ବ୍ରିସବେନ୍ ଟେଷ୍ଟ୍ : ଅର୍ଦ୍ଧଶତକରୁ ବଞ୍ଚିତ ହେଲେ ରୋହିତ, ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୬୨/୨
16/01/2021 at 12:50 PM

ବ୍ରିସବେନ୍,୧୬/୦୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବ୍ରିସବେନରେ ଖେଳାଯାଉଛି ଚତୁର୍ଥ ତଥା ନିର୍ଣ୍ଣାୟକ ଟେଷ୍ଟ । ମ୍ୟାଚର ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ ୨ ଓ୍ୱିକେଟ୍ ହରାଇ ୬୨ ରନ୍ କରିଛି । ଦ୍ୱିତୀୟ ଦିନରେ ଲଞ୍ଚ୍ ବ୍ରେକ ସୁଦ୍ଧା ଅଷ୍ଟ୍ରେଲିଆ ୩୬୯ରେ ଅଲଆଉଟ୍ ହୋଇଯାଇଥିଲା । ଏହାପରେ ଭାରତର ପାଳି ଆରମ୍ଭ ହୋଇଥିଲା ।
ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପ୍ରଥମ ଦିନରେ ଦଳର ସ୍କୋର ୪ ଥିବା ବେଳେ ଡେଭିଡ୍ ଓ୍ୱାର୍ଣ୍ଣର ମାତ୍ର ୧ ରନ୍ କରି ଆଉଟ୍ ହୋଇଥିଲେ । ସେହିପରି ୧୭ ରନରେ ଦଳ ମାର୍କସ୍ ହାରିସଙ୍କ ଓ୍ୱିକେଟ୍ ହରାଇଥିଲା । କ୍ରିଜରେ ପରେ ମାର୍ଣ୍ଣସ ଲାବୁସେନ ଓ ଷ୍ଟିଭ୍ ସ୍ମିଥ୍ ସ୍ଥିତି ସମ୍ଭାଳିଥିଲେ । ପରେ ସ୍ମିଥ୍ ୩୬ ଓ ଲାବୁସେନ ୧୦୮ ରନ୍ କରି ଆଉଟ୍ ହୋଇଥିଲେ । ସେହିପରି ମାଥ୍ୟୁ ଓ୍ୱାଡେ ମଧ୍ୟ ୪୫ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ଏହାପରେ କ୍ୟାମେରନ୍ ଗ୍ରୀନ ୪୭ ଓ ଟିମ୍ ପେନ୍ ୫୦ ରନ୍ କରି ସ୍ଥିତି ସ୍ମଭାଳିଥିଲେ । ଦ୍ୱିତୀୟ ଦିନରେ ଉଭୟ ଆଉଟ୍ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ନାଥାନ ଲାୟନ ୨୪, ପ୍ୟାଟ୍ କ୍ୟୁମିନ୍ସ ୨ ରନ୍ କରି ଆଉଟ ହୋଇଥିଲେ । ଫଳରେ ଦଳ ୩୬୯ ରନ୍ କରିପାରିଥିଲା ।
ଭାରତ ପକ୍ଷରୁ ଟି ନଟରାଜନ, ଓ୍ୱାଶିଂଟନ ସୁନ୍ଦର ଓ ଶର୍ଦ୍ଦୁଳ ଠାକୁର ତିନୋଟି ଓ୍ୱିକେଟ୍ ନେଇଥିବା ବେଳେ ମହମ୍ମଦ ସିରାଜ ଗୋଟିଏ ଓ୍ୱିକେଟ୍ ନେଇଥିଲେ ।
ସେହିପରି ପ୍ରଥମ ଇନିଂସରେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିବା ଭାରତକୁ ପ୍ରାରମ୍ଭିକ ଝଟକା ଲାଗିଥିଲା । ପ୍ରଥମେ ଶୁଭମନ ଗିଲ ୭ ରନ୍ ଓ ପରେ ରୋହିତ ଶର୍ମା ୪୪ ରନ୍ କରି ଆଉଟ୍ ହୋଇଥିଲେ । ପରେ ଚେତେଶ୍ୱର ପୂଜାରା ଓ ଆଜିଙ୍କ୍ୟ ରାହାଣେ କ୍ରିଜରେ କଙ୍ଗାରୁ ବୋଲରଙ୍କ ମୁକାବିଲା କରୁଛନ୍ତି । ଉଭୟ ଯଥାକ୍ରମେ ୮ ଓ ୨ ରନ୍ କରିଛନ୍ତି ।ଏହାସହ ଦଳ ୩୦୭ ରନ୍ ପଛରେ ଅଛି । ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ୍ କ୍ୟୁମିନ୍ସ ଓ ନାଥାନ ଲାୟନ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଛନ୍ତି ।