର କରିଛି ।
ଅକ୍ସଫୋର୍ଡ ୟୁନିଭର୍ସିଟି କହିଥିଲା ଯେ, ଗବେଷକମାନେ କୋଭିଡ-୧୯ର ଭାକସିନ୍ ପ୍ରସ୍ତୁତ କରିବା ପାଇଁ ପ୍ରୟାସ ଚଳାଇଛନ୍ତି ।ଏହାକୁ ଶୁକ୍ରବାର ୧୮ରୁ ୫୫ ବୟସର ବ୍ୟକ୍ତିଙ୍କ ଉପରେ ପ୍ରୟୋଗ କରାଯାଇଛି । ଏଥିରେ ଭାଇରାଲ୍ ଭେକ୍ଟୋରେଡ୍ ଟେକ୍ନୋଲୋଜିକୁ ବ୍ୟବହାର କରାଯାଇଛି ।