ବ୍ରିସବେନ୍ ଟେଷ୍ଟ୍ : ଓ୍ୱାଶିଂଟନ ଓ ଶର୍ଦ୍ଦୁଳଙ୍କ ଲଢୁଆ ଅର୍ଦ୍ଧଶତକ, ପ୍ରଥମ ଇନିଂସରେ ଭାରତ ୩୩୬ରେ ଅଲଆଉଟ୍
17/01/2021 at 12:41 PM

ବ୍ରିସବେନ,୧୭/୦୧: ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ବ୍ରିସବେନରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟରେ ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ ୩୩୬ ରନରେ ଅଲଆଉଟ୍ ହୋଇଛି । ଖେଳର ତୃତୀୟ ଦିନରେ ଭାରତ ସମସ୍ତ ଓ୍ୱିକେଟ୍ ହରାଇଛି । ଏହାସହ ଅଷ୍ଟ୍ରେଲିଠାରୁ ପ୍ରଥମ ଇନିଂସରେ ୩୩ ରନରେ ପଛୁଆ ରହିଛି । ଟିମ୍ ଇଣ୍ଡିଆର ଅଲରାଉଣ୍ଡର ଶର୍ଦ୍ଦୁଳ ଠାକୁର ଓ ଓ୍ୱାଶିଂଟନ ସୁନ୍ଦର ଆକର୍ଣଷୀୟ ଅର୍ଧଶତକ ହାସଲ କରି ଭାରତକୁ ଏକ ସମ୍ମାନଜନକ ସ୍କୋରରେ ପହଁଚାଇଥିଲେ ।
୪ର୍ଥ ଟେଷ୍ଟରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା କଙ୍ଗାରୁ ଟିମ୍ । ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ଟିମ୍ ୩୬୯ରେ ଅଲ୍ଆଉଟ ହୋଇଥିଲା । ଦଳ ପକ୍ଷରୁ ଲାବୁସେନ୍ ସର୍ବାଧିକ ୧୦୮ ରନ କରିଥିବା ବେଳେ ପେନ୍ ଅର୍ଦ୍ଧଶତକ କରିଥିଲେ । ଗ୍ରୀନ୍ ୪୭ ରନ୍, ସ୍ମିଥ୍ ୩୬ରନ୍, ଓ୍ୱାଡେ ୪୫ ରନ୍ କରିଥିଲେ ।
ଅଷ୍ଟ୍ରେଲିଆ ପକ୍ଷରୁ ଦିଆଯାଇଥିବା ଟାର୍ଗେଟକୁ ପିଛା କରିବା ପାଇଁ ପଡିଆକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ଦଳକୁ ପ୍ରାରମ୍ଭିକ ଝଟକା ଲାଗିଥିଲା । ଯୁବ ବ୍ୟାଟସମ୍ୟାନ୍ ଶୁଭମନ ଗିଲ୍ ୭ରନ୍ କରି ଆଉଟ ହୋଇଯାଇଥିଲେ । ସେହିପରି ରୋହିତ ଶର୍ମା ୪୪ରନ୍, ଚେତେଶ୍ୱର ପୂଜାର ୨୫ରନ୍, ଆଜିଙ୍କ୍ୟ ରାହାଣେ ୩୭ରନ୍ କରି ପାଭିଲିୟନ ଫେରିଥିଲେ । ପରେ ମୟଙ୍କ ଅଗ୍ରଓ୍ୱାଲ୍ ୩୮ ରନ୍ ଓ ରିଷଭ୍ ପନ୍ତ ୨୩ ରନ୍ କରି ଆଉଟ ହୋଇଥିଲେ । ଏହାପରେ ଦଳର ସ୍ଥିତି ସମ୍ଭାଳିଥିଲେ ଓ୍ୱାଶିଂଟନ ସୁନ୍ଦର ଓ ଶର୍ଦ୍ଦୁଳ ଠାକୁର । ସୁନ୍ଦର ୬୨ ରନ୍ ଓ ଠାକୁର ୬୭ ରନ୍ କରି ଦଳର ସ୍କୋର ୩୩୬ରେ ପହଁଚାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ନବଦୀପ ସୈନୀ ୫ ଓ ମହମ୍ମଦ ସିରାଜ ୧୩ ରନ୍ କରି ପ୍ୟାଭିଲିୟନ ଫେରିଥିଲେ ।
ଅଷ୍ଟ୍ରେଲିଆ ପକ୍ଷରୁ ଜୋସ୍ ହାଜଲଉଡ୍ ୫ଟି ଓ୍ୱିକେଟ୍ ନେଇଥିବା ବେଳେ ମିଚେଲ୍ ଷ୍ଟାର୍କ ଓ ପ୍ୟାଟ୍ କ୍ୟୁମିନ୍ସ ୨ଟି ଲେଖାଏଁ ଓ ନାଥାନ ଲାୟନ ଗୋଟିଏ ଓ୍ୱିକେଟ୍ ନେଇଥିଲେ ।