ବ୍ରିସବେନରେ ବର୍ଷା ବଢାଇଲା ଅଷ୍ଟ୍ରେଲିଆର ଚିନ୍ତା, ଭାରତଠୁ ଜିତି ପାରିବ ନାହିଁ ବର୍ଡର-ଗାଭାସ୍କର ଟ୍ରଫି !

Published By : Prameya-News7 Bureau | January 16, 2021 IST

ନୂଆଦିଲ୍ଲୀ ୧୬।୦୧: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବ୍ରିସବେନର ଗାବା ପଡିଆରେ ବର୍ଡର-ଗାଭାସ୍କର ଟ୍ରଫିର ଶେଷ ତଥା ନିର୍ଣ୍ଣାୟକ ମୁକାବିଲା ଖେଳା ଯାଉଛି। ଆଡିଲେଡ୍‌ରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟରେ ଘରୋଇ ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲା। ଏହା ପରେ ମେଲବୋର୍ଣ୍ଣ ଦ୍ଵିତୀୟ ଟେଷ୍ଟରେ ଐତିହାସିକ ବିଜୟ ହାସଲ କରି  ଭାରତ ସିରିଜ୍‌ରେ ଦମଦାର ପ୍ରତ୍ୟାବର୍ତ୍ତନ  କରିଥିଲା। ସିଡନୀରେ ଖେଳା ଯାଇଥିବା ତୃତୀୟ ମ୍ୟାଚ୍ ଡ୍ର ରହିଥିଲା। ଅଷ୍ଟ୍ରେଲିଆକୁ ବର୍ଡର-ଗାଭାସ୍କର ଟ୍ରଫି ଜିତିବା ପାଇଁ ହେଲେ ଯେ କୌଣସି ସ୍ଥିତିରେ ଏହି ମ୍ୟାଚ୍‌ ଜିତିବା ଜରୁରୀ ଥିବା ବେଳେ ଭାରତକୁ କେବଳ ଡ୍ର ଆବଶ୍ୟକ। କିନ୍ତୁ ବର୍ଷା ଅଷ୍ଟ୍ରେଲିଆର ଚିନ୍ତା ବଢାଇଛି।

ବ୍ରିସବେନ ଟେଷ୍ଟର ଦ୍ଵିତୀୟ ଦିନର ତୃତୀୟ ସେସନ ବର୍ଷାରେ ଧୋଇ ହୋଇ ଯାଇଛି। ବ୍ରିସବେନର ପାଣିପାଗ ବିଭାଗ ଅନୁଯାୟୀ ତୃତୀୟ ଦିନ ମଧ୍ୟ ବର୍ଷା ହେବାର ଆଶଙ୍କା ରହିଛି ଓ ଚତୁର୍ଥ-ପଞ୍ଚମ ଦିନ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଯଦି ଘରୋଇ ଦଳ ଏହି ଟେଷ୍ଟ ଜିତିବାରେ ବିଫଳ ହୁଏ ତେବେ ବର୍ଡର-ଗାଭାସ୍କର ଟ୍ରଫି ଭାରତ ପାଖରେ ରହିବ। ଭାରତ ଗତ ଗସ୍ତରେ କଙ୍ଗାରୁ ଟିମ୍‌କୁ ୨-୧ରେ ହରାଇ ସିରିଜ୍‌ କବ୍‌ଜା କରିଥିଲା।

wp:html /wp:html

ବର୍ଷା କାରଣରୁ ଆଜି ଚା ପାନ ବିରତି ପରେ ଖେଳ ହୋଇ ପାରିନାହିଁ। ଭାରତ ୨ ଓ୍ଵିକେଟ୍ ହରାଇ ୬୨ ରନ କରିଛି। ଭାରତୀୟ ଦଳ ଏବେ ମଧ୍ୟ ଅଷ୍ଟ୍ରେଲିଆଠୁ ୩୦୭ ରନ ପଛରେ ରହିଛି ଏବଂ ହାତରେ ୮ ଓ୍ଵିକେଟ୍ ରହିଛି। ଚେତେଶ୍ଵର ପୂଜାରା ୮ ଓ ଅଧିନାୟକ ଆଜିଙ୍କ୍ୟ ରାହାଣେ ୨ ରନ କରି ଖେଳୁଛନ୍ତି। ରୋହିତ ଶର୍ମା ଦମଦାର ଆରମ୍ଭ କରିଥିଲେ ମଧ୍ୟ ବେପରୁଆ ସଟ୍ ଖେଳି ପାଭିଲିୟନ ଫେରିଛନ୍ତି। ସେ ୭୪ ବଲ୍‌ରୁ ୪୪ ରନ କରି ବଡ ଇନିଂସ ଖେଳିବାରେ ବଞ୍ଚିତ ହୋଇଛନ୍ତି। ନିଜର ଏକାଗ୍ରତା ଭାଙ୍ଗିବାର ପରିଣାମ ରୋହିତଙ୍କ ସହିତ ଦଳକୁ ଭୋଗିବାକୁ ମଧ୍ୟ ପଡିଛି। ନିଜର ୧୦୦ ତମ ଟେଷ୍ଟ ମ୍ୟାଚ୍ ଖେଳୁଥିବା ନାଥନ ଲାୟନଙ୍କ ବଲ୍‌ରେ ମିଚେଲ ଷ୍ଟାର୍କଙ୍କୁ କ୍ୟାଚ୍‌ ଦେଇ ଆଉଟ୍ ହୋଇଛନ୍ତି ରୋହିତ। ଏହା ପୂର୍ବରୁ ଶୁବମାନ ଗିଲ୍ ୭ ରନ କରି ପାଟ୍ କମିନ୍ସଙ୍କ ଶିକାର ହୋଇଛନ୍ତି।

wp:html /wp:html

ଏହା ପୂର୍ବରୁ ଭାରତର ଯୁବ ଏବଂ ଅନୁଭବହୀନ ବୋଲର ବହୁତ ଅନୁଶାସିତ ବୋଲିଂ କରି ଦ୍ଵିତୀୟ ଦିନର ପ୍ରଥମ ସେସନରେ ବାକି ୫ ଓ୍ଵିକେଟ୍ ନେଇ ଅଷ୍ଟ୍ରେଲିଆର ପ୍ରଥମ ଇନିଂସକୁ ୩୬୯ ରନରେ ସୀମିତ ରଖିଛନ୍ତି। ଶାର୍ଦ୍ଦୁଳ ଠାକୁର ୯୪ ରନ ଦେଇ ୩ ଓ୍ଵିକେଟ୍ ନେଇଥିବା ବେଳେ ପ୍ରଥମ ଟେଷ୍ଟ ଖେଳୁଥିବା ଓ୍ଵାଶିଂଟନ ସୁନ୍ଦର ୮୯ ରନ ଏବଂ ଟି ନଟରାଜନ ୭୮ ରନ ଦେଇ ପ୍ରତ୍ୟେକ ତିନୋଟି ଲେଖାଏଁ ସଫଳତା ପାଇଛନ୍ତି। ଅଷ୍ଟ୍ରେଲିଆ ମଧ୍ୟାହ୍ନ ଭୋଜନ ବିରତି ପୂର୍ବରୁ ୯୫ ରନ ଭିତରେ ୫ ଓ୍ଵିକେଟ୍  ହରାଇ ଥିଲା। ଅଷ୍ଟ୍ରେଲିଆ ଗାବାରେ ୩୫୦ରୁ ଉର୍ଦ୍ଧ୍ଵ ସ୍କୋର କରି କେବେ ମଧ୍ୟ ଟେଷ୍ଟ ମ୍ୟାଚ୍‌ ହାରି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.